ମ୍ୟାଲେରିଆ ମୁକ୍ତ ରାଜ୍ୟ ଦିଗରେ ଓଡ଼ିଶା, ଗତ ତିନି ବର୍ଷ ମଧ୍ୟରେ ସଂକ୍ରମଣ ହାର ୯୦ ପ୍ରତିଶତ ହ୍ରାସ

ଓଡ଼ିଶାର ମଡେଲକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ‘ବେଷ୍ଟ ପ୍ରାକ୍‍ଟିସ’ ଭାବେ ସ୍ୱୀକୃତ

ଭୁବନେଶ୍ୱର: ମ୍ୟାଲେରିଆ ପ୍ରବଣ ରାଜ୍ୟର ବିଷାଦ ଅତିକ୍ରମ କରି ଓଡ଼ିଶା ବର୍ତ୍ତମାନ ମ୍ୟାଲେରିଆ ଶୂନ୍ୟ ରାଜ୍ୟ ଦିଗରେ ଗତି କରିବା ଆରମ୍ଭ କରିଛି। ୨୦୧୬ରୁ ୨୦୧୯ ମସିହା ମଧ୍ୟରେ ରାଜ୍ୟରେ ମ୍ୟାଲେରିଆ ସଂକ୍ରମଣ ହାର ୯୦ ପ୍ରତିଶତ କମିଛି। ଏହି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ୭୭ରୁ ୯କୁ ହ୍ରାସ ପାଇଛି। ୨୦୨୦ ମସିହାରେ ମଧ୍ୟ ଏହି ଧାରା ବଜାୟ ରହିଛି। ତେବେ ଓଡ଼ିଶା ଦେଶର ପ୍ରଥମ ମ୍ୟାଲେରିଆମୁକ୍ତ ରାଜ୍ୟ ହେବ ବୋଲି  ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଅନ୍ତଃ-ବିଭାଗୀୟ ସମନ୍ୱୟ ବୈଠକର ଆଲୋଚନାରୁ ଏହା ଜଣାପଡ଼ିଛି। ଲୋକସଭା ଭବନରୁ ଡିଜିଟାଲ ମୋଡ଼ରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମ୍ୟାଲେରିଆ ନିରାକରଣ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।
ବିଗତ ବର୍ଷମାନଙ୍କରେ ନିଆଯାଇଥିବା ପଦକ୍ଷେପ ଏବଂ ମ୍ୟାଲେରିଆ ସ୍ଥିତି ବିଷୟ ସମୀକ୍ଷା କରି ଚଳିତ ବର୍ଷ ସମ୍ଭାବ୍ୟ ମ୍ୟାଲେରିଆ ସଂକ୍ରମଣ ପ୍ରତିରୋଧ ନିମନ୍ତେ ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବିଭାଗମାନଙ୍କୁ ନିର୍ଦେଶ ଦେଇଥିଲେ। ବିଶେଷତଃ ଶିଳ୍ପାଞ୍ଚଳ, ଖଣିଖାଦନ ଅଞ୍ଚଳ, ସୁଦୂର ଗ୍ରାମାଞ୍ଚଳ, ଜଙ୍ଗଲ ଅଞ୍ଚଳରେ ଥିବା ଜନବସତି ଆଦି ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ। ସହରାଞ୍ଚଳରେ ଥିବା ଛୋଟ ଛୋଟ ସ୍ଥିର ଜଳାଶୟଗୁଡ଼ିକରେ ମଶାବଂଶ ନାଶକାରୀ ତେଲ ପକାଇବା, ବିଭିନ୍ନ ଜଳାଶୟ ଓ ନଳା ଇତ୍ୟାଦିରେ ଜୀବାଣୁ ଖାଦକ ମାଛ ଛାଡ଼ିବା ସହ ମଶା ଜୀବାଣୁ ବଂଶବୃଦ୍ଧି-ଚକ୍ର ଛିନ୍ନ କରିବା ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ। ବିଭିନ୍ନ ଶିଳ୍ପାନୁଷ୍ଠାନମାନେ ସ୍ୱତନ୍ତ୍ର ଜନସ୍ୱାସ୍ଥ୍ୟ ୟୁନିଟ୍‍ ପ୍ରତିଷ୍ଠା କରିବା ସହ ନିଜ ନିଜର କର୍ମଚାରୀମାନଙ୍କର ପରୀକ୍ଷଣ ଏବଂ ସମ୍ପୃକ୍ତ ଅଞ୍ଚଳରେ ମ୍ୟାଲେରିଆ ସଂକ୍ରମଣ ନିରୀକ୍ଷଣ ଜାରି ରଖିବାକୁ କୁହାଯାଇଥିଲା। ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା କାର୍ଯ୍ୟରେ ରାଜ୍ୟର ପ୍ରାୟ ୧୦ ହଜାର ଜିଲା, ବ୍ଲକ ଓ ପଞ୍ଚାୟତ କଳାକାର ସଂଘ ଏବଂ ୫୦୦ ପ୍ରକାର ଲୋକକଳାକୁ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।


