ଯେତେବେଳେ ଏକ ସ୍ବପ୍ନର ମୃତ୍ୟୁ ହୁଏ

୧୯୩୧ ମସିହା ମାର୍ଚ୍ଚ ମାସର ଏକ ଭାରାକ୍ରାନ୍ତ ସନ୍ଧ୍ୟା। ଜଳଭାରହୀନ ଖଣ୍ଡେଖଣ୍ଡେ ଉଦାସୀ ମେଘର ଆସ୍ତରଣ ତଳେ ସେଦିନ ଲଣ୍ଡନ ସହରର ପ୍ରସିଦ୍ଧ ଆଲବର୍ଟ ହଲ୍‌ର ବାତାବରଣ ଥିଲା ଉଦ୍‌ବେଗରେ ଭରା ଓ ଗମ୍ଭୀର। ଠିକ ବର୍ଷକ ତଳେ ଭାରତବର୍ଷରେ ଗାନ୍ଧିଜୀଙ୍କର ଐତିହାସିକ ‘ଲବଣ ସତ୍ୟାଗ୍ରହ’ର ଅଭୂତପୂର୍ବ ସଫଳତା, ସତେ ଯେପରି ଏକ ଅଶାନ୍ତ ମୌସୁମୀ ଝଡ଼ ପରି ଇଂରେଜମାନଙ୍କର ଭାରତବର୍ଷକୁ ଆଉ ହଜାରେ ବର୍ଷ ଶାସନ କରିବାର ସଯତ୍ନଲାଳିତ ସ୍ବପ୍ନକୁ ଚୂନାଚୂନା କରି ଭାଙ୍ଗି ଦେଇଛି। ସେଇଥିପାଇଁ ହଲ୍‌ ଭିତରେ ଘେରି ରହିଥିଲା ଏକ ଭଗ୍ନସ୍ବପ୍ନ ହୃଦୟର ନୀରବତା। ମଞ୍ଚରେ ଉପସ୍ଥିତ ଥାଆନ୍ତି ୱିନ୍‌ଷ୍ଟନ୍‌ ଚର୍ଚ୍ଚିଲ ଓ ସଭାପତିତ୍ବ କରୁଥାନ୍ତି ଜଣାଶୁଣା ଭାରତ ବିରୋଧୀ ଡ୍ୟୁକ୍‌ ଅଫ୍‌ ମାର୍ଲବରୋ। ବିତର୍କର ବିଷୟବସ୍ତୁ ଥିଲା ‘ଆୱାର ଡ୍ୟୁଟି ଟୁ ଇଣ୍ଡିଆ’। ଚର୍ଚ୍ଚିଲ ଠିଆହେଲେ ଓ କହିଲେ- ‘..ଭାରତବର୍ଷକୁ ଛାଡ଼ି ଦେବାଟା ଆମ ପକ୍ଷେ ହେବ ଏକ ନିଷ୍ଠୁର ନିଷ୍ପତ୍ତି ଓ ଚରମ ମୂଢ଼ତା। ଏହା ହେଲେ ଭାରତବର୍ଷ ପୁଣି ଥରେ ସେଇ ମଧ୍ୟଯୁଗୀୟ ବର୍ବରତା ଆଡ଼କୁ ଠେଲି ହୋଇଯିବ ଓ ଖଣ୍ଡଖଣ୍ଡ କରି ଭାଙ୍ଗିଯିବ।’ କଣ୍ଠରେ ତାଙ୍କର ଭରି ରହିଥିଲା ହତାଶା ଓ ଅହମିକାର ଏକ ଉଗ୍ର ସଙ୍ଗମ। ଭାରତକୁ ହରେଇପକେଇବାର ଏକ ଅତୃପ୍ତ ଦଗ୍ଧଭାବନା ତାଙ୍କୁ ବେଶ୍‌ ବିଚଳିତ କରୁଥାଏ। କିନ୍ତୁ ସ୍ବାଧୀନତା ଆସିଲା ୧୯୪୭ ମସିହା ଅଗଷ୍ଟ ମାସର ସେହି ମଧ୍ୟରାତ୍ରିରେ। ରାତ୍ରିର ସେହି ମୂର୍ଚ୍ଛିତ ପ୍ରହରରେ ପଣ୍ଡିତ ନେହେରୁଙ୍କ ଉଦାତ୍ତ କଣ୍ଠରେ ଶୁଭୁଛି, ‘ଏ ଟ୍ରିଷ୍ଟ୍‌ ୱିଥ୍‌ ଡେଷ୍ଟିନୀ’। ଏଥିରେ ଭରି ରହିଥିଲା ଏକ ଆବେଗପ୍ରବଣ ଉଚ୍ଛ୍ବାସ। ସତେଯେପରି ଦେଶ ନବତାରୁଣ୍ୟରେ ଦୁର୍ବାର ହୋଇଉଠୁଥିଲା। ଦେଶରେ ସେତେବେଳେ ଘେରି ରହିଥାଏ ଘୋର ସାମ୍ପ୍ରଦାୟିକ ଉତ୍ତେଜନା, ଉତ୍କଟ ଖାଦ୍ୟ ସଂକଟ, ଶରଣାର୍ଥୀ ସମସ୍ୟା ଓ ଆହୁରି ଅନେକ ସମସ୍ୟା। ତଥାପି ୟା’ ଭିତରେ ମଧ୍ୟ ଦେଶ ଏକ ଉଦ୍ଦାମ ପ୍ରାଣପ୍ରବାହରେ ଉଚ୍ଛ୍ବସିତ ହୋଇଉଠୁଥାଏ। ସ୍ରୋତ ଯେତେ ପ୍ରଖର ହେଲେ ମଧ୍ୟ ତାକୁ ଅତିକ୍ରମ କରିବାପାଇଁ ଦୁର୍ବାର ସଂକଳ୍ପ, ଦେଶ ଖଣ୍ଡଖଣ୍ଡ ହେବନି। ଏହା ଥିଲା ପଣ୍ଡିତ ନେହେରୁ ଓ ପଟେଲଙ୍କର ଏକ ସ୍ଥିର ଶୀତଳ ସଂକଳ୍ପ। ଏମିତି ମଧ୍ୟ ଦେଶ ସ୍ବାଧୀନ ହେବାର କିଛି ସମୟ ପୂର୍ବରୁ କେତେକ ଦେଶୀୟ ରାଜ୍ୟର ଭାରତ ସହିତ ମିଶ୍ରଣଜନିତ କେତେକ ଘଟଣାବଳୀ ନେହେରୁ ଓ ପଟେଲଙ୍କୁ ବେଶ୍‌ ବିବ୍ରତ ଓ ଆଶଙ୍କା ଜର୍ଜରିତ କରିଥିଲା। ସେଥିମଧ୍ୟରୁ ଭାରତର ଦକ୍ଷିଣ ବିନ୍ଦୁରେ ଅବସ୍ଥିତ ଛୋଟିଆ ରାଜ୍ୟ ଟ୍ରାଭାନକୋଡ଼। ସେ ସମୟରେ ସେଠିକାର ଶାସକ ଥିଲେ ବଳରାମ ବର୍ମା; କିନ୍ତୁ ପ୍ରକୃତ ଶାସନଭାର ରହିଥିଲା ଜଣେ ଅତ୍ୟନ୍ତ ବିଚକ୍ଷଣ ଆଇନ୍‌ଜୀବୀ ସାର୍‌ ସି.ପି. ରାମସ୍ବାମୀ ଆୟାରଙ୍କ ହାତରେ। ସେ କେବଳ ଅସାଧାରଣ ଧୀଶକ୍ତିସମ୍ପନ୍ନ ବ୍ୟକ୍ତି ନଥିଲେ, ଥିଲେ ମଧ୍ୟ ମହଦାକାଙ୍‌କ୍ଷୀ ଓ ଉଚ୍ଚ କ୍ଷମତାଭିଳାଷୀ। ଆଣବିକ ଅସ୍ତ୍ର ନିର୍ମାଣ ପାଇଁ ଅତ୍ୟନ୍ତ ଉପଯୋଗୀ ମନେ ହେଉଥିବା ଥୋରିୟମ୍‌ ମୋନାଜାଇଟ୍‌ ଧାତୁ ପ୍ରଚୁର ପରିମାଣରେ ଗଚ୍ଛିତ ଥିଲା ଟ୍ରାଭାନ୍‌କୋଡ଼ର ବେଳାଭୂମି ସଂଲଗ୍ନ ଅଞ୍ଚଳମାନଙ୍କରେ। ସାର୍‌ ସି.