ମାଲକାନଗିରି ପୁଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଘଟଣା; ରାଜ୍ୟ ମାନବଧିକାର କମିଶନଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ

୧୦ ଦିନ ଭିତରେ ପୋଷ୍ଟମଟର୍ମ ରିପୋର୍ଟ ଏବଂ ପୀଡିତାଙ୍କୁ ଅନୁକମ୍ପା ରାଶି ପ୍ରଦାନ ପାଇଁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଲେ ଓଏଚଆରସି

-ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ
-ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ମୃତ୍ୟୁର କାରଣକୁ ସାର୍ବଜନୀନ କରାଯାଉ
-ଘଟଣାରେ ମାନବଧିକାର କମିଶନ ହସ୍ତକ୍ଷେପ କରି ସ୍ୱତନ୍ତ୍ରଭାବେ ତଦନ୍ତ କରି ଦୋଷୀକୁ ଉଚିତ ଦଣ୍ଡ ଦିଅନ୍ତୁ

ଭୁବନେଶ୍ୱର : ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡିଛନ୍ତି। ଏବେ ଏହାର ଆଉ ଏକ ଦୃଷ୍ଟାନ୍ତ ମାଲକାନଗିରିରୁ ଆସଛି। ଗତ ମେ ୭ ତାରିଖ ଦିନ ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଜଣେ ଆଦିବାସୀ ମହିଳାଙ୍କ ସହ ଦୁଷ୍କର୍ମ କରାଯାଇଛି। ଏହା ପରେ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ଅବସ୍ଥା ଖରାପ ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ପିଡିତାଙ୍କ ସ୍ୱାମୀ ବୁଦୁରା ଗଉଡଙ୍କ କହିବାନୁଯାୟୀ ତାଙ୍କ ସ୍ତ୍ରୀ ଅଚେତ ଅବସ୍ଥାରେ ଥିଲା ଏବଂ ତାଙ୍କ ଦେହରେ କ୍ଷତ ବିକ୍ଷତ ଚିହ୍ନ ରହିଥିଲା। ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ବୁଦୁରା ଗଉଡ ଥାନାରେ ଏତଲା ଦେବା ସହ ଗଣମାଧ୍ୟମ ଆଗରେ କହିଥିଲେ। ଏହି ଘଟଣାକୁ ଡେଢମାସରୁ ଊର୍ଦ୍ଧ୍ବ ସମୟ ବିତିଥିଲେ ମଧ୍ୟ ପୋଲିସ ଚୁପ୍‍ ରହିଛି। ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟ ନଆସିବାରୁ ମନରେ ଆଶଙ୍କା ସୃଷ୍ଟି ହେଉଛି ଯେ, ଯେହେତୁ ଘଟଣା ପୋଲିସ କ୍ୟାଣ୍ଟିନରେ ଘଟିଲା ଏବଂ ପୋଲିସର ସଂପୃକ୍ତି ଥିବାରୁ ଏଘଟଣାକୁ ସରକାରୀ ସ୍ତରରେ ଚାପି ଦିଆଯାଉଛି। ଏହି ଘଟଣା ବିରୁଦ୍ଧରେ ପ୍ରତିବାଦ କରି ରାଜ୍ୟ ବିଜେପି ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ମଣ୍ଡଳୀ ବୁଧବାର ରାଜ୍ୟ ମାନବଧିକାର କମିଶନଙ୍କୁ ଭେଟି ୩ ଦଫା ଦାବି ଜଣାଇଛନ୍ତି।
ଏହି ଘଟଣାରେ ମାନବଧିକାର କମିଶନ ହସ୍ତକ୍ଷେପ କରି ସ୍ୱତନ୍ତ୍ରଭାବେ ତଦନ୍ତ କରି ଦୋଷୀକୁ ଉଚିତ ଦଣ୍ଡ ଦିଅନ୍ତୁ। ପୀଡିତାର ପରିବାରକୁ ଉଚିତ ନ୍ୟାୟ ଦେଇ ଅନୁକମ୍ପା ରାଶି ପ୍ରଦାନ କରାଯାଉ। ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ମୃତ୍ୟୁର କାରଣକୁ ସାର୍ବଜନୀନ କରାଯାଉ ବୋଲି ପ୍ରତିନିଧୀ ମଣ୍ଡଳ କମିଶନଙ୍କ ପାଖରେ ଦାବି କରିଛି।
ପ୍ରତିନିଧୀ ମଣ୍ଡଳୀର ଗୁହାରୀ ଶୁଣିବା ପରେ ମାନ୍ୟବର ଓଏଚଆରସି ତୁରନ୍ତ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ପୀଡିତାର ସଂପର୍କୀୟଙ୍କୁ ନ୍ୟାୟ ଅନୁଯାୟୀ ଅନୁକମ୍ପା ରାଶି ତୁରନ୍ତ ପ୍ରଦାନ କରାଯାଉ। ୧୦ ଦିନରେ ପୋଷ୍ଟମର୍ଟମ ରିପୋର୍ଟକୁ ଓଏଚଆରସିଙ୍କ କୋର୍ଟରେ ଦାଖଲ କରିବା ପାଇଁ ଓଏଚଆରସି ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା କଥା ନିଜେ କମିଶନ ପ୍ରତିନିଧୀ ମଣ୍ଡଳୀଙ୍କୁ ଜଣାଇଛନ୍ତି। ଓଏଚଆରସି ଏହି ଘଟଣାର ଶୁଣାଣି କରି ଦୋଷୀକୁ ଚିହ୍ନଟ କରି ଦଣ୍ଡିତ କରିବାର ପ୍ରତିଶୃତି ଦେଇଛନ୍ତି।
ଏହି ପ୍ରତିନିଧୀ ମଣ୍ଡଳୀରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏବଂ ମୁଖପାତ୍ର ସୁଦୀପ୍ତ ରାୟ ଉପସ୍ଥିତ ଥିଲେ।

Comments are closed.