ଦଶବର୍ଷ ହେଲା ଅନ୍ଧାର କୋଠରୀରେ ରହୁଛି, ୫ବର୍ଷ ହେଲା ମାଟି ଖାଉଛି ନାବାଳିକା

ମାଲକାନଗିରି : ଦଶବର୍ଷ ହେଲା ଏକ ଅନ୍ଧାର କୋଠରୀରେ ଜୀବନ ବିତାଉଛି, ପାଞ୍ଚବର୍ଷ ହେଲା ମାଟି ଖାଉଛି ଜଣେ ନାବାଳିକା। ଖାଦ୍ୟ ବଦଳରେ ମାଟି ଓ ଇଟା ଗୁଣ୍ଡ ଖାଉଛି ଜଣେ ଆଦିବାସୀ ନାବାଳିକା। ଘରର ଇଟା କାନ୍ଥକୁ ହାତରେ ଉଖାଡି ଉଖାଡି ସେହି ମାଟିକୁ ଖାଉଛି ଏହି ନାବାଳିକା ଝିଅ । ଜିଲା ସଦର ଠାରୁ ମାତ୍ର ୫ କିଲୋମିଟର ଦୂର ଚମ୍ପାଖାରୀ ଗାଁର ଦିନ ମଜୁରିଆ ନରସିଂହ ମାଢିଙ୍କ ବଡ଼ ଝିଅ ଗତ ପାଞ୍ଚବର୍ଷ ଧରି ଏପରି ମାଟି ଖାଉଛି। ତା’ର ବୟସ ଏବେ ୧୪ ବର୍ଷ। ଦୁନିଆର ଆଲୋକ ବର୍ତ୍ତମାନ ସୁଦ୍ଧା ସେ ଭଲ ଭାବେ ଦେଖିନାହିଁ। ଗତ ୧୦ବର୍ଷ ଧରି ଘରର ଏକ ଅନ୍ଧାର କୋଠରୀ ଭିତରେ ରହୁଛି ସେ। ନିଜ ମା’କୁ ଛାଡି ଦେଲେ ଆଉ କାହାରି ସାଙ୍ଗରେ ଭଲ ଭାବେ କଥା ମଧ୍ୟ ହେଉନାହିଁ ସେ। ଅର୍ଥ ଅଭାବରୁ ନିଜ ଝିଅର ଚିକିତ୍ସା କରିପାରୁ ନ ଥିବା ଏହି ଗରିବ ଆଦିବାସୀ ପରିବାର ଲୋକେ ଏବେ ଗୁଣିଆ ଉପରେ ଭରଷା କରିଛନ୍ତି। ମାଟି ଖିଆ ଝିଅ ସମ୍ପର୍କରେ ଜିଲା ସଦର ଚିକିତ୍ସାଳର ସୁପରିଟେଣ୍ଡେଣ୍ଟ ଡାକ୍ତର ଏ.କେ. ଭୋଳଙ୍କ ସହ ଆଲୋଚନା କରିବାରେ ସେ ଏହାକୁ ଏକ ପାଇକା ରୋଗର ଲକ୍ଷଣ ବୋଲି କହିଛନ୍ତି। ଜନ୍ମରୁ ପେଟରେ କୃମି ଜନିତ ରୋଗ ଥିଲେ ସେହି ପିଲାମାନେ ମାଟି ଖାଆନ୍ତି। ତେବେ ନାବାଳିକା କ୍ଷେତ୍ରରେ କିନ୍ତୁ ଏହା ସମ୍ପୂର୍ଣ୍ଣ ଅଲଗା । କାରଣ ପୁଷ୍ପା କେବଳ ମାଟି ଖାଇ ଗତ ପାଞ୍ଚ ବର୍ଷ ଧରି ଜିବିତ ରହିଛି । ତେଣୁ ପୁଷ୍ପା ଖାଉଥିବା ମାଟିରେ କଅଣ ଉପାଦାନ ରହିଛି ତାହା ବୈଜ୍ଞାନିକ ପରୀକ୍ଷା ପରେ ହିଁ ଜଣାପଡିବ ବୋଲି ଡାକ୍ତର କହିଛନ୍ତି। ଏହି ଘଟଣା ଜାଣିବା ପରେ ପୁଷ୍ପାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ଲାଗି ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ଏ.କେ. ଭୋଳ ପ୍ରତିଶ୍ରୁତି ଦେଇଛନ୍ତି। ଖାଦ୍ୟ ନ ଖାଇ ଦିନକର ଅଧିକ ସମୟ ରହିପାରିବ ନାହିଁ ଜଣେ ମଣିଷ। ଗତ ପାଞ୍ଚ ବର୍ଷ ଧରି ନାବାଳିକାଟି କେମିତି ମାଟି ଖାଇ ବଞ୍ଚିଛି ତାହା ଗବେଷଣାର ଆବଶ୍ୟକ ରହିଛି ବୋଲି ମତପ୍ରକାଶ ପାଇଛି।

Comments are closed.