ମାଲକାନଗିରି ସଭ୍ୟତାର ଆଲୋକରୁ ବଞ୍ଚିତ

୭୦% ଅଞ୍ଚଳ ମୋବାଇଲ ଓ ବ୍ୟାଙ୍କ ସେବାରୁ ବଞ୍ଚିତ, ଇନ୍ଦିରା ଆବାସ, ବିଜୁ ପକ୍କାଘର ନିର୍ମାଣ ବାଧାପ୍ରାପ୍ତ

ଭୁବନେଶ୍ବର : ସରକାରଙ୍କ ବିଭିନ୍ନ ଯୋଜନା ସତ୍ତ୍ବେ ଆର୍ଥିକ, ସାମାଜିକ ତଥା ଶିକ୍ଷା କ୍ଷେତ୍ରରେ ପଛରେ ପଡିଥିବା ମାଲକାନଗିରି ଜିଲାର ଚିତ୍ର ବଦଳୁନାହିଁ। ସ୍ବାଭିମାନ ଅଞ୍ଚଳରେ ଆଖିଦୃଶିଆ ଉନ୍ନତି ଘଟୁନାହିଁ। ଏବେ ବି ଜିଲାର ମାତ୍ର ୩୦% ଅଞ୍ଚଳକୁ ମୋବାଇଲ ଯୋଗାଯୋଗ ସମ୍ଭବ ହୋଇଥିବାବେଳେ ବାକି ୭୦%ଅଞ୍ଚଳ ଏଥିରୁ ବଞ୍ଚିତ ରହିଛି। ଜିଲାର ୭ଟି ତହସିଲ ମଧ୍ୟରୁ ମାତ୍ର ୪ଟିରେ ବ୍ରଡବ୍ୟାଣ୍ଡ ସୁବିଧା ଥିବାବେଳେ ସେଠାରେ ବିଏସଏନଏଲ ସଂଯୋଗ ଅଧିକାଂଶ ସମୟ ବିଚ୍ଛିନ୍ନ ରହୁଥିବାରୁ ମୋବାଇଲ ଏବଂ ବ୍ରଡ୍‌ବ୍ୟାଣ୍ଡ ଯୋଗାଯୋଗ ବ୍ୟାହତ ହେଉଛି। ପ୍ରଶାସନିକ ସ୍ତରରେ ପ୍ରସ୍ତୁତ ରିପୋର୍ଟରୁ ବିକାଶ କ୍ଷେତ୍ରରେ ବାଟ ଘେରୁଥିବା ବିଭିନ୍ନ ସମସ୍ୟା ସାମ୍‌ନାକୁ ଆସିଛି।
ଏକ ରିପୋର୍ଟରୁ ଜଣାପଡିଛି ଯେ ଜିଲାରେ ବିଏସ୍‌ଏନ୍‌ଏଲ୍‌ର ରକ୍ଷଣାବେକ୍ଷଣ ଅଭାବରୁ ଟେଲିଫୋନ୍‌ ଏବଂ ବ୍ରଡବ୍ୟାଣ୍ଡ ସେବା ବାରମ୍ବାର ବାଧାପ୍ରାପ୍ତ ହେବା ସହ ସରକାରୀ କାର୍ଯ୍ୟରେ ବିଭ୍ରାଟ ସୃଷ୍ଟି ହେଉଛି। ସିଲେରୁଠାରୁ ବାଲିମେଳା ପର୍ଯ୍ୟନ୍ତ ଅପ୍‌ଟିକ ଫାଇବର କେବୁଲ ସଂଯୋଗର ଜରୁରୀ ଆବଶ୍ୟକତା ରହିଛି। ଏହାଦ୍ବାରା ନେଟୱାର୍କ ସଂଯୋଗ ସମ୍ଭବ ହେବ ଏବଂ ମାଲକାନଗିରି-ଜୟପୁର ବିଏସଏନଏଲ ସଂଯୋଗ ବାରମ୍ବାର କଟୁଥିବାରୁ ବିକଳ୍ପ ବ୍ୟବସ୍ଥା ହୋଇପାରିବ। ବିଶେଷ କରି ଖଇରପୁଟ, ପଡିଆ ଏବଂ କୁଡୁମୁଲୁଗୁମା ବ୍ଲକରେ ବ୍ରଡବ୍ୟାଣ୍ଡ ସଂଯୋଗ ନଥିବାରୁ ଗ୍ରାମ୍ୟ ଗୃହ ନିର୍ମାଣ ଏବଂ ତହସିଲ ସ୍ତରରେ ଅନ୍‌ଲାଇନ କାର୍ଯ୍ୟ ସମେତ ବିଭିନ୍ନ ବିକାଶମୂଳକ ଯୋଜନା ଗୁରୁତର ପ୍ରଭାବିତ ହେଉଛି। ଏହି ବ୍ୟବସ୍ଥା କାରଣରୁ ଓଡ଼ିଶା ଜନସେବା ଅଧିକାର ଆଇନ ବଳରେ ଜନସାଧାରଣଙ୍କୁ ଠିକଣା ସମୟରେ ସେବା ପ୍ରଦାନ ଦିଗରେ ଜିଲାର ପ୍ରାୟ ସବୁ କାର୍ଯ୍ୟାଳୟ ବିଫଳ ହେଉଛନ୍ତି।