ମ୍ୟାଲେରିଆ ସ୍ଥିତି ବିଷୟରେ ସଦ୍ୟତନ ତଥ୍ୟ ଉପସ୍ଥାପନ କରି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡ.ନିରଞ୍ଜନ ମିଶ୍ର କହିଥିଲେ ଯେ ୨୦୧୬ ମସିହାରେ ୪.୪୪ଲକ୍ଷ ମ୍ୟାଲେରିଆ ସଂକ୍ରମଣ ମାମଲା ଚିହ୍ନଟ ହୋିଥିଲା। ୭୭ଜଣ ମ୍ୟାଲେରିଆ ରୋଗର ପ୍ରାଣ ହରାଇଥିଲେ। ୨୦୧୯ ମସିହା ବେଳକୁ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ହ୍ରାସ ପାଇ ଯଥାକ୍ରମେ ୩୯.୫୫୬ ଏବଂ ୯ରେ ପହଞ୍ଚିଥିଲା। ୨୦୨୦ ମସିହାରେ ମଧ୍ୟ ଏହି ହ୍ରାସ ବଜାୟ ରହିଥିଲା। ୨୦୧୮ରୁ ୨୦୧୯ ମସିହା ମଧ୍ୟରେ ସର୍ବଭାରତୀୟ ସଂକ୍ରମଣ ହାର ୧୭% ଭାଗ କମିଥିବାବେଳେ ଓଡ଼ିଶାରେ ସଂକ୍ରମଣ ଦ୍ୱାର ୪୦% ଭାଗ କମିଥିଲା। ସେହିପରି ୨୦୧୬ ମସିହାରେ ବାର୍ଷିକ ପାରାସାଇଟ ହାର ମାତ୍ର ୮ଟି ଜିଲାରେ ୧ରୁ ତଳେ ରହିଥିଲା। ୨୦୧୯ ମସିହା ବେଳକୁ ସ୍ଥିତିର ଘାଟି ଯୋଗୁ ଏହି ହାର ୨୩ଟି ଜିଲାର ୨ରୁ ତଳେ ରହିଥିଲା।
ଏହିସବୁ ତଥ୍ୟ ଭିତ୍ତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓଡ଼ିଶାରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟଧାରାକୁ ଏକ ଉତ୍ତମ ପ୍ରାମାଣିତ ପନ୍ଥା(ବେଷ୍ଟ ପ୍ରାକ୍‍ଟିସ) ଭାବେ ବିଶ୍ୱ ମ୍ୟାଲେରିଆ ବିବରଣୀ-୨୦୨୦ରେ ସ୍ଥାନୀତ କରିଛନ୍ତି। ସୂଚନାଯୋଗ୍ୟ ଯେ, ମ୍ୟାଲେରିଆ ବିରୁଦ୍ଧ ଅଭିଯାନ ଭାବେ ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ(ଦମନ) ନାମକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ ୨୦୧୮ରୁ ୨୦୨୦ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬,୦୮୮ଟି ମ୍ୟାଲେରିଆ ନିରାକରଣ ଶିବିର ଆୟୋଜନ କରାଯାଇଛି। କେନ୍ଦ୍ରୀୟ ମନ୍ତ୍ରଣାଳୟରୁ ମିଳିଥିବା ପ୍ରାୟ ୧.୫୭କୋଟି ଜୀବାଣୁ ନାଶକ ମଶାରୀ ବଣ୍ଟନ କରାଯାଇ ଏହାର ଉପଯୁକ୍ତ ବ୍ୟବହାର ନିମନ୍ତେ ବ୍ୟାପକ ସଚେତନତା ଓ ଅନୁଧାବନ କାର୍ଯ୍ୟକ୍ରମ କରାଯାଇଛି। ଏହା ଫଳରେ ପ୍ରାୟ ୩.୯କୋଟି ଲୋକଙ୍କୁ ମ୍ୟାଲେରିଆ ସଂକ୍ରମଣ ସୁରକ୍ଷା ଦିଆଯାଇଛି।

Comments are closed.