ଇତି ଅଠର ; ‘ମେକ୍‍ ଇନ୍‍ ଇଣ୍ଡିଆ’ ପ୍ରତି ଧକ୍କା

ପୁଣ୍ୟ-ପାପ, ସତ-ମିଛ, ସୁଖ-ଦୁଃଖ, ପ୍ରଶଂସା-ନିନ୍ଦା ପରି ବହୁ ବିପରୀତଧର୍ମୀ ତତ୍ତ୍ୱର ସମାହାରରେ ଗଢ଼ା ଏ ଜଗତରେ ସବୁବେଳେ ପ୍ରଥମ ଶବ୍ଦର ବଇରି ଭାବେ ଦ୍ୱିତୀୟ ଶବ୍ଦଗୁଡ଼ିକ ପରିଚୟ ପାଇ ଆସିଛି। ଏହି କ୍ରମରେ ଯଦି ପଚରାଯାଏ ‘ଭଲ’ର ଶତ୍ରୁ କିଏ ତେବେ ନିର୍ଦ୍ବନ୍ଦ୍ବରେ ଏହାର ଉତ୍ତର ହେବ ‘ମନ୍ଦ’। ପରିବର୍ତ୍ତିତ ପ୍ରତିଯୋଗିତାପୂର୍ଣ୍ଣ ପରିସ୍ଥିତିରେ କିନ୍ତୁ ଏହି ଧାରାରେ ବ୍ୟତିକ୍ରମ ଆସିଛି। ‘ମନ୍ଦ’ ନୁହେଁ, ବରଂ ‘ଉତ୍ତମ’ ହିଁ ‘ଭଲ’ର ଶତ୍ରୁ ଭାବେ ପରିଗଣିତ ହେଉଛି। ପ୍ରାଥମିକ ଶିକ୍ଷାରୁ ଆରମ୍ଭ କରି ବୃତ୍ତିଗତ ବା ପେସାଦାର ଜୀବନରେ ଏଭଳି ଅନେକ ଅନୁଭୂତି ଓ ଅଭିଜ୍ଞତା ଉପଲବ୍ଧ। ଯଦି ଜଣେ ଉତ୍ତମ ଛାତ୍ର କୌଣସି ଶିକ୍ଷାନୁଷ୍ଠାନରେ ନାମ ଲେଖାନ୍ତି ତେବେ ଶ୍ରେଣୀରେ ପୂର୍ବରୁ ‘ଭଲ’ ମାନ୍ୟତା ପାଇ ଆସୁଥିବା ଛାତ୍ରଟି ସେହି ଉତ୍ତମ ଛାତ୍ରର ପ୍ରଥମ ଶତ୍ରୁ ହୋଇଯାଆନ୍ତି। ସେହିଭଳି ଜଣେ ଉତ୍ତମ କର୍ମଚାରୀ କୌଣସି ଅନୁଷ୍ଠାନରେ ପ୍ରବେଶ କରିବା ପରେ ତାଙ୍କର ପ୍ରଥମ ଶତ୍ରୁ ହୋଇଯାଆନ୍ତି ସେହି ଅନୁଷ୍ଠାନର ତଥାକଥିତ ଭଲ କର୍ମଚାରୀ ଜଣକ। କହିବା ବାହୁଲ୍ୟ ଏ ସବୁ ପଛରେ ଥାଏ କେବଳ ମାନ୍ୟତା ଓ ଗୌରବ ହରାଇବାର ଭୟଜନିତ ଈର୍ଷାପରାୟଣତା ବା ହୀନମନ୍ୟତା। ଏବେ ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଭାରତୀୟ ଲୋକୋମୋଟିଭ୍‍ ଶିଳ୍ପରେ ଆଲୋଡ଼ନ ସୃଷ୍ଟି କରିଥିବା ‘ଟ୍ରେନ୍‍ ୧୮’ ବା ‘ବନ୍ଦେ ଭାରତ ଏକ୍ସପ୍ରେସ୍‍’ କ୍ଷେତ୍ରରେ।
