ମାଲକାନଗିରି ଆଦିବାସୀ ମହିଳା ଓ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ: ବିଜେପି

ଭୁବନେଶ୍ୱର: ମାଲକାନଗିରି ଆଦିବାସୀ ମହିଳା ଓ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ରାଜ୍ୟ ସରକାର ଏସ୍‌ଆଇଟି ଗଠନ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି।

ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡିଛନ୍ତି। ଦୀର୍ଘ ସମୟ ଧରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଚାଲିଛି। ଲୋକମାନଙ୍କୁ ସୁରକ୍ଷିତ ରଖିବା ସରକାରଙ୍କ ଉତରଦାୟୀତ୍ୱ। କିନ୍ତୁ ଦୁଃଖର କଥା ମହିଳାମାନଙ୍କ ସହ ଦୁଷ୍କର୍ମ, ହତ୍ୟା, ମରଣାନ୍ତକ ଆକ୍ରମଣ, ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପଟେ ସରକାରଙ୍କ ଅବହେଳା ଯୋଗୁଁ ଦୋଷୀ ମାନଙ୍କୁ ଦଣ୍ଡ ମିଳିପାରୁ ନାହିଁ। ରକ୍ଷକ ଏଠି ଭକ୍ଷକ ସାଜିଛି। ଖୋଦ୍ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି। ମାଲକାନଗିରି ପୋଲିସ କ୍ୟାଣ୍ଟିନରେ କାର୍ଯ୍ୟରତ ଥିବା ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ବୀରମିତ୍ରପୁର ଘଟଣାରେ ଖୋଦ୍ ଥାନା ଅଧିକାରୀ ଥାନାର ଉପରମହଲାରେ ଜଣେ ୧୩ ବର୍ଷିଆ ଆଦିବାସୀ ନାବାଳିକାକୁ ବନ୍ଧକ ରଖି ଯୌନ ଉତ୍ପୀଡନ କରିଆସୁଥିଲେ। ଏହି ଦୁଇଟି ଘଟଣାରେ ପୁଲିସର ସଂପୃକ୍ତି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଦୁଇଟି ଘଟଣା ଆଦିବାସୀ ମହିଳାଙ୍କ ସହ ହୋଇଥିବାରୁ ଏପର୍ଯ୍ୟନ୍ତ କାହିଁକି ଏସସିଏସଟି ଏଟ୍ରୋସିଟି ଆକ୍ଟ ଲଗାଯାଇ ନାହିଁ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ମାଲକାନଗିରି ମହିଳା ଦୁଷ୍କର୍ମ ଏବଂ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣାରେ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ୬୦ ଦିନ ଭିତରେ ଚାର୍ଜସିଟି ଫାଇଲ ହେବା କଥା। ଏହା ସହ ତୁରନ୍ତ ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାର ବ୍ୟବସ୍ଥା ଥିବାବେଳେ ରାଜ୍ୟସରକାର ଚୁପ୍ ରହିଛନ୍ତି କାହିଁକି? ଦେଢ ମାସରୁ ଊର୍ଦ୍ଧ୍ବ ସମୟ ପରେ ବି ପୋଲିସ ମୃତା ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ବି ସାର୍ବଜନୀନ କରୁନାହିଁ। ସେହିପରି ବୀରମିତ୍ରପୁର ଘଟଣାରେ ୧୩ ବର୍ଷିୟା ନାବାଳିକା ଝିଅର ଅସହାୟତାର ସୁଯୋଗ ନେଇ ଥାନା ଅଧିକୀରୀ ଥାନାର ଉପର ମହଲାରେ ମାସ ମାସ ଧରି ଦୁଷ୍କର୍ମ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଥାନାବାବୁ ପୀଡିତା ନାବାଳିକାକୁ ଗର୍ଭବତୀ କରାଇବା ସହ ବେଆଇନ ଭାବେ ସରକାରୀ ଡାକ୍ତରଖାନାରେ ତାଙ୍କର ଗର୍ଭପାତ କରାଇଛନ୍ତି। ଏହି ଘଟଣାକୁ ବି ରାଜ୍ୟସରକାର ଘଣ୍ଟ ଘୋଡାଇବା ପାଇଁ ଉଦ୍ୟମ ଚଲାଇଛନ୍ତି। ଏହି ଦୁଇଟି ଘଟଣା ପୋଲିସର କ୍ୟାଂପସ ଭିତରେ ଏବଂ ପୋଲିସର ସଂପୃକ୍ତି ଥିବା ଯୋଗୁଁ ଘଟଣାକୁ ଚପେଇ ଦିଆଯାଉଛି। ତେଣୁ ଏହି ଦୁଇଟି ମାମଲାରେ ପୀଡିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏ ଲଢେଇକୁ ବିଜେପି ଜାରି ରଖିବ।
ଗତକାଲି ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଏ ଦୁଇଟି ଘଟଣା ସଂପର୍କରେ ଅବଗତ କରାଇଥିଲା। ଏସସିଏସଟି ଏଟ୍ରୋସିଟି ଆକ୍ଟ ଅନୁଯାୟୀ ଅପରାଧୀଙ୍କୁ ଗିରଫ କରିବା, ପୀଡିତାଙ୍କୁ ଯଥାଯୋଗ୍ୟ ନ୍ୟାୟ ଏବଂ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ପ୍ରତିନିଧୀ ଦଳ ଦାବି କରିଥିଲେ। ରାଜ୍ୟସରକାର ଏ ଦୁଇଟି ଘଟଣାକୁ ଗୁରୁତର ସହ ନେଇ ଏସଆଇଟି ଗଠନ କରି ସ୍ଥାନୀୟ ପୋଲିସଙ୍କୁ ବାଦ ଦେଇ ତଦନ୍ତ କରିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି।
ମାଲକାନଗିରି ଘଟଣାରେ ବିଜେପି ପ୍ରତିନିଧୀ ଦଳ ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ଆବେଦନ କରିଥିଲେ ଓ କମିଶନ ୧୦ ଦିନ ଭିତରେ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ସୋନାଲୀ ସାହୁ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.