ପି. ସ୍ବପ୍ନ ଦେଖିବାକୁ ଆରମ୍ଭ କଲେ ଏଇ ଅତ୍ୟନ୍ତ ବିରଳ ଖଣିଜ ପଦାର୍ଥର ପ୍ରାଚୁର୍ଯ୍ୟକୁ ନେଇ। ସେ ମାତ୍ର ଛଅଲକ୍ଷ ଲୋକସଂଖ୍ୟା ବିଶିଷ୍ଟ କ୍ଷୁଦ୍ର ଟ୍ରାଭାନ୍‌କୋଡ଼ଙ୍କୁ ଭାରତଠାରୁ ଅଲଗା ରଖି ସ୍ବାଧୀନ ରହିବାର ଘୋଷଣା କଲେ। ମହମ୍ମଦ ଅଲ୍ଲି ଜିନ୍ନା ମଧ୍ୟ ଏ ପରିକଳ୍ପନାକୁ ସଙ୍ଗେସଙ୍ଗେ ସ୍ବାଗତ କଲେ। ଟ୍ରାଭାନ୍‌କୋଡ଼ ଲୋକଙ୍କ ମନରେ ନିଜ ଅଞ୍ଚଳର ସ୍ବାଧୀନ ହେବାର ସ୍ବପ୍ନକୁ ଉଜ୍ଜୀବିତ କରିବାପାଇଁ ସାର୍‌ ସି.ପି. ପ୍ରାୟ ଦୁଇଶହ ବର୍ଷ ପୂର୍ବରୁ ୧୭୪୧ ମସିହାରେ କିଭଳି ଏଇ କ୍ଷୁଦ୍ର ରାଜ୍ୟ ଟ୍ରାଭାନକୋଡ଼ ଏକ ନୌଯୁଦ୍ଧରେ ‘ଡଚ୍‌’ମାନଙ୍କୁ ପରାସ୍ତ କରିଥିଲା, ମନେ ପକେଇ ଦେଲେ। ସେ ସ୍ମରଣ କରାଇଦେଲେ ଯେ ଏହା ଥିଲା ସମ୍ଭବତଃ ଇତିହାସର ଏକମାତ୍ର ଘଟଣା, ଯାହାକି ଏକ ପ୍ରାଚ୍ୟ ଦେଶ ଗୋଟିଏ ସମୃଦ୍ଧ ପାଶ୍ଚାତ୍ୟ ରାଜ୍ୟକୁ ପରାଜିତ କରିଥିଲା। ଇଂଲଣ୍ଡର କେତେକ ଶାସକବର୍ଗ ମଧ୍ୟ ଏଥିରେ ଉତ୍ସାହିତ ହୋଇପଡ଼ିଲେ। କାରଣ ବିଶ୍ବଯୁଦ୍ଧର ଠିକ୍‌ ଅବସାନ ପରର ସେ ସମୟଟା ଥିଲା, ପୃଥିବୀରେ ‘ଶୀତଳଯୁଦ୍ଧ’ର ଅୟମାରମ୍ଭର ସମୟ। ବିଶ୍ବରେ ସେଇ ‘ନ୍ୟୁକ୍ଲିୟର ଆର୍ମସ୍‌ ରେସ୍‌’ (ଆଣବିକ ପ୍ରତିଯୋଗିତା) ଆରମ୍ଭ ହେଉଛି। ସେଥିପାଇଁ ଇଂଲଣ୍ଡ ମଧ୍ୟ ଲାଳାୟିତ ହେଉଛି ଟ୍ରାଭାନ୍‌କୋଡ଼ର ‘ମୋନାଜାଇଟ୍‌’କୁ ନେଇ। ଖୁବ୍‌ ଉଲ୍ଲସିତ ହୋଇପଡ଼ୁଛନ୍ତି ସାର୍‌ ସି.ପି.ରାମସ୍ବାମୀ ଆୟାର। ଏପଟେ କିନ୍ତୁ ନେହେରୁ ଓ ପଟେଲ ଘୋର ଚିନ୍ତିତ ଟ୍ରାଭାନକୋଡ଼କୁ ନେଇ। ଏ ବିୟୋଗାତ୍ମକ ନାଟକର ଏକ କରୁଣ ଉପସଂହାର ଘଟିଲା, ଯେତେବେଳେ ସାର୍‌ ସି.