ସେହିପରି ଶିକ୍ଷା କ୍ଷେତ୍ରରେ ପଛରେ ଥିବା ମାଲକାନଗିରି ଜିଲାରେ ପ୍ରାୟ ୪୦୦ ଅତିରିକ୍ତ ଶ୍ରେଣୀଗୃହର ଅଭାବ ରହିଛି। ମାଲକାନଗିରି ପୌରାଞ୍ଚଳକୁ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନି। ଜଳସେଚନ ବ୍ୟବସ୍ଥା ମଧ୍ୟ ଦୁର୍ବଳ। ସାବେରୀ ନଦୀରୁ ପଡିଆ ଓ ମୋଟୁ ଏବଂ ସିଲେରୁ ନଦୀରୁ କୁରମାନୁର ଓ ମୋଟି ମଧ୍ୟରେ ବୃହତ ସେଚ ପ୍ରକଳ୍ପ ନିର୍ମାଣର ଆବଶ୍ୟକତା ରହିଛି। ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ମାଲକାନଗିରିରେ ଅତିରିକ୍ତ ପାରାମିଲିଟାରୀ ବାଟାଲିଅନ ମୁତୟନର ଆବଶ୍ୟକତା ରହିଛି। ସୁରକ୍ଷା କାରଣରୁ ଟେଣ୍ଡର ପ୍ରକ୍ରିୟାରେ ଠିକାଦାର ଭାଗନେବାକୁ ଆଗ୍ରହ ପ୍ରକାଶ କରୁନଥିବାରୁ ଦୁର୍ଗମ ପଞ୍ଚାୟତଗୁଡିକରେ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଘଟୁଛି।
ଜିଲା ଉନ୍ନୟନ କାର୍ଯ୍ୟ ସମୀକ୍ଷା ପରେ ସଚିବ ତାଙ୍କ ରିପୋର୍ଟରେ ପ୍ରସ୍ତାବ ଦେଇଛନ୍ତି ଯେ ଜାନବାଇ ଏବଂ ବିଚ୍ଛିନ୍ନାଞ୍ଚଳର ଯେକୌଣସି ସ୍ଥାନରେ ବ୍ୟାଙ୍କ ଶାଖା ଖୋଲିବାର ଆବଶ୍ୟକତା ରହିଛି। ବିଶେଷ କରି ମୁଦୁଲିପଡା, କିଆଙ୍ଗ, ସାଲିମି ଏବଂ ମହୁପଦରରେ ପ୍ରାଥମିକତା ଭିତ୍ତିରେ ବ୍ୟାଙ୍କ ଶାଖା ଖୋଲାଯିବାର ଆବଶ୍ୟକତା ରହିଛି। ଦୁର୍ଗମ ଅଞ୍ଚଳରେ ନୂଆ ବ୍ୟାଙ୍କ ଶାଖା ଖୋଲାଯାଉନଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଏବଂ ମମତା ଭଳି
ଯୋଜନା କାର୍ଯ୍ୟକାରିତାରେ ବାଧାସୃଷ୍ଟି ହେଉଛି। ଉନ୍ନୟନ ପ୍ରକଳ୍ପର ତ୍ବରିତ କାର୍ଯ୍ୟାନ୍ବୟନ ପାଇଁ ମୁଦୁଲିପଡା, ମହୁଆପଦର, ଜାନବାଇ ଆଦି ଅଞ୍ଚଳରେ ନୂଆ ସୁରକ୍ଷା ଶିବିର ପ୍ରତିଷ୍ଠାର ଆବଶ୍ୟକତା ରହିଛି। ଏହାଛଡ଼ା ଜିଲାରେ ଗୋଟିଏ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ, ୪ଟି ଡେପୁଟୀ କଲେକ୍ଟର, ୪ଟି ସହକାରୀ ଜିଲାପାଳ, ଗୋଟିଏ ତହସିଲଦାର ଓ ଅତିରିକ୍ତ ତହସିଲଦାର, ଗୋଟିଏ ନିର୍ବାହୀ ଯନ୍ତ୍ରୀ ପଦ ଖାଲିଥିବାରୁ କାର୍ଯ୍ୟ ପରିଚାଳନା ମଧ୍ୟ ବାଧାପ୍ରାପ୍ତ ହେଉଛି। ଅଧିକାରୀ ଏବଂ କର୍ମଚାରୀ ନିୟୋଜନକୁ ଗୁରୁତ୍ବ ଦେବା ପାଇଁ ଅଧିକାରୀ ପ୍ରସ୍ତାବ ଦେଇଛନ୍ତି।

Comments are closed.