ପଶ୍ଚିମବଙ୍ଗରେ ଲାଗୁ ହେବାକୁ ଦେବୁନାହିଁ ଏନଆରସି ଓ ନାଗରିକତା ସଂଶୋଧନ ବିଧେୟକ : ମମତା

କୋଲକାତା : ପଶ୍ଚିମବଙ୍ଗର ଲୋକମାନଙ୍କୁ ଏନଆରସି ଓ ନାଗରିକତା ସଂଶୋଧନ ବିଧେୟକକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ରାଜ୍ୟରେ କୌଣଶି ପରିସ୍ଥିତିରେ ମଧ୍ୟ ଏନଆରସି ଓ ନାଗରିକତା ସଂଶୋଧନ ବିଧେୟକକୁ ଲାଗୁ କରାଯିବ ନାହିଁ। ସୋମବାର ଏକ ଶୋଭାଯାତ୍ରାକୁ ସମ୍ବୋଧନ କରି ଏଭଳି କହିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ମମତା ସୋମବାର ଖଡକପୁରଠାରେ ତୃଣମୂଳ କଂଗ୍ରେସର ବିଜୟ ଶୋଭାଯାତ୍ରାକୁ ସମ୍ବୋଧନ କରିଥିଲେ। ଏହି ଅବସରରେ ସେ କହିଥିଲେ, ରାଜ୍ୟରେ ଏନଆରସି ଓ ନାଗରିକତା ସଂଶୋଧନ ବିଧେୟକ ଲାଗୁ ହେବାକୁ ଦିଆଯିବ ନାହିଁ। ଯେପର୍ୟ୍ୟନ୍ତ ରାଜ୍ୟରେ ତୃଣମୁଳ କଂଗ୍ରେସ ରହିଛି ସେପର୍ୟ୍ୟନ୍ତ କୌଣସି ପରିସ୍ଥିତିରେ ମଧ୍ୟ ଏହାକୁ ଲାଗୁ କରାଯିବ ନାହିଁ। ନିକଟରେ ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନରେ ତୃଣମୁଳ କଂଗ୍ରେସର ବିଜୟ ପାଇଁ ଏହି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।
ଉଲ୍ଲେଖ ଯୋଗ୍ୟ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଲୋକସଭାରେ ବିବାଦୀୟ ନାଗରିକତା ସଂଶୋଧନ ବିଧେୟକ ଆଗତ କରିଥିଲେ। ଏହି ବିଧେୟକ ସପକ୍ଷରେ ଗୃହର ଅଧିକ ଭୋଟ ମିଳିଛି। ଲୋକସଭାରେ ଗୃହିତ ହେବା ପରେ ଏହାକୁ ରାଜ୍ୟସଭାର ଅନୁମୋଦନ ପାଇଁ ଆଗତ କରାଯିବ। ଯଦି ଏହା ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନୁମୋଦନ ଲାଭ କରେ ତେବେ ଏହାଦ୍ବାରା ଦେଶରେ ବର୍ଷ ବର୍ଷ ଧରି ସକ୍ରିୟ ଥିବା ନାଗରିକତା ଆଇନ – ୧୯୫୫ ବଦଳି ଯିବ ଏବଂ ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ଆସୁଥିବା ଅଣ ମୁସଲିମ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିବା ପ୍ରକ୍ରିୟା ସହଜ ହୋଇଯିବ। ଏହି ବିଧେୟକକୁ ବିଜେପି, ଜନତା ଦଳ ୟୁନାଇଟେଡ଼, ଅକାଳି ଦଳ ଏବଂ ଲୋକ ଜନଶକ୍ତି ଦଳ ସମର୍ଥନ କରୁଥିବା ବେଳେ କଂଗ୍ରେସ, ତୃଣମୂଳ କଂଗ୍ରେସ, ବାମପନ୍ଥୀ ଦଳ ଏବଂ ସମାଜବାଦୀ ପାର୍ଟି ବିରୋଧ କରୁଛନ୍ତି।

Comments are closed.