ପି. ଏକ ସଂଗୀତ ଆସରକୁ ଯାଉଥିବା ସମୟରେ ଆତତାୟୀର ଛୁରା ମାଡ଼ରେ ଗଭୀର ଭାବରେ ଆହତ ହେଲେ ଓ ସେଇ ହସ୍‌ପିଟାଲ ବେଡ୍‌ରୁ ରାଜାଙ୍କୁ କହିଲେ ମିଶ୍ରଣ ପାଇଁ ଭାରତ ସହିତ। ଆଉ ଭାରତ ବିଖଣ୍ଡିତ ହେଲା ନାହିଁ।
ନେହେରୁ ଥାଆନ୍ତି ପ୍ରଧାନମନ୍ତ୍ରୀ। ଦଳମତ ନିର୍ବିଶେଷରେ ସମଗ୍ର ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାପାଇଁ ଦେଶର ସବୁ ମୁଖ୍ୟମନ୍ତ୍ରୀମାନଙ୍କ ପାଖକୁ ବ୍ୟକ୍ତିଗତ ଚିଠି ଲେଖିବାକୁ ସେ ଆରମ୍ଭ କଲେ। କାମର ଅସମ୍ଭବ ଚାପ ସତ୍ତ୍ବେ ପ୍ରତି ପନ୍ଦର ଦିନରେ ଥରେ ନିୟମିତ ଭାବରେ ଏ ଚିଠି ଲେଖା ଚାଲିଥିଲା। ଜୀବନର ​‌େ​‌ଶଷ ସମୟ ପର୍ଯ୍ୟନ୍ତ। କ୍ଷମତା ଓ ଦଳୀୟ ସ୍ବାର୍ଥଲିପ୍‌ସାର ବହୁ ଊର୍ଦ୍ଧ୍ବରେ ସେ ରାଜନୀତିକୁ ଉନ୍ନୀତ କରାଇପାରିଥିଲେ ଏକ ନୂତନ ଭାବଲୋକକୁ। ସେ ଲେଖିଛନ୍ତି- ‘ଆଇ ୱାଜ୍‌ ନଟ୍‌ ମଚ୍‌ ଅଫ୍‌ ଏ ପଲିଟିସିଆନ୍‌, ଅଲଦୋ ପଲିଟିକ୍‌ସ ହାଡ୍‌ ସିଜ୍‌ଡ ମି ଆଣ୍ଡ ମେଡ୍‌ ମି ଇଟସ୍‌ ଭିକ୍ଟିମ୍‌।’ ଦେଶର ସବୁ ପ୍ରାନ୍ତପ୍ରତି ତାଙ୍କର ସମାନ ଦୃଷ୍ଟିଭଙ୍ଗୀ ଓ ସମଦର୍ଶିତା ଭାରତ ଇତିହାସରେ ଅନନ୍ୟ ଓ ଅଭୂତପୂର୍ବ। ତାଙ୍କର ଏଇ ସମସ୍ତ ଚିଠିକୁ ସଂକଳିତ କରିଛନ୍ତି ବିଶିଷ୍ଟ ଚିନ୍ତାନାୟକ ମାଧବ ଖୋସଲା ଏକ ଚମତ୍କାର ପୁସ୍ତକ ‘ଲେଟର୍ସ ଫର୍‌ ଏ ନେସନ୍‌ ଫ୍ରମ୍‌ ଜବାହରଲାଲ ନେହେରୁ ଟୁ ହିଜ୍‌ ଚିଫ୍‌ ମିନିଷ୍ଟରର୍ସ’ରେ। ଏ ଚିଠି ସବୁ ନଥିଲା କେବଳ କଂଗ୍ରେସ ଦଳର ଆଦର୍ଶ ଓ ନୀତିର ଇସ୍ତାହାର, ଥିଲା ସମୃଦ୍ଧ ଭାରତକୁ ରୂପ ଦେବାପାଇଁ ଏକ ବିଚକ୍ଷଣ ରୂପକାରଙ୍କର ପ୍ରୟାସ। ସମୟ ଗଡ଼ି ଚାଲିଲା। ସମୟର ସେଇ ମହାପ୍ରଭାବ ଭିତରେ ଅନେକ ଧର୍ମ, ଅନେକ ଭାଷା ଓ ଅନେକ ପ୍ରକାରର ଆଚାରବିଚାରର ବିବିଧତା ଭିତରେ ମଧ୍ୟ ଲୋକଙ୍କ ମନରେ ଏକ ମହାଭାରତୀୟ ଭାବନା ପ୍ରତିମୂର୍ତ୍ତ ହୋଇ ରହିଲା ବର୍ଷବର୍ଷ ଧରି; କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏଇ କେତେବର୍ଷ ଭିତରେ ଦେଶରେ ଆଞ୍ଚଳିକତାବାଦର ସ୍ବର ପ୍ରଖର ହେବାକୁ ଲାଗିଲାଣି ଓ ଶୁଣାଯିବାକୁ ଲାଗିଲାଣି ତାର ତୀବ୍ର ଝଙ୍କାର। କେନ୍ଦ୍ର ଓ ରାଜ୍ୟ ଭିତରେ ବିବାଦ ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥକୁ ନେଇ। କେତେକ ରାଜ୍ୟରେ ରାଜ୍ୟପାଳମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ସହିତ ବିବାଦ ଏପରି ରୁଚିହୀନ ଓ ଅଶୋଭନୀୟ ପରିସ୍ଥିତି ସୃଷ୍ଟି କଲାଣି ଯେ, ମନେ ହେଉଛି ସତେ ଯେପରି ତା’ର ପର୍ଯ୍ୟୁଷିତ ଲହରୀର ଆଘାତରେ ସମ୍ବିଧାନର ମର୍ମଭୂମି ‘ସଂଘୀୟ ବ୍ୟବସ୍ଥା’ ବିଦୀର୍ଣ୍ଣ ହୋଇଯିବ। କେରଳର ରାଜ୍ୟପାଳ ଆରିଫ୍‌ ମହମଦ୍‌ ଖାଁଙ୍କର ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କ ସହ ବିବାଦ, ପଞ୍ଜାବର ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କର ମୁଖ୍ୟମନ୍ତ୍ରୀ ଭଗବତ ମାନ୍‌ଙ୍କ ସହ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବା ନେଇ ବିବାଦ, ମହାରାଷ୍ଟ୍ରରେ ଭଗତସିଂ କୋଶିୟାରୀଙ୍କର ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ କିଏ ବାଚସ୍ପତି ହେବା ନେଇ ବିବାଦ, ତେଲଙ୍ଗାନାରେ ରାଜ୍ୟପାଳ ସୁନ୍ଦରରାଜନଙ୍କର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ସହ କିଏ ବନ୍ୟା ପ୍ରପୀଡ଼ିତ ଅଞ୍ଚଳକୁ ପ୍ରଥମେ ଯିବ ସେ ନେଇ ବିବାଦ। ଏହିସବୁ ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ତତ୍କାଳୀନ ରାଜ୍ୟପାଳ ଧନକଡଙ୍କ ସହ ବିବାଦ ତ ଏକ ରୂପକଥାର ରୂପ ନେଇଯାଇଥିଲା। ବାସ୍ତବରେ ଏସବୁରେ ନଥିଲା ସମ୍ବିଧାନ ଭିତରେ ଥିବା ଏକ ସୁସ୍ଥ ସାଂସ୍କୃତିକ ରୁଚିବୋଧ, ବିଚାରଶକ୍ତି ବା ମହତ୍ତର ଆଗ୍ରହର ଅଭୀପ୍‌ସା; କେବଳ ଥିଲା ବ୍ୟକ୍ତି କିମ୍ବା ଦଳୀୟ ସ୍ବାର୍ଥର ଅହଂର ଉପଦ୍ରବ। ସତରେ କ’ଣ ସାମ୍ବିଧାନିକ ମର୍ଯ୍ୟାଦା ଓ ରୁଚିଶୀଳତାର ପରିଭାଷା ବଦଳିଯାଉଛି? କେନ୍ଦ୍ର ଦ୍ବାରା ନିଯୁକ୍ତ ରାଜ୍ୟପାଳମାନେ କ’ଣ ସେହି କେନ୍ଦ୍ରର ଖେଳନା ପାଲଟି ଯାଉଛନ୍ତି? କ’ଣ ଏଇ ଆତ୍ମବିସ୍ମୃତ କ୍ରୀଡ଼ନକମାନେ ସାମ୍ବିଧାନିକ ପଦର ମର୍ଯ୍ୟାଦା ଭୁଲିଯାଇ ଏକ ସଖିକଣ୍ଢେଇରେ ପରିଣତ ହୋଇଗଲେଣି। ଆଜି ଭାରତବର୍ଷରେ ରାଜନୀତିର ଚରିତ୍ର ବଦଳିଗଲାଣି। ଆଞ୍ଚଳିକ ଦଳଗୁଡ଼ିକର ପ୍ରାଧାନ୍ୟ ଧୀରେଧୀରେ ବଢ଼ିଯାଉଛି। ସେଇ ଅନୁପାତରେ ବଢ଼ୁଛି ମଧ୍ୟ ପ୍ରାନ୍ତୀୟ ନେତାମାନଙ୍କ ଗୁରୁତ୍ବ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ, ଓଡ଼ିଶାରେ ନବୀନ ପଟ୍ଟନାୟକ, ତେଲଙ୍ଗାନାରେ କେ.