ସବୁ ସମସ୍ୟା ସମାଧାନର ଚାବିକାଠି ସତ୍ୟ ଓ ଅହିଂସା

ସୁରେନ୍ଦ୍ରନାଥ ନାୟକ

‘ସତ୍ୟ ହିଁ ସବୁଠାରୁ ସ୍ବଳ୍ପ ଓ ବିନା ସମ୍ବଳରେ ହାସଲ କରାଯାଇପାରେ। ସତ୍ୟ ହିଁ ଈଶ୍ବର ଓ ଶ୍ରମ ହେଉଛି ତାଙ୍କର ଉପାସନା। ସତ୍ୟ ନିକଟରେ ପହଞ୍ଚିବା ଅର୍ଥ ଈଶ୍ବରଙ୍କ ନିକଟରେ ପହଞ୍ଚିବା। ସତ୍ୟର ନିକଟତର ହେବାର ମାର୍ଗ ହେଉଛି ଅହିଂସା। ମନ, ବଚନ କର୍ମରେ ଯେ ଯେତେ ଅହିଂସ, ସେ ସତ୍ୟର ସେତେ ବଡ଼ ଉପାସକ। ସତ୍ୟ ହେଉଛି ବଜ୍ରଠାରୁ କଠିନ ଓ ପଦ୍ମଫୁଲର ପାଖୁଡ଼ା ପରି କୋମଳ। ସତ୍ୟ ସାଧନା ଲାଗି ଧନର ଲୋଡ଼ା ନାହିଁ, ଲୋଡ଼ା ଅଛି କେବଳ ସଂକଳ୍ପବଦ୍ଧ ମନର।’ ଏ ଉକ୍ତି ହେଉଛି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର। ବାପୁ ୧୮୬୯ ମସିହାରେ ପୋରବନ୍ଦର ଠାରେ ଜନ୍ମ ଗ୍ରହଣ କରିଥିଲେ।

ଗାନ୍ଧୀ ପୁଣି ଏକ ଲଢ଼େଇର ସମ୍ମୁଖୀନ ହେଲେ। କେତେଦିନ ମଧ୍ୟରେ ସେ ଜାଣିଲେ ଯେ ମୁସଲମାନ ବେପାରୀମାନେ ନିଜକୁ ଆରବୀ ପରିଚୟ ଦେଉଥିବା ବେଳେ ଉତ୍ତର ଭାରତୀୟ ଓ ଦକ୍ଷିଣ ଭାରତୀୟ ତେଲୁଗୁମାନେ ଖିରିମିଟିଆ ଅର୍ଥ ଏଗ୍ରିମେଣ୍ଟରେ କୁଲି ଭାବରେ ଆସିଛନ୍ତି। ସେମାନଙ୍କୁ ଇଂରେଜମାନେ କୁଲି ବୋଲି ଡାକୁଥିଲେ। ସେହିମାନଙ୍କ ସମସ୍ୟା ଓ ମକଦ୍ଦମା ଗାନ୍ଧୀ ବୁଝିବା ଉଚିତ ମନେକରି ସହାୟତା ଦେବା ଯୋଗୁଁ ଗୋରାବାବୁମାନେ ତାଙ୍କୁ ବିଦ୍ରୂପ କରି କୁଲି ବାରିଷ୍ଟର ଡାକିବାକୁ କୁଣ୍ଠାବୋଧ କଲେ ନାହିଁ। ଗାନ୍ଧୀଙ୍କ ପଗଡ଼ି କଢ଼ା ଘଟଣାଟି ଖବର କାଗଜରେ ପ୍ରକାଶ ପାଇଲା। ସହଜରେ ଦକ୍ଷିଣ ଆଫ୍ରିକାରେ ତାଙ୍କର ଖ୍ୟାତି ବଢ଼ିଗଲା। କେହି କେହି ଗାନ୍ଧୀଙ୍କ ସପକ୍ଷରେ ଗଲେ ତ ଆଉ କେତେକ ତାଙ୍କର ଉଦ୍ଧତପଣିଆକୁ ନିନ୍ଦାକଲେ। ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଙ୍କ ରହିବା ଶେଷ ପର୍ଯ୍ୟନ୍ତ ତାଙ୍କ ମୁଣ୍ଡରେ ପଗଡ଼ି ରହିଲା।

