ପଥର ଫିଙ୍ଗି କରାଯାଏ ଲିଙ୍ଗ ନିରୂପଣ

# ସୋନୋଗ୍ରାଫି ସହାୟତାରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରାଯାଉଥିବାବେଳେ ଭାରତରେ ଏହା ବେଆଇନ ଅଟେ। ଏକବିଂଶ ଶତାବ୍ଦୀରେ ପହଞ୍ଚି ମଧ୍ୟ କେତେକ ବର୍ଗ ପୁତ୍ର ସନ୍ତାନକୁ ପ୍ରାଧାନ୍ୟ ଦେଉଛନ୍ତି। ଆମ ଦେଶରେ ଶିଶୁର ଲିଙ୍ଗ ନିରୂପଣ ଆଇନ ଖୁବ୍ କଡ଼ା ଭାବେ ପାଳନ କରାଯାଉଥିବାବେଳେ ଏପରିସ୍ଥଳେ ଲୋକେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଅନ୍ୟ ଦିଗରେ ଆଗଉଥିବାର ଦେଖାଯାଉଛି। ଝାଡ଼ଖଣ୍ଡର ଲୋହରାଦଗାସ୍ଥିତ ଏକ ଗ୍ରାମ ହେଉଛି ଖୁଖରା। ସେଠାରେ ଥିବା ଏକ ପାହାଡ଼କୁ ପଥର ଫିଙ୍ଗି ଲୋକେ ଜାଣିପାରନ୍ତି ଗର୍ଭସ୍ଥ ଶିଶୁ କନ୍ୟା କିମ୍ବା ପୁତ୍ର। ଅଧିକାଂଶ ପରିବାର ଗୋପନୀୟ ଭାବେ ଏଠାକୁ ଆସି ପାହାଡ଼କୁ ପଥର ଫିଙ୍ଗୁଥିବାର ସ୍ଥାନୀୟ ଲୋକଙ୍କ ମତ। ସେଠାର ଜନୈକ ବୃଦ୍ଧ ମହିଳାଙ୍କ କହିବାନୁସାରେ, ୪୦୦ ବର୍ଷ ତଳର ଏଇ ପୁରାତନ ପରମ୍ପରା। ପ୍ରତିଦିନ ଗର୍ଭବତୀ ମହିଳାମାନେ ଏଠାକୁ ନିଜ ପରିବାର ସହ ଆସନ୍ତି। ପାହାଡ଼ର ପୂର୍ବାନୁମାନ ସତ ହେଉଥିବାର ସେଠା ଲୋକଙ୍କ ମତ। ଘଟଣାଟି ପ୍ରଚାର ହେବା ପରେ କେତେଜଣ ‘ଲିଙ୍ଗ ନିରୂପଣ’ ନ୍ୟାୟ ବିରୋଧ କରିବା ସ୍ବର ଉତ୍ତୋଳନ କରିଥିଲେ। ଏହା ପରଠାରୁ ଗର୍ଭବତୀ ମହିଳାଙ୍କୁ ପରିବାର ଲୋକ ବିଳମ୍ବିତ ପ୍ରହରରେ ପାହାଡ଼ ନିକଟକୁ ଆଣୁଥିବାର ସେଠା ଲୋକ କହିଛନ୍ତି। ଗ୍ରାମର ବୟସ୍କ ମହିଳା ଶାନ୍ତି ଦେବୀ କହିଛନ୍ତି, ପାହାଡ଼ର ଚନ୍ଦ୍ରମା ଆକୃତି ହୋଇଥିବାର ମଝିରେ ଯଦି ପଥର ବାଜିଲା, ତେବେ ଗର୍ଭସ୍ଥ ଶିଶୁ ପୁଅ। ଯଦି ଚନ୍ଦ୍ରମା ସ୍ଥାନ ବାହାରେ ପଥର ବାଜେ, ଗର୍ଭସ୍ଥ ଶିଶୁ ଝିଅ। ଏଭଳି ଉପାୟରେ ଲିଙ୍ଗ ନିରୂପଣ କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।

Comments are closed.