ଚନ୍ଦ୍ରଶେଖର ରାଓ, ବିହାରରେ ନୀତୀଶ-ତେଜସ୍ବୀ, ମହାରାଷ୍ଟ୍ରରେ ଉଦ୍ଧବ ଠାକରେ, ଏପରିକି କାଶ୍ମୀରରେ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କର ନିଜନିଜ ରାଜ୍ୟରେ ଅସପତ୍ନ ପ୍ରତିଷ୍ଠା ଓ ପ୍ରଭାବ। ସେହି ଧାରାରେ ମଧ୍ୟ ଗୁଜରାଟରେ ନରେନ୍ଦ୍ର ମୋଦୀ ନିର୍ବାଚନ ବିଜୟର କର୍ଣ୍ଣଧାର; ଯାହା ପ୍ରତିଫଳିତ ହେଉଛି ବିଧାନସଭା ନିର୍ବାଚନମାନଙ୍କରେ। କାହାନ୍ତି ସମଗ୍ର ଦେଶର ଅବଚେତନକୁ ଆବେଦନ କରିବାର ସେଇ ନେତୃତ୍ବ! ଦେଶ ଆଶାକରେ ଏଭଳି ନେତୃତ୍ବ, ଯିଏକି ଦେଶକୁ ଦେଖିବ ନାହିଁ ଏକ ସଂକୀର୍ଣ୍ଣ ଆଞ୍ଚଳିକତାର ଲେନ୍‌ସରେ। ତା’ର ଦୃଷ୍ଟିସୀମା ପ୍ରସାରିତ ହୋଇଥିବ ସମଗ୍ର ଦେଶକୁ ଆଚ୍ଛାଦିତ କରି; ତେବେ ଯାଇ ଦେଶରେ ପ୍ରତିଷ୍ଠା ହୋଇପାରିବ ବାସ୍ତବରେ ଏକ ‘କୋ-ଅପରେଟିଭ୍‌ ଫେଡେରାଲାଜିମ୍‌’, ଯାହା ଆଶା କରୁଥିଲେ ବି.ଆର.ଆମ୍ବେଦକର। ସେଇଥିରେ ହିଁ ରହିଥିବ ଏକ ସୂକ୍ଷ୍ମ ସମତୁଲତାର ସ୍ବପ୍ନ। ୨୦୨୧ ମସିହା ମେ ୪ ତାରିଖରେ ଏକ ପ୍ରଳୟଙ୍କରୀ ମହାବାତ୍ୟା ‘ତାକ୍‌ଡେ’ ମହାରାଷ୍ଟ୍ରର ଜନଜୀବନକୁ ଛାରଖାର କରିଦେଲା। ପ୍ରକୃତିର ଏହି ସଂହାରଶୀଳା ରୂପ ରାତିକ ମଧ୍ୟରେ ମହାରାଷ୍ଟ୍ରର ସମୁଦ୍ର କୂଳବର୍ତ୍ତୀ ଜିଲାମାନଙ୍କରେ କି ଧନୀ କି ଦରିଦ୍ର ସମସ୍ତଙ୍କୁ ଏକାକାର କରିଦେଲା। ସେଇ ମହାବାତ୍ୟା ମଧ୍ୟ ତା’ର ଗତିପଥରେ ପଡ଼ୋଶୀ ରାଜ୍ୟ ଗୁଜରାଟର ମଧ୍ୟ ଘୋର କ୍ଷତି ସୃଷ୍ଟିକଲା। ଏଇଭଳି ଏକ ଦାରୁଣ ବିପତ୍ତି ସମୟରେ ଅସହାୟ ମହାରାଷ୍ଟ୍ର ଓ ଗୁଜରାଟ ହାତ ପତେଇଲେ ସାହାଯ୍ୟ ପାଇଁ କେନ୍ଦ୍ରକୁ। ଦେଶର ପ୍ରଧାନମନ୍ତ୍ରୀ ଗୁଜୁରାଟକୁ ସ‌େ‌ଙ୍ଗସଙ୍ଗେ ଆସି ତୁରନ୍ତ ଆକାଶପଥରେ ଅବସ୍ଥାକୁ ଲକ୍ଷ୍ୟ କଲେ ଓ ହଜାରେ କୋଟି ଟଙ୍କାର ତତ୍କାଳ ସାହାଯ୍ୟ ଘୋଷଣା