ଗାନ୍ଧିଜୀ ଓ ମହାମାରୀ

୧୯୦୪ ମସିହା ମାର୍ଚ୍ଚ ମାସ ୧୮ ତାରିଖ। ଗାନ୍ଧିଜୀ ସେତେବେଳେ ଦକ୍ଷିଣ ଆଫ୍ରିକାର ଜୋହନ୍‌ସବର୍ଗରେ ପରିବାର ସହ ଥାଆନ୍ତି। ସନ୍ଧ୍ୟାରେ କସ୍ତୁରବାଙ୍କୁ ମୋହନଦାସ ଖବର ଦେଲେ, ‘ମୁଁ ଆଜି ଘରକୁ ଆସିପାରିନି। ପିଲାଙ୍କ ଯତ୍ନ ନେବ।’ ପୂର୍ବରୁ କେବେ ମୋହନଦାସ ରାତିରେ ବାହାରେ ଏକାକୀ ରହି ନଥିଲେ। ଦକ୍ଷିଣ ଆଫ୍ରିକାରେ ରାତିରେ ଏପରି ରହିବା ମୋହନ ଦାସଙ୍କ ପାଇଁ ଥିଲା ପ୍ରଥମ ଘଟଣା। କସ୍ତୁରବା ଆଶ୍ଚର୍ୟ୍ୟ ହୋଇଗଲେ। ମନରେ ଅନେକ ଦୁଶ୍ଚିନ୍ତା ଆସିଲା। ପିଲାଙ୍କୁ ରାତିରେ ଖାଇବାକୁ ଦେଇ ବା’ ଶୋଇବାକୁ ଗଲେ। ରାତିସାରା କିନ୍ତୁ ନିଦ ନଥିଲା କସ୍ତୁରବାଙ୍କର।
ସକାଳେ ମୋହନଦାସ ଘରକୁ ଫେରିଲେ। କସ୍ତୁରବା ପ୍ରଶ୍ନକଲେ, ‘କ’ଣ ହେଲା? କାଲି ରାତିରେ କେଉଁଠି ରହିଥିଲ? ମୋହନଦାସ ଉତ୍ତର ଦେଲେ,’ଭାରତୀୟ ଲୋକେସନରେ କଳା ପ୍ଲେଗ୍ ହୋଇଛି। ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଗଲାଣି। ଗତ ରାତିସାରା ମୁଁ ସେଠି ଥିଲି। ଭାରତୀୟ କୁଲି ରହୁଥିବା ବସ୍ତିକୁ ଲୋକେସନ କୁହାଯାଏ। କସ୍ତୁରବା ପୁଣି ପ୍ରଶ୍ନ କଲେ, ‘ଲୋକେସନରେ ଏ ପ୍ଲେଗ ଖବର କିଏ ଦେଲେ? ଗାନ୍ଧିଜୀ ଉତ୍ତରରେ ଏକ ବିସ୍ତୃତ ବିବରଣୀ ଦେଲେ-ଗତକାଲି ମଦନଜିତ୍ ଭାଇ ( ଇଣ୍ଡିଆନ ଓପନିଅନର ସମ୍ପାଦକ) ଲୋକେସନ ଯାଇଥିଲେ। ଖବର କାଗଜ ପାଇଁ ଗ୍ରାହକ ଯୋଗାଡ଼ କାର୍ଯ୍ୟକ୍ରମ ଥିଲା। ସେ ସେଠି ପ୍ଳେଗର ଦୃଶ୍ୟ ଦେଖିଲେ। ମଦନଜିତ ଭାଇ ମୋତେ ତୁରନ୍ତ ଲୋକେସନରେ ପହଞ୍ଚିବାକୁ ଖବରଦେଲେ। ମୁଁ ସାଇକଲରେ ଯାଇ ଏ ଖବର ଜୋହନ୍‌ସବର୍ଗ ମ୍ୟୁନିସିପାଲିଟି ଅଫିସରେ ଜଣେଇଲି ଏବଂ ମିଷ୍ଟର ଗଡଫ୍ରେଙ୍କୁ ନେଇ ବସ୍ତିରେ ପହଞ୍ଚି ଯାଇଥଲି। ଆମର ଚାରିଜଣ ମୋହରିରଙ୍କୁ ସେଠାରେ ଶୀଘ୍ର ପହଞ୍ଚିବାକୁ କହିଥିଲି।’
ମୋହନଦାସ ପୁଣି କହିଲେ, ଆମେ ସେଠାରେ ପହଞ୍ଚିବା ପୂର୍ବରୁ ମଦନଜିତ୍ ଗୋଟିଏ ଗୋଡାଉନ ଘରର ଚାବି ଭାଙ୍ଗି ଘରକୁ ଖାଲି କରିଦେଇଥିଲେ। ଆମେ ବସ୍ତିରୁ ସତରଞ୍ଜି ବେଡସିଟ ସଂଗ୍ରହ କରିଦେଇଥିଲୁ ଏବଂ ଲୋକେସନରୁ ଆକ୍ରାନ୍ତଙ୍କୁ ଆଣି ଏ ଘରେ ରଖିଦେଇଥିଲୁ। ଏ କାମ ରାତିସାରା ଲାଗିଥିଲା।’ କସ୍ତୁରବା ପୁଣି ପ୍ରଶ୍ନକଲେ ଏ ସେବାରେ ମୁଁ ତୁମକୁ ସାହାଯ୍ୟ କରିବାକୁ ସେଠାକୁ ଯାଇ ପାରିବିନି? ମୋହନଦାସ ମନାକଲେ। ଏତିକି କହିଲେ , ‘ହଁ ତମେ ଅନ୍ୟ ବସ୍ତିକୁ ଯାଇ ଲୋକଙ୍କୁ ରୋଗ ସଂପର୍କରେ ସଚେତନ କରିପାରିବ।’
ଠିକ୍ ତା’ ପରଦିନ ଠାରୁ କସ୍ତୁରବା ବସ୍ତିରୁ ବସ୍ତି ବୁଲି ଲୋକଙ୍କୁ ବିଶେଷକରି ମହିଳାମାନଙ୍କୁ ରୋଗର ଭୟାବହତା, ରୋଗର ଲକ୍ଷଣ ସଂପର୍କରେ ବୁଝେଇଥିଲେ ଏବଂ ନିଜ ଘରେ ସଂଗରୋଧରେ ରହି ପରିବେଶ ସ୍ୱଚ୍ଛ ରଖିବାକୁ କହିଥିଲେ। ଖୁବ୍ ଅଳ୍ପ ଦିନରେ ଭାରତୀୟ ବସ୍ତି ପ୍ଳେଗ ମୁକ୍ତ ହୋଇଥିଲା। ଆଜି କରୋନା ମହାମାରୀରେ ଭାରତ ସମେତ ସମଗ୍ର ବିଶ୍ବ ଆକ୍ରାନ୍ତ ହୋଇଥିବା ବେଳେ ବାପୁଜୀଙ୍କ ସେବା ପରାୟଣତା ସ୍ମରଣକୁ ଆସେ ଏବଂ ଆତ୍ମସମୀକ୍ଷା କରିବାର ଅବକାଶ ସୃଷ୍ଟି କରେ।

Comments are closed.