ମାଓବାଦୀଙ୍କ କବଳରୁ ସ୍ବାମୀଙ୍କୁ ମୁକୁଳାଇଲେ ସ୍ତ୍ରୀ

ମାଲକାନଗିରି: ତିନି ବର୍ଷର ଶିଶୁପୁତ୍ରକୁ କୋଳରେ ଧରି ଜଙ୍ଗଲକୁ ଯାଇ ଅପହୃତ ସ୍ୱାମୀଙ୍କୁ ମୁକୁଳାଇଛନ୍ତି ସ୍ତ୍ରୀ। ସାତଦିନ ପରେ ମାଓବାଦୀଙ୍କ କବଳରୁ ସୁରକ୍ଷିତ ଫେରିଛନ୍ତି ଅପହୃତ ଉପନିର୍ବାହୀ ଯନ୍ତ୍ରୀ ଅଜୟ ରୋଶନ ଲାକ୍ରା। ପ୍ରଜା ଅଦାଲତରେ ଶତାଧିକ ଆଦିବାସୀଙ୍କ ସମ୍ମୁଖରେ ମୁକ୍ତ କରିଛି ଲାଲବାହିନୀ। ପ୍ରଜାକୋର୍ଟ ଚାଲିଥିବାବେଳେ ଅଜୟଙ୍କ ସ୍ତ୍ରୀ ଅର୍ପିତା ଉପସ୍ଥିତ ଥିଲେ। ମାଓବାଦୀଙ୍କ କବଳରୁ ମୁକ୍ତ ହେବା ପରେ ସେ ବିଜାପୁର ଅଭିମୁଖେ ଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ ମାଲକାନଗିରି ସୀମାନ୍ତ ବିଜାପୁର ଜିଲା ମନକେଲି ଗ୍ରାମରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଅଜୟ ଓ ତାଙ୍କ ସହଯୋଗୀ ଲକ୍ଷ୍ମଣ ପ୍ରତୁଗିରି ଗତ ଗୁରୁବାର ଯାଇଥିଲେ। ୨୦ରୁ ୨୫ଜଣ ମାଓବାଦୀ ଘଟଣାସ୍ଥଳରେ ପହଞ୍ଚି ଅଜୟ ଓ ଲକ୍ଷ୍ମଣଙ୍କୁ ଅପହରଣ କରି ନେଇଥିଲେ। ଲକ୍ଷ୍ମଣଙ୍କୁ ମାଓବାଦୀ ଛାଡ଼ି ଦେଇଥିଲେ, କିନ୍ତୁ ଅଜୟଙ୍କୁ ଛାଡି ନ ଥିଲେ। ବିଜାପୁର ପୁଲିସ ଏ ନେଇ ତଦନ୍ତ ଚଲାଇଥିଲା। ଅପହରଣ ହେବାର ଦୁଇଦିନ ପରେ ସେ ନ ଫେରିବାରୁ ଅଜୟଙ୍କ ପତ୍ନୀ ଅର୍ପିତା ମାଓବାଦୀଙ୍କ କବଳରୁ ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ତିନିବର୍ଷର ପୁଅକୁ ନେଇ ଜଙ୍ଗଲକୁ ଖୋଜିବାକୁ ଯାଇଥିଲେ।

ସେ ନିର୍ଦୋଷ, ତାଙ୍କର କୌଣସି ଦୋଷ ନାହିଁ କହିବା ସହ ସ୍ୱାମୀଙ୍କୁ ମୁକ୍ତ କରିବା ଲାଗି ମାଓବାଦୀଙ୍କୁ ଅର୍ପିତା ନିବେଦନ କରିଥିଲେ। ସ୍ୱାମୀଙ୍କୁ ମୁକ୍ତ କରିବା ଲାଗି ସାତଦିନ ଧରି ଜଙ୍ଗଲରେ ସେ ଖୋଜି ବୁଲୁଥିଲେ। ବୁଧବାର ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷଙ୍କ ଉପସ୍ଥିତିରେ ମାଓବାଦୀ ପ୍ରଜା ଅଦାଲତ କରି ରାସ୍ତା ନିର୍ମାଣ ଓ ପୁଲିସ ଶିବିର ପ୍ରତିଷ୍ଠା ନ କରିବା ଭଳି କିଛି ସର୍ତ୍ତ ରଖି ଅଜୟଙ୍କୁ ଛାଡିଥିବା ତାଙ୍କ ସ୍ତ୍ରୀ ଅର୍ପିତା କହିଛନ୍ତି। ସ୍ବାମୀ ଅଜୟ ସୁରକ୍ଷିତ ଫେରିବା ପରେ ଅର୍ପିତା ତାଙ୍କୁ ଦେଖି କାନ୍ଦି ପକାଇଥିଲେ। କୋହ ସମ୍ବରଣ କରି ନପାରି ଅଜୟ ମଧ୍ୟ ସ୍ତ୍ରୀଙ୍କୁ ଆଲିଙ୍ଗନ କରି କାନ୍ଦି ପକାଇଥିଲେ। ସ୍ବାମୀ ସ୍ତ୍ରୀଙ୍କ ଏଭଳି ମିଳନ ସେଠାରେ ଭାବବିହ୍ବଳ ପରିବେଶ ସୃଷ୍ଟି କରିଥିଲା।

Comments are closed.