କଲେ; କିନ୍ତୁ ପରେପରେ ଗୋଟିଏ କେନ୍ଦ୍ରୀୟ ଟିମ୍ ପଠାଇଲେ ଅବସ୍ଥା ପର୍ଯ୍ୟବେକ୍ଷଣ କରି କ୍ଷୟକ୍ଷତିର ଆକଳନ କରିବାପାଇଁ ମହାରାଷ୍ଟ୍ରକୁ, ଯାହାଦ୍ବାରା ସାହାଯ୍ୟ ପରିମାଣ ଘୋଷଣା କରାଯିବ। ଏଥିରେ ନଥିଲା ରାଜ୍ୟରାଜ୍ୟ ମଧ୍ୟରେ ସେଇ ସୂକ୍ଷ୍ମ ସମତୁଲତାର ଶୋଭନୀୟ ସ୍ପର୍ଶ। ଏକ ସୁସ୍ଥ ସଂଘୀୟ ବ୍ୟବସ୍ଥା ପ୍ରତି ଥିଲା ଏକ ନିଷ୍ଠୁର ପରିହାସ।
ତେବେ କ’ଣ ବାସ୍ତବରେ ଆମ ଅଲକ୍ଷ୍ୟରେ ସଂଘୀୟ ବ୍ୟବସ୍ଥାର ଅପମୃତ୍ୟୁ ହେବାକୁ ଯାଉଛି! ନିର୍ବାଚନରେ ‘ବିପୁଳ’ ବିଜୟ ତ ସମ୍ଭବ ହେଉଛି ସରକାରମାନଙ୍କର ‘ଉଦାରବାଦ’ ନାଁରେ କର୍ପୋରେଟ୍‌ ପ୍ରୀତିର ପ୍ରାବଲ୍ୟ ମଧ୍ୟରେ। କର୍ପୋରେଟ୍‌ମାନେ ତାଙ୍କ ବିପୁଳ ଅର୍ଥ, ମିଡିଆ ଜଗତ, ପବ୍ଲିକ୍‌ ରିଲେସନ୍‌ ଏଜେଣ୍ଟ ଓ ଡିଜିଟାଲ ଇଞ୍ଜିନିୟରମାନଙ୍କୁ ଆଣି ଥୋଇଦେଉଛନ୍ତି ସରକାରଙ୍କ ପାଖରେ। ଦୃଷ୍ଟିକୋଣରେ ଏକଦେଶଦର୍ଶିତା ଓ ବ୍ୟକ୍ତିପୂଜାରେ ଆକ୍ରାନ୍ତ ଆଜି ଆମ ସମାଜ ବ୍ୟବସ୍ଥା। ଏସବୁର ଫେନିଳ ଉଦ୍ଦାମତା ଭିତରେ ଫୁଟି ଦେଖାଯିବାକୁ ଲାଗିଲାଣି ସତେ ଯେପରି ଏକ ଅପସୃୟମାଣ ସାମନ୍ତବାଦର ଚିତ୍ର। ସଂଘୀୟ ଗଣତନ୍ତ୍ର ନଁାରେ ଏକ ‘ଅଟୋକ୍ରାଟିକ୍‌ ପପୁଲିଜିମ୍‌’। ଶକ୍ତିଶାଳୀ କେନ୍ଦ୍ର ନାଁରେ ସମ୍ବିଧାନ ନିର୍ମାତାଙ୍କର ସୁସ୍ଥ ସଂଘୀୟ ସ୍ବପ୍ନର ମୃତ୍ୟୁ ଘଟୁଛି! ସାଧାରଣ ଲୋକଙ୍କର ସ୍ବପ୍ନ ମଧ୍ୟ ହଜିଯାଉଛି କେବଳ ନେତାଙ୍କର ବର୍ଣ୍ଣାଢ଼୍ୟ ପ୍ରଗଲ୍ଭତା ଓ ନିଷ୍ଫଳ ଆଡ଼ମ୍ବର ଭିତରେ।

ହେମେନ୍ଦ୍ର ନାରାୟଣ ଦାସ
ଦୂରଭାଷ: ୯୪୩୭୪୧୦୭୨୨

dr.hemendra.das@gmail.com

Comments are closed.