ଗାନ୍ଧିଜୀଙ୍କର ପ୍ରିଟୋରିଆ ଯିବା କଥା, ମରିସବର୍ଗଠାରେ ରେଳଗାଡ଼ି ପହଞ୍ଚିଲା। ଷ୍ଟେସନରେ ପ୍ରଥମ ଶ୍ରେଣୀ ଡବା ପାଖରେ ଦେଖି ରେଳ କର୍ମଚାରୀ ଗାନ୍ଧୀଙ୍କୁ କହିଲେ ସେ ପ୍ରଥମ ଶ୍ରେଣୀରେ ଯାଇ ପାରିବେ ନାହିଁ। ଶେଷ ଡବା ୩ୟ ଶ୍ରେଣୀକୁ ଆସିବାକୁ କହିଲେ। ଗାନ୍ଧୀ କହିଲେ ତାଙ୍କର ପ୍ରଥମ ଶ୍ରେଣୀ ଟିକେଟ ଅଛି, ଏଣୁ ସେ ସେହି ଡବାରେ ହିଁ ଯିବେ। ସେ ଗାନ୍ଧୀଙ୍କୁ ଧମକାଇଲେ ଓ ପୁଲିସ ଆସି ତାଙ୍କୁ ଘୋଷାଡ଼ିଘୋଷାଡ଼ି ତଳକୁ ଆଣିଲା। ତାଙ୍କର ବାମ ହାତ ଆଘାତପ୍ରାପ୍ତ ହେଲା। ଶୀତ ଦିନେ, ବିନା ଶୀତ ବସ୍ତ୍ରରେ ଗାନ୍ଧୀ ଷ୍ଟେସନ୍‌ରେ ବସି ରହିଲେ। ରେଳ ଚାଲିଗଲା। ମରିସବର୍ଗଠାରୁ ପ୍ରିଟୋରିଆ ମଧ୍ୟରେ ତିନିଟି ସ୍ଥାନରେ ଗାନ୍ଧୀଙ୍କ ପ୍ରତି ମାଡ଼, ଅମାନୁଷିକ ବ୍ୟବହାର ଇତ୍ୟାଦି ସୀମା ଟପିଲା।

ଦକ୍ଷିଣ ଆଫ୍ରିକାର ଜନସାଧାରଣଙ୍କ ଅଧିକାର, ସମାନତା ଓ କଳାଗୋରା ଭେଦଭାବର ପରିସମାପ୍ତି ପାଇଁ ସତ୍ୟର ସନ୍ଧାନ ନିଜ ଉପରେ ପ୍ରୟୋଗ କରିଥିଲେ। ଗାନ୍ଧୀ ବାରବାର ଜେଲ ଗଲେ। ମାସମାସ ଅନାହାର ବ୍ରତ ପାଳନ କଲେ। ସଂଗଠିତ ତୀବ୍ର ଜନମତ ଶାସନକର୍ତ୍ତାଙ୍କୁ ବିଚଳିତ କଲା। ମହାତ୍ମା ଗାନ୍ଧୀ ଆଫ୍ରିକାବାସୀଙ୍କ ଦ୍ବାରା ସଫଳ ସଂଗଠନ କରାଇ ଦକ୍ଷିଣ ଆଫ୍ରିକାରେ ଅହିଂସା ଆନ୍ଦୋଳନକୁ ସଂଗଠିତ କରିବାକୁ ୧୮୯୪ ମସିହାରେ ନାଟାଲ ଜାତୀୟ କଂଗ୍ରେସ ଗଠନ କଲେ। ଏହି ସଂଗଠନ ଦ୍ବାରା ଭାରତୀୟମାନଙ୍କ ନ୍ୟାୟ ଅଧିକାର ପାଇବା ପାଇଁ ପଥ ପରିଷ୍କାର ହେଲା।

