ଟେଷ୍ଟ ମାନ୍ୟତାରେ ରୁଟ୍‌ଙ୍କୁ ପଛରେ ପକାଇ ପାରିବେ ଆଜମ୍‌ : ଜୟବର୍ଦ୍ଧନେ

ଦୁବାଇ: ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଇଂଲଣ୍ଡର ଜୋ ରୁଟ୍‌ ଶୀର୍ଷ ସ୍ଥାନରେ ରହିଛନ୍ତି। ଗତ ଜୁନ୍‌ରୁ ସେ ଶୀର୍ଷ ସ୍ଥାନରେ ରହିଥିବା ବେଳେ ତାଙ୍କୁ ସ୍ଥାନଚ୍ୟୁତ କରିବାର ଦକ୍ଷତା ପାକିସ୍ତାନ କ୍ରିକେଟ୍‌ ଦଳର ଅଧିନାୟକ ବାବର ଆଜମ୍‌ଙ୍କ ନିକଟରେ ରହିଥିବା ଗଣମାଧ୍ୟମକୁ କହିଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍‌ ମାହେଲା ଜୟବର୍ଦ୍ଧନେ। କ୍ରିକେଟ୍ ସଂପର୍କିତ ଏକ କାର୍ଯ୍ୟକ୍ରମରେ ଜୟବର୍ଦ୍ଧନେ ଯୋଗ ଦେଇଥିବା ବେଳେ ରୁଟ୍‌ଙ୍କୁ ସ୍ଥାନଚ୍ୟୁତ କରିବାର ଦକ୍ଷତା କାହାର ଅଛି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ବର୍ତ୍ତମାନ ସମୟରେ ଆଜମ୍‌ ୩ଟି ଯାକ ଫର୍ମାଟ୍‌ରେ ବେଶ୍‌ ଭଲ ପ୍ରଦର୍ଶନ କରୁଛନ୍ତି। ଯାହାକି ତାଙ୍କ ମାନ୍ୟତାରେ ପ୍ରତିଫଳିତ ହେଉଛି। ​ସେ ସବୁ ପ୍ରକାର ପିଚ୍‌ରେ ଭଲ ବ୍ୟାଟିଂ କରୁଥିବାରୁ ରୁଟ୍‌ଙ୍କୁ ପଛରେ ପକାଇବା ଦକ୍ଷତା ତାଙ୍କ ନିକଟରେ ରହିଛି। ଆଜମ୍‌ଙ୍କ ବ୍ୟାଟିଂ ଶୈଳୀକୁ ଜୟବର୍ଦ୍ଧନେ ଉଚ୍ଚ ପ୍ରଶଂସା କରିବା ସହ ପିଚ୍‌ରେ ଅଧିକରୁ ଅଧିକ ସମୟ ଅତିବାହିତ କରିବା ଫଳରେ ଆଜମ୍‌ ସଫଳତା ହାସଲ କରୁଥିବା ଜୟବର୍ଦ୍ଧନେ କହିଥିଲେ। ଏଥିସହ ଫର୍ମାଟ୍‌କୁ ଦୃଷ୍ଟିରେ ରଖି ନିଜ ବ୍ୟାଟିଂ ଶୈଳୀରେ ପରିବର୍ତ୍ତନ ଆଣିବାର ଦକ୍ଷତା ଯୋଗୁଁ ଆଜମ୍‌ ଜଣେ ସ୍ବତନ୍ତ୍ର ଶ୍ରେଣୀର ବ୍ୟାଟସମ୍ୟାନ୍‌ ମାନ୍ୟତା ପାଇବାକୁ ସକ୍ଷମ ହୋଇଥିବା ସେ କହିଛନ୍ତି।

Comments are closed.