ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ : ଦିଲ୍ଲୀ ଆବାସିକ ଆୟୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ଯୁବ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ : କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ, ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଏବଂ ଗିରଫଦାରୀ ଦାବିରେ ଆଜି ସ୍ଥାନୀୟ ଚାଣକ୍ୟପୁରୀସ୍ଥିତ ଓଡ଼ିଶା ସରକାରଙ୍କ ଦିଲ୍ଲୀ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ଯୁବକଂଗ୍ରେସ ତରଫରୁ ବିରୋଧ ପ୍ରଦର୍ଶନ କରାଯାଇଛି। ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ଼. ସୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଅନୁଷ୍ଠିତ ବିରୋଧ ପ୍ରଦର୍ଶନୀରେ ଯୁବ କଂଗ୍ରେସର କର୍ମୀମାନେ ଆବାସିକ ଆୟୁକ୍ତ କାର୍ଯ୍ୟାଳୟର ଫାଟକ ବନ୍ଦ କରିବା ସହ ବହୁ ସମୟ ଧରି ଆତଯାତ ଅବରୋଧ କରିଥିଲେ। ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟଅଭିଯୁକ୍ତଙ୍କ ସହ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠତା ଥିବା କାରଣରୁ ପୁଲିସ ତଦନ୍ତର ନିରପେକ୍ଷତା ନେଇ ଯୁବ କଂଗ୍ରେସ ତରଫରୁ ପ୍ରଶ୍ନ କରାଯାଇଥିଲା। ମହିଳା ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବା ଏବଂ ସାକ୍ଷୀ ପ୍ରମାଣ ନଷ୍ଟ କରିବା ସର୍ବୋପରି ମୃତକଙ୍କ ପରିବାରକୁ ଭୟଭୀତ କରୁଛନ୍ତି ବୋଲି ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା।
ଏହି ଅବସରରେ ଯୁବ କଂଗ୍ରେସ ସଭାପତି ଡ଼. ଲେଙ୍କା କହିଥିଲେ ଯେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁଁ ମା ଭଉଣୀ ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଅପରାଧୀମାନେ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ହତ୍ୟା ବଳାତ୍କାର ଭଳି ଜଘନ୍ୟ ଅପରାଧ ଘଟାଉଛନ୍ତି। ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଘନିଷ୍ଠ ସମ୍ପର୍କ ବିଷୟରେ ସମସ୍ତେ ଜାଣିଥିଲେ ସୁଦ୍ଧା ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ ରହିବା ଘଟଣା ରାଜ୍ୟର ମହିଳାଙ୍କ ପ୍ରତି ଉପହାସ ସଦୃଶ। ଜାତୀୟସ୍ତରରେ ଏହି ପ୍ରସଙ୍ଗକୁ ଉଠାଇବା ଲାଗି ଗୁରୁବାର ଦିଲ୍ଲୀ ଜନ୍ତରମନ୍ତର ାରେ ଯୁବ କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବ ବୋଲି ଡ଼ ଲେଙ୍କା କହିଥିଲେ। ବିରୋଧ ପ୍ରଦର୍ଶନରେ ମହମ୍ମଦ ଅଲିମ, ଜ୍ଞାନେନ୍ଦ୍ର ମହାନ୍ତି, ରମଜାନ ଅଲ୍ଲୀ, ସେକ୍‍ ଗୁଲାମୁହିଦିନ, ମହେଶ୍ୱର ପ୍ରଧାନ, ଆର୍ଯ୍ୟବୀର ଲେଙ୍କା, ବସନ୍ତ ପାଢ଼ୀ, ସତ୍ୟପ୍ରିୟ ସାମଲ, ଶ୍ରୀକାନ୍ତ ବିଶ୍ୱାଳ, ଅମ୍ରିତା ଦାସ, ନିକିତ ପରବିନ, ବଳରାମ ରାଉତ, ସତ୍ୟାନନ୍ଦ ରାଉତ, ବିକ୍ରମ ପଣ୍ଡା, ସର୍ବଜିତ ପଟ୍ଟନାୟକ, ଜ୍ଞାନ ରଞ୍ଜନ ରାଉତ, ସୁରେନ୍ଦ୍ର ପାଢ଼ୀ, ପୃଥ୍ବୀରାଜ ନାୟକ, ରାଧାକାନ୍ତ ଦିଗଲ, ବିଶ୍ୱଜିତ ଲେଙ୍କା, କହ୍ନେୟାଲାଲ ସାବତ, ସୋମନାଥ ପଣ୍ଡା, ବିଭୂତି ଭୂଷଣ ବଳସିଂରାୟ, ସନ୍ତୋଷ ପାତ୍ର, ଦେବେନ୍ଦ୍ର ପ୍ରସାଦ ସେଠୀ ଓ ସୁଜିତ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ।

Comments are closed.