ଭାରତରେ ଯେତେବେଳେ ଜାପାନ୍‍ ନିର୍ମିତ ବୁଲେଟ୍‍ ଟ୍ରେନ୍‍ ଚଳାଚଳର ପରିକଳ୍ପନା କରାଯାଉଥିଲା ସେତେବେଳେ ଚେନ୍ନଇସ୍ଥିତ ଇଣ୍ଟିଗ୍ରାଲ୍‍ କୋଚ ଫ୍ୟାକ୍ଟ୍ରିର ବୈଜ୍ଞାନିକମାନେ ସ୍ୱଦେଶୀ ଜ୍ଞାନକୌଶଳରେ ସେମି-ସୁପରଫାଷ୍ଟ ଟ୍ରେନ୍‍ ଇଞ୍ଜିନ ନିର୍ମାଣ ପାଇଁ ଅନୁମତି ମାଗିଥିଲେ, କିନ୍ତୁ ସର୍ତ୍ତ ଥିଲା ଯେ କୌଣସି ଆନ୍ତଃବିଭାଗୀୟ ଜଟିଳତା କିମ୍ବା ଚାପ ସେମାନଙ୍କ ଉପରେ ରହିବ ନାହିଁ। ଅନୁମତି ମିଳିବା ପରେ ଆଶ୍ଚର୍ଯ୍ୟଜନକ ଭାବେ ମାତ୍ର ୧୮ ମାସରେ ଏହି ଟିମ୍‍ ସେମାନଙ୍କ ଲକ୍ଷ୍ୟ ପୂରଣ କରିଦେଲେ। ଘଣ୍ଟାକୁ ୧୬୦ କିମିରୁ ୨୦୦ କିମି ବେଗରେ ଗତି କରିପାରୁଥିବା ଏହି ଟ୍ରେନ୍‍ ନିର୍ମାଣର ଖର୍ଚ୍ଚ ବିଶ୍ୱସ୍ତରୀୟ ନିର୍ମାଣ ଖର୍ଚ୍ଚ ତୁଳନାରେ ୪୦% କମ୍‍ ଥିଲା। ଟ୍ରେନ୍‍ରେ ବ୍ୟବହୃତ ଯନ୍ତ୍ରପାତି ଓ ଉପକରଣର ୮୦% ଭାରତରେ ନିର୍ମାଣ କରାଯାଇଥିଲା। ଟିମ୍‍ର କାର୍ଯ୍ୟଦକ୍ଷତା, ନିଷ୍ଠା ଓ ପ୍ରତିଶ୍ରୁତିବଦ୍ଧତାକୁ ସମ୍ମାନ ଜଣାଇ ଟ୍ରେନ୍‍ର ନାମ ରଖାଗଲା ‘ଟ୍ରେନ୍‍ ୧୮’(ଅନ୍ୟ କେତେକଙ୍କ ମତରେ ୨୦୧୮ରେ ପ୍ରକଳ୍ପ ଆରମ୍ଭ ହୋଇଥିବାରୁ ଟ୍ରେନ୍‍ ୧୮ ନାମରେ ନାମିତ କରାଯାଇଛି)। ପରବର୍ତ୍ତୀ ସମୟରେ ତାହା ‘ବନ୍ଦେ ଭାରତ ଏକ୍ସପ୍ରେସ୍‍’ ନାମରେ ନାମିତ ହେଲା। ଦିଲ୍ଲୀ-ବାରାଣସୀ ରେଳପଥରେ ପ୍ରଥମ ‘ବନ୍ଦେ ଭାରତଏକ୍ସପ୍ରେସ୍‍’କୁ ଉଦ୍‍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ‘ମେକ୍‍ ଇନ୍‍ ଇଣ୍ଡିଆ’ର ପ୍ରତୀକ ଓ ସଫଳ ଉଦାହରଣ ଭାବେ ଅଭିହିତ କରିଥିଲେ। ସଫଳତା ଆଧାରରେ ସେଭଳି ଆଉ ୧୦୦ଟି ଏବଂ ଆଗାମୀ ୩ ବର୍ଷ ମଧ୍ୟରେ ୪୦ଟି ଟ୍ରେନ୍‍ ନିର୍ମାଣ ହେବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ୍‍ ଘୋଷଣା କରିଥିଲେ। ଏପରିକି ଗତ ବର୍ଷ ହିଁ ଦୁଇ ଦୁଇଟି ଟ୍ରେନ୍‍ ନିର୍ମାଣ ପାଇଁ ତତ୍କାଳ ଅନୁମତି ମିଳିବା ସହିତ କାମ ଆରମ୍ଭ ହୋଇଥିଲା।
