ମମିତା ମେହେର ହତ୍ୟା ପ୍ରସଙ୍ଗ : ଭୁବନେଶ୍ବରରୁ ଦିଲ୍ଲୀ ମୁହାଁ ଆନ୍ଦୋଳନ

ଦିବ୍ୟଶଙ୍କରଙ୍କ ଗିରଫ, ସିବିଆଇ ତଦନ୍ତ ଦାବିରେ ଦିଲ୍ଲୀରେ ବିଜେପିର ବିକ୍ଷୋଭ

୮ ରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର,୧୧ରେ ଯନ୍ତରମନ୍ତରରେ ବିକ୍ଷୋଭ; ରାଷ୍ଟ୍ରପତିଙ୍କୁ ଦାବିପତ୍ର

ଭୁବନେଶ୍ୱର : କଳାହାଣ୍ଡି ଜିଲା ସନ୍‌ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ତୁରନ୍ତ ବହିଷ୍କାର ଓ ଗିରଫ କରିବା ସହ ମାମଲାର ନିରପେକ୍ଷ ତଦନ୍ତ ଲାଗି ସିବିଆଇକୁ ହସ୍ତାନ୍ତର ପାଇଁ ବିଜେପି ଓ କଂଗ୍ରେସ ନିଜ ଜିଦ୍‌ରେ ଅଟଳ ଓ ଅଚଳ ରହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଦୀର୍ଘ ୩ ସପ୍ତାହ ଧରି ଉଭୟଦଳ ବିଭିନ୍ନ ଢଙ୍ଗରେ ବିରୋଧ, ବିକ୍ଷୋଭ ଓ ପ୍ରତିବାଦ ଜାରି ରଖିଥିବାବେଳେ ବିରୋଧୀଙ୍କ ଆନ୍ଦୋଳନ ଏବେ ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ଜାତୀୟ ରାଜଧାନୀ ଦିଲ୍ଲୀମୁହାଁ ହୋଇଛି। ଏହି ପ୍ରସଙ୍ଗକୁ ଜାତୀୟସ୍ତରରେ ଜୋରଦାର କରିବା ଲାଗି ରବିବାର ବିଜେପି କର୍ମୀ ଓ ଓଡ଼ିଆ ସଂଗଠନ ପକ୍ଷରୁ ଦିଲ୍ଲୀର ପଟେଲ ଚୌକ୍‌ଠାରେ ଆନ୍ଦୋଳନ କରାଯାଇଛି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର, ଗିରଫଦାରି ସହ ସିବିଆଇ ତଦନ୍ତ ଦାବିରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ରଙ୍କ ନେତୃତ୍ବରେ ପୁରୀ ବିଧାୟକ ଜୟନ୍ତ ଷଢଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସମେତ ବହୁ ନେତା ଓ କର୍ମୀ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଗାମୀ ଦିନରେ ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ସହ ରା‌ଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବାକୁ ରଣନୀତି ପ୍ରସ୍ତୁତ ହୋଇଛି। ରବିବାର ଭୁବନେଶ୍ବର ଜିଲା ବିଜେପି ପକ୍ଷରୁ ମଧ୍ୟ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ବିଜେପି ଜିଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କ୍ୟାପିଟାଲ ଥାନାକୁ ଯାଇ ଏତଲା ରୁଜୁ କରିଛନ୍ତି।
ଶ୍ରୀ ସିଂହ କହିଛନ୍ତି ଯେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର ଏବଂ ଗୋବିନ୍ଦ ସାହୁଙ୍କ ଅପରାଧିକ କାର୍ଯ୍ୟ, ରାଜନୈତିକ ଭାବେ ସରକାରୀ ଅର୍ଥ ଆତ୍ମସାତ୍ ଓ ଯୌନ କାରବାରର ସମସ୍ତ ପ୍ରମାଣ ଓ ତଥ୍ୟ ମମିତା ମେହେର ଜାଣି ପାରିଥିଲେ ଏବଂ ଏହାର ବିରୋଧ କରିଆସୁଥିଲେ ଓ ଭବିଷ୍ୟତରେ ସେ ଏହାକୁ ପ୍ରକାଶ କରିଦେବାର ଆଶଙ୍କା ଥିଲା, ତେଣୁ ସୁଚିନ୍ତିତ ଭାବେ ତାଙ୍କୁ ହତ୍ୟା କରିବା ପାଇଁ ମନ୍ତ୍ରୀ ଶ୍ରୀ ମିଶ୍ର ଗୋବିନ୍ଦ ସାହୁଙ୍କ ସହିତ ମିଶି ଷଡଯନ୍ତ୍ର ରଚନା କରିଥିଲେ। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଗିରଫ କରି ଜେରା କରାଯିବା ଉଚିତ୍ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଦିଲୀପ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ଅନ୍ୟପକ୍ଷରେ କଂଗ୍ରେସ ଭବନଠାରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ଗଣମାଧ୍ୟମକୁ କହିଛନ୍ତି ଯେ ନଭେମ୍ବର ୬ ଓ ୭ ତାରିଖରେ ଯୁବ କଂଗ୍ରେସ ପକ୍ଷରୁ ରାଜଭବନ ଆଗରେ ଅହୋରାତ୍ର ଧାରଣା ଦିଆଯିବ। ୮ ତାରିଖରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ। ଯଦି ଏହା ଭିତରେ ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ତେବେ ଆସନ୍ତା ୯ ତାରିଖରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରି ନଭେମ୍ବର ୧୦ ତାରିଖରେ ଦିଲ୍ଲୀସ୍ଥିତ ଆବାସିକ ଆୟୋଗଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରାଯିବ। ପରେ ନଭେମ୍ବର ୧୧ ତାରିଖରେ ଯନ୍ତରମନ୍ତରଠାରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଯେଉଁଥିରେ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତିଙ୍କ ସମେତ ବହୁ ରାଷ୍ଟ୍ରୀୟ ନେତୃମଣ୍ଡଳୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଜିର ସମ୍ମିଳନୀରେ ଉପସଭାପତି ମହମ୍ମଦ ଅଲିମ ଓ ଅମ୍ରିତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.