୧୮୯୬ରେ ଭାରତ ଫେରି ବମ୍ବେରେ ଫିରୋଜ ଶାହା ମେହେଟ୍ଟାଙ୍କ ସହାୟତାରେ ଓ ପୁନେର ଗୋଖଲେ, ତିଲକ ଓ ମାଡ୍ରାସର ଜି. ପରମେଶ୍ବର ପିଲୁ ଓ ହିନ୍ଦୁ ପତ୍ରିକାର ସଂପାଦକଙ୍କ ସହାୟତାରେ ଆଫ୍ରିକାରେ ଭାରତୀୟଙ୍କ ଦୁରବସ୍ଥାର ବିବରଣୀ ପ୍ରକାଶ କଲେ। ଆଫ୍ରିକାରୁ ଟେଲିଗ୍ରାମ ଆସିବାରୁ ଆଫ୍ରିକା ୧୮୯୭ରେ ପରିବାର ସହ ଯାତ୍ରା କଲେ। ୧୮୯୭ ମସିହା ଡିସେମ୍ବର ମାସରେ ନେଟାଲ ବନ୍ଦରରେ ପହଞ୍ଚିବା ବେଳକୁ ଏଠାରେ ଗୋରାମାନେ ଭାରତୀୟଙ୍କୁ ବନ୍ଦରରେ ଅବତରଣ ଅବରୋଧ କରିଛନ୍ତି। ଗୋରାଙ୍କର ଦାବି- ଗାନ୍ଧୀ ଫେରିଯାଉ, ନହେଲେ ତାଙ୍କୁ ଆମେ ହତ୍ୟା କରିବୁ। ଗାନ୍ଧୀ ଦମ୍ଭର ସହ ଜାହାଜରୁ ଓହ୍ଲାଇ, ତାଙ୍କ ପରିବାରକୁ ଅବଦୁଲ୍ଲାଙ୍କ ଘରକୁ ପଠାଇବା ପରେ ନିଜେ ନିର୍ଭୀକ ଭାବରେ ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଗୋରାମାନେ ତାଙ୍କ ଉପରକୁ ଟେକା, ପଥର ଇତ୍ୟାଦି ପକାଇ ରକ୍ତାକ୍ତ କଲେ ମଧ୍ୟ ଗାନ୍ଧୀ ଶାନ୍ତ ସ୍ବରରେ ସେମାନଙ୍କୁ ବୁଝାଇଥାନ୍ତି। ରକ୍ତାକ୍ତ ଗାନ୍ଧୀଙ୍କ ସହନଶୀଳତା, ପ୍ରତ୍ୟକ୍ଷଦର୍ଶୀଙ୍କୁ ବିସ୍ମିତ କରିଥିଲା। ଗୋରାମାନଙ୍କର ଅଭିଯୋଗ ଥିଲା, ଗାନ୍ଧୀ ଭାରତରେ ଦକ୍ଷିଣ ଆଫ୍ରିକା ସରକାର ତଥା ଗୋରାମାନଙ୍କ ବିରୋଧରେ କଟୁ ମନ୍ତବ୍ୟ ସମ୍ମିଳିତ ବକ୍ତୃତା ଦେଇ ଗୋରାମାନଙ୍କ ସମ୍ମାନ ହାନି କରିଛନ୍ତି। ଗାନ୍ଧୀ ହଟାଓ ଷଡ଼ଯନ୍ତ୍ରରେ ଜଣେ ମନ୍ତ୍ରୀ ଓ ପୁଲିସ, ଲୋକଙ୍କୁ ଉସୁକାଉଥିବା ଜଣାପଡ଼ିଥିଲା।

ସେହି ସମୟରେ ମି. ଚେମରଲିନି ବ୍ରିଟିଶ୍‌ ସାମ୍ରାଜ୍ୟର କଲୋନୀଗୁଡ