ଏହି ଉତ୍ସାହ, ଉଦ୍ୟମ ଓ ପ୍ରକ୍ରିୟାରେ ହଠାତ୍‍ ଭଟ୍ଟା ପଡ଼ିଲା ଯେତେବେଳେ ‘ଟ୍ରେନ୍‍ ୧୮’ ନିର୍ମାଣକାରୀ ଟିମ୍‍ର ୮ଜଣ ଉଚ୍ଚ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ନିବାରଣ ବିଭାଗ ତଦନ୍ତ ଆରମ୍ଭ କରିଦେଲା। ବୋଧହୁଏ ଏହା ଯଥେଷ୍ଟ ନଥିଲା। ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଡିଜାଇନ୍‍ ଓ ନିର୍ମାଣ ପ୍ରକ୍ରିୟା ରାଏବରେଲିସ୍ଥିତ ମଡର୍ଣ୍ଣ କୋଚ୍‍ ଫ୍ୟାକ୍ଟ୍ରିକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ଆରମ୍ଭ ହେଲା। ଏହି ଷଡ଼ଯନ୍ତ୍ରର ସୂଚନା ପାଇବା ପରେ ଗତ ବର୍ଷ ମାର୍ଚ୍ଚ ମାସରେ ଶ୍ରମିକ ସଂଗଠନଗୁଡ଼ିକ ଧର୍ମଘଟ ଆରମ୍ଭ କରିଦେଲେ। ଅବଶ୍ୟ ସ୍ଥାନାନ୍ତର ନ କରିବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଥିଲା, କିନ୍ତୁ ତା’ ପରେପରେ ଆରମ୍ଭ ହୋଇଗଲା ବିଭାଗୀୟ ମଞ୍ଜୁରି ବ୍ୟବସ୍ଥା। ନିମ୍ନମାନର ଉପକରଣ ଯୋଗାଣ ଓ ଟେଣ୍ଡର ପ୍ରକ୍ରିୟାରେ ଅହେତୁକ ଅନୁକମ୍ପା ଅଭିଯୋଗରେ ରେଳ ବିଭାଗର ଗବେଷଣା ଶାଖା ‘ରିସର୍ଚ୍ଚ ଡିଜାଇନ୍‍ ଆଣ୍ଡ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍‍’ ଦ୍ୱାରା ପ୍ରାୟ ୩୭ଟି ବନ୍ଦେ ଭାରତ ଏକ୍ସପ୍ରେସ୍‍ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରୁ ସମସ୍ତ ଭାରତୀୟ କମ୍ପାନୀଙ୍କୁ ବାଦ୍‍ ଦିଆଗଲା। ଶେଷରେ ବିଶ୍ୱସ୍ତରୀୟ ଟେଣ୍ଡର ପାଇଁ ନିଷ୍ପତ୍ତି ହୋଇଛି।
ଇଣ୍ଟିଗ୍ରାଲ୍‍ କୋଚ୍‍ ଫ୍ୟାକ୍ଟ୍ରି ଦ୍ୱାରା ନିର୍ମିତ ଓ କାର୍ଯ୍ୟକ୍ଷମ ଦୁଇଟି ‘ବନ୍ଦେ ଭାରତ ଏକ୍ସପ୍ରେସ୍‍’(ଦିଲ୍ଲୀ-ବାରାଣସୀ ଓ ଦିଲ୍ଲୀ-କାରତାର)ରେ ଏ ପର୍ଯ୍ୟନ୍ତ କୌଣସି ତ୍ରୁଟି ପରିଲକ୍ଷିତ ହୋଇନାହିଁ। ତଥାପି ସେମାନଙ୍କ ହାତରୁ ସେହି କ୍ଷମତା କାଢ଼ି ନିଆଗଲା କାହିଁକି? ଉନ୍ନତ ମାନର ଉପକରଣ ପାଇଁ ଟେଣ୍ଡରରେ ସର୍ତ୍ତ ଉଲ୍ଲେଖ କରାଯାଇପାରିଥାନ୍ତା, କିନ୍ତୁ ତା’ ବଦଳରେ ବିଶ୍ୱସ୍ତରୀୟ ଟେଣ୍ଡର ପାଇଁ ନିଷ୍ପତ୍ତି ‘ମେକ୍‍ ଇନ୍‍ ଇଣ୍ଡିଆ’ ପ୍ରତି ଶକ୍ତ ଧକ୍କା ନୁହେଁ କି? ଯଦିବା ଦୁର୍ନୀତି ହୋଇଥାଏ ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ସମ୍ପୂର୍ଣ୍ଣ ପ୍ରକଳ୍ପ ସ୍ଥଗିତ ରଖିବା ଯୁକ୍ତିଯୁକ୍ତ କି ?