ମୁଖ୍ୟମନ୍ତ୍ରୀ ଓ ଜିନ୍ଦଲ ଷ୍ଟେନଲେସ୍ର ଏମଡିଙ୍କ ଦ୍ବାରା ଶିଳ୍ପ ପାର୍କର ଭିତ୍ତିପ୍ରସ୍ତର

ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ରେ ଏକ ଉଲ୍ଲେଖନୀୟ ଉନ୍ନୟନ ମୂଳକ ପ୍ରକଳ୍ପ ଶୁଭାରମ୍ଭ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଜିନ୍ଦଲ ଷ୍ଟେନଲେସ୍ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ, ଅନଲାଇନ ଜରିଆରେ ଯାଜପୁରରେ ଏକ ଷ୍ଟେନଲେସ୍ ଷ୍ଟିଲ୍ ଶିଳ୍ପ ଭିତ୍ତିକ ପାର୍କର ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଦେଶୀୟ ଉତ୍ପାଦନକୁ ସଶକ୍ତ କରିବା ତଥା ଅପ୍ଷ୍ଟ୍ରିମ୍ ଓ ଡାଉନ୍ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ସଂଯୋଗକୁ ମଜଭୁତ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ । ଭାରତର ଏହି ପ୍ରଥମ ଷ୍ଟେନଲେସ୍ ଷ୍ଟିଲ୍ ଶିଳ୍ପ ପାର୍କ ହେବା ଫଳରେ ପୂର୍ବ ଭାରତରେ ଖଣିଜ ଦ୍ରବ୍ୟ ଉତ୍ପାଦନ ଓ ଚାହିଦା ବଢ଼ିବ ବୋଲି ଆଶା କରାଯାଉଛି। ୬ ବର୍ଷ ଭିତରେ ଦୁଇଟି ପର୍ଯ୍ୟାୟରେ ଏହି ଶିଳ୍ପ ପାର୍କ ସ୍ଥାପନ ପାଇଁ ଯୋଜନା ରହିଛି । ଏଥିରେ ୧୫୦୦ କୋଟି ଟଙ୍କା ବିନିଯୋଗ କରାଯିବ । ଷ୍ଟେନଲେସ୍ ଷ୍ଟିଲ୍ ଶିଳ୍ପ କ୍ଷେତ୍ରରେ ପାର୍କଟି ଏକ ବଳିଷ୍ଠ ଭୂମିକା ନିର୍ବାହ କରିବ । ଏହା ୧୦୦ରୁ ଅଧିକ ଡାଉନ୍ଷ୍ଟ୍ରି ମ୍ ଓ ସହାୟକ କମ୍ପାନୀକୁ ମଧ୍ୟ ପ୍ରୋତ୍ସାହିତ କରିବ । ଏହିଅବସରରେ ଜିନ୍ଦଲ ଷ୍ଟେନଲେସ୍ ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, “ବିଶ୍ୱସ୍ତରୀୟ ଷ୍ଟେନଲେସ୍ ଷ୍ଟିଲ୍ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ନାମକୁ ଆହୁରି ଉଜ୍ଜ୍ୱଳ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ଏହି ଶିଳ୍ପ ପାର୍କ କଂଚାମାଲରୁ ଉତ୍ପାଦିତ ଦ୍ରବ୍ୟ ପର୍ଯ୍ୟାୟ ପର୍ଯ୍ୟନ୍ତ ଥିବା ସମସ୍ତ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବ । ଏହାସହ ନବୀକରଣ ଶକ୍ତି, ଜଳ ଏବଂ ଦକ୍ଷ ମାନବସମ୍ବଳ ପରି ଉପଯୋଗୀ ସେବା ମଧ୍ୟ ରହିବ । ଏହି ମାନଦଣ୍ଡ ଷ୍ଟେନଲେସ୍ ପାର୍କକୁ ଅଧିକ ଆକର୍ଷଣୀୟ କରିବା ସହ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ପ୍ଲାଂଟ ପ୍ରତିଷ୍ଠାରେ ସହାୟକ ହେବ । ଯାଜପୁର ଶାଖାରେ ୨୦୨୩ ଆର୍ଥିକ ବର୍ଷ ସୁଦ୍ଧା ମେଲ୍ଟ ଦକ୍ଷତା ୧.୧ ମେଟ୍ରିକ୍ ଟନ ରୁ ୨.୧ ମେଟ୍ରିକ୍ ଟନ୍ ଅର୍ଥାତ୍ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛି କମ୍ପାନୀ । ‘ଆତ୍ମନିର୍ଭର ଭାରତ’ ପଦକ୍ଷେପରେ ଜିନ୍ଦଲ ଷ୍ଟେନଲେସର ଏହି ଶିଳ୍ପ ପାର୍କ ବିଭିନ୍ନ ଶିଳ୍ପ ଯଥା, ଔଷଧ, ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଏକ ଆଖିଦୃଶିଆ ଅଂଶଗ୍ରହଣର ସୁଯୋଗ ସୃଷ୍ଟି କରିବ ।
Comments are closed.