ଗୁପ୍ ଚୁପ୍ ବ୍ୟବସାୟୀଙ୍କୁ ଗୁଳିମାଡ଼ ମାମଲା : ଅଭିଯୁକ୍ତ ଗିରଫ

ବ୍ରହ୍ମପୁର  : ପୋଲସରା ଥାନା ଅନ୍ତର୍ଗତ ରୁମାଗଡ଼ ଓ ମନ୍ଦାର ରାସ୍ତାର ଡ଼ିମିରିପଲ୍ଲୀ ଛକ ନିକଟରେ ଜଣେ ଗୁପଚୁପ ବିକାଳିଙ୍କୁ ଗୁଳି ମାଡ଼ ଘଟଣାରେ ପୁଲିସ ରବିବାର ଅଭିଯୁକ୍ତ ବିକାଶ ସିଂହକୁ ଗିରଫ କରିବା ସହ ତା’ ନିକଟରୁ ପିସ୍ତଲ ଓ ଦୁଇଟି ଗୁଳି ଜବତ କରିଛି। ଗୁଳି ମାଡ଼ରେ ଆହତ ଗୁପଚୁପ ବ୍ୟବସାୟୀ ବିହାର ଅଞ୍ଚଳର ଧ୍ୟାନେନ୍ଦ୍ର ସିଂଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇ ଥିଲା। ଅବସ୍ଥା ଗୁରୁତର ହେବାରୁ ସେଠାକାର ଡାକ୍ତର କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଶନିବାର ସନ୍ଧ୍ୟାରେ ବିକାଶ ତା’ର ବନ୍ଧୁ ଧ୍ୟାନେନ୍ଦ୍ରକୁ ବାହା ଘର ଭୋଜିରେ ଗୁପଚୁପ ଯୋଗାଇବା କଥା ହେବା ବାହାନା କରି ରୁମାଗଡ଼ ଗାଁକୁ ଡାକି ନେଇ ରାସ୍ତାରେ ଅତି ନିକଟରୁ ଧ୍ୟାନେନ୍ଦ୍ରକୁ ଗୁଳି କରିଥିଲା। ଧ୍ୟାନେନ୍ଦ୍ରଙ୍କ ପେଟରେ ଗୁଳି ବାଜି ଥିଲେ ହେଁ ବାଇକ ଚଳାଇ କଷ୍ଟେ ମଷ୍ଟେ ବାଲିପଦର ପଳାଇଆସି ଥିଲେ । ସେଠାରେ ପହଂଚିବା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ନିଆ ଯାଇଥିଲା l ଧ୍ୟାନେନ୍ଦ୍ର ବାଲିପଦର ହନୁମାନ ବଜାର ନିକଟରେ ଘର ଭଡା ନେଇ ରହି ଗୁପଚୁପ ବେପାର କରୁଥିଲା। ସେଠାରେ ଜଣେ ବିବାହିତା ମହିଳାଙ୍କ ସହ ଗଢିଉଠିଥିବା ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ପ୍ରତିଶୋଧ ନେବା ପାଇଁ ବିକାଶ ମଝିରେ ବିହାର ଯାଇ ପିସ୍ତଲ କିଣି ସୁଯୋଗ ଅପେକ୍ଷାରେ ଥିଲା। ଶନିବାର ରୁମାଗଡ଼ ଡାକିନେଇ ଏଭଳି କାଣ୍ଡ ଭିଆଇ ଥିଲା l ତେବେ ଘଟଣା ସ୍ଥଳକୁ ନେଇ ପୋଲସରା ଓ ବୁଗୁଡ଼ା ପୋଲିସ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜି ଥିବା ବେଳେ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇ ମାପ ଚୁପ କଲା ପରେ ପୋଲସରା ଥାନା ଇଲାକାର ଘଟଣା ବୋଲି ଜଣା ପଡିବା ପରେ ଅଭିଯୁକ୍ତକୁ ପୋଲସରା ପୁଲିସ ହେପାଜତରେ ରଖି ପଚରା ଉଚରା ଜାରି ରଖିଛି l

Comments are closed.