- ଏଭଳି ଅନେକ ପ୍ରଶ୍ନ ଉଠୁଛି। ଏ ସବୁ ପ୍ରଶ୍ନର ମାତ୍ର ଦୁଇଟି ଉତ୍ତର ହୋଇପାରେ। ପ୍ରଥମତଃ, ‘ଭଲର ଶତ୍ରୁ ଉତ୍ତମ’ ନ୍ୟାୟରେ ଈର୍ଷାପରାୟଣତା। ଯଦି ମାତ୍ର ୧୮ ମାସ ମଧ୍ୟରେ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଭଳି ଅତ୍ୟାଧୁନିକ ଇଞ୍ଜିନ୍‍ ଯୁକ୍ତ ଟ୍ରେନ୍‍ ନିର୍ମାଣ ପାଇଁ ରେଳ ମନ୍ତ୍ରାଳୟର ଗୋଟିଏ ଶାଖା ସକ୍ଷମ ତେବେ ଅନ୍ୟ ଶାଖା ଓ ବିଶେଷଜ୍ଞ ଏତେଦିନ ଯାଏ ତାହା କରିପାରୁନଥିଲେ କାହିଁକି- ଏହି ଅଭିଯୋଗ ଆସିବା ସ୍ୱାଭାବିକ। ତେଣୁ ‘ଟ୍ରେନ୍‍ ୧୮’ ଟିମ୍‍କୁ ଦୁର୍ନୀତି ଆରୋପରେ ଛନ୍ଦି ଦେଲେ ସେମାନଙ୍କ ସଫଳତା ଲୁଚି ଯିବ। ଅନ୍ୟ ଉପରିସ୍ଥ ଅଧିକାରୀଙ୍କୁ ଆଉ ଅଭିଯୋଗ କିମ୍ବା ହୀନମନ୍ୟତାର ସମ୍ମୁଖୀନ ଦେବାକୁ ପଡ଼ିବ ନାହିଁ। ଦ୍ୱିତୀୟତଃ, ରେଳ ମନ୍ତ୍ରାଳୟ ଅଧୀନରେ ଥିବା ୮ଟି ବିଭାଗରୁ ଗୋଟିଏ ଅନ୍ୟ ସହିତ ସଂଯୋଜିତ ଅଥଚ ସ୍ୱୟଂପରିଚାଳିତ। ଅର୍ଥାତ୍‍ ଗୋଟିଏ ବିଭାଗ ଅନ୍ୟ ପାଇଁ ସୁପାରିସ କରିପାରିବ, କିନ୍ତୁ ସ୍ୱାଧୀନ ଭାବେ କୌଣସି ନିଷ୍ପତ୍ତି ନେଇପାରିବ ନାହିଁ କି ତ୍ରୁଟିବିଚ୍ୟୁତି ପାଇଁ ଉତ୍ତରଦାୟୀ ରହିବ ନାହିଁ। ଏହି ଜଟିଳତାକୁ ଏଡ଼ାଇ ଲକ୍ଷ୍ୟରେ ସଫଳ ହୋଇଥିବା ‘ଟ୍ରେନ୍‍ ୧୮’ ଟିମ୍‍ ଶେଷରେ ସେହି ପ୍ରକ୍ରିୟାର ଶିକାର ହେଲା। ଭବିଷ୍ୟତରେ ‘ବନ୍ଦେ ଭାରତ ଏକ୍ସପ୍ରେସ’ ତ ନିର୍ମାଣ ହେବ, କିନ୍ତୁ ‘ଟ୍ରେନ୍‍ ୧୮’ ସଫଳତାର ଇତିହାସ ସବୁଦିନ ପାଇଁ ଇତି ହୋଇଯିବ। ହୁଏତ ଆଗାମୀ ଦିନରେ ‘ଟ୍ରେନ୍‍ ୧୮’ ଆହୁରି ଅତ୍ୟାଧୁନିକ ରୂପ ପାଇବ। ଅଥଚ ତାହା ସମ୍ଭବ ହେବ ବିଦେଶୀ ଜ୍ଞାନକୌଶଳରେ। ‘ମେକ୍‍ ଇନ୍‍ ଇଣ୍ଡିଆ’ ସ୍ଲୋଗାନ୍‍ ପ୍ରତି ଏହା ଉପହାସ ନୁହେଁ କି ?

Comments are closed.