ବନ୍ଧୁତ୍ବର ନିଆରା ପରମ୍ପରା ମକର; ଜାଣନ୍ତୁ ମକର ଚାଉଳର ପ୍ରସ୍ତୁତି ପ୍ରଣାଳୀ

ବର୍ଷକରେ ପଡୁଥିବା ୧୨ଟି ସଂକ୍ରାନ୍ତିର ଭିନ୍ନଭିନ୍ନ ମହତ୍ତ୍ବ ରହିଛି। ଓଡିଶାରେ ସଂକ୍ରାନ୍ତିଗୁଡିକୁ ନେଇ ନିଆରା ପରମ୍ପରା ରହିଛି। ଓଡିଆ ପରମ୍ପରା ଅନୁଯାୟୀ ଯେପରି ପଣା ସଂକ୍ରାନ୍ତିରେ ଭଗବାନଙ୍କ ନିକଟରେ ପଣା ଓ ଧନୁ ସଂକ୍ରାନ୍ତିରେ ମୁଆଁ ଭୋଗ ଲଗାଯାଏ, ଠିକ୍ ସେହିପରି ମକର ସଂକ୍ରାନ୍ତିରେ ମଧ୍ୟ ମକର ଚାଉଳ ପ୍ରସ୍ତୁତ କରାଯାଇ ଭୋଗ ଲଗାଯାଏ। ଏହି ଚାଉଳକୁ ବନ୍ଧୁ ପରିଜନରେ ମଧ୍ୟ ବଣ୍ଟନ କରାଯାଏ। ଅନ୍ୟ କେତେକ ସ୍ଥାନରେ ଖେଚୁଡି ପ୍ରସ୍ତୁତିର ପରମ୍ପରା ରହିଛି।
ମକର ଚାଉଳକୁ ନେଇ ଓଡିଶାରେ ଅନ୍ୟ ଏକ ନିଆର ପ୍ରଥା ରହିଛି। ଏହି ଚାଉଳ ବନ୍ଧୁତ୍ୱର ସମ୍ପର୍କକୁ ମଜବୁତ୍‍ କରେ ବୋଲି ବିଶ୍ବାସ ରହିଛି। ତେଣୁ ମକର ସଂକ୍ରାନ୍ତି ଦିନ ବନ୍ଧୁମାନେ ପରସ୍ପର ମକର ଚାଉଳ ଖୁଆଇ ମକର ବସିଥାନ୍ତି। ଅର୍ଥାତ୍ ପରସ୍ପରକୁ ମକର ବୋଲି ସମ୍ବୋଧନ କରିଥାନ୍ତି। ତେବେ ଆସନ୍ତୁ ଏହି ମକର ଚାଉଳ ପ୍ରସ୍ତୁତିର ପ୍ରଣାଳୀ ବିଷୟରେ ଜାଣିବା….

ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, କ୍ଷୀର, କୋରା ନଡ଼ିଆ, ପାଚିଲା କଦଳୀ, ଚିନି, ଗୋଲ ମରିଚ ଓ ଗୁଜୁରାତି ଗୁଣ୍ଡ, ଛେନା, ରସଗୋଲା, ଅଳ୍ପ ଗୁଡ଼ ଓ ସରୁ ସରୁ କଟା ହୋଇଥିବା ଅଦା। ଆପଣ ଚାହିଁଲେ ଏଥିରେ ସେଓ, ଡାଳିମ୍ବ, କମଳା ଓ ଅଙ୍ଗୁର ଆଦି ଫଳ ଛୋଟ ଛୋଟ ଖଣ୍ଡରେ କାଟି କରି ପକାଇ ପାରିବେ।

ପ୍ରସ୍ତୁତି ପ୍ରଣାଳୀ: ମକର ଚାଉଳ ପ୍ରସ୍ତୁତ କରିବା ପାଇଁ ଅରୁଆ ଚାଉଳକୁ ପାଣିରେ ଭିଜାଇ ରଖନ୍ତୁ। ଅଧ ଘଣ୍ଟା ବା ଘଣ୍ଟାଏ ଭିଜିବା ପରେ ଚାଉଳକୁ ପାଣିରୁ ଛାଣି ଆଣି ଏକ ପାତ୍ରରେ ରଖନ୍ତୁ। ବର୍ତ୍ତମାନ ଏଥିରେ କ୍ଷୀର, ଛେନା, କୋରା ନଡ଼ିଆ, ଚିନି, କଟା ଯାଇଥିବା ଫଳ, ଗୋଲମରିଚ ଗୁଣ୍ଡ ଓ ଅଦା ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ସୁସ୍ବାଦ ଏବଂ ସଜାଇବା ପାଇଁ ଏଥିରେ କାଜୁ, କିସ୍‌ମିସ୍ ଓ ଚେରି ପକାଇ ପାରିବେ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ମକର ଚାଉଳ। ଏହାକୁ ନିଜେ ଖାଆନ୍ତୁ, ଅନ୍ୟମାନଙ୍କୁ ଖୁଆନ୍ତୁ ଏବଂ ଏହାର ମଜା ନିଅନ୍ତୁ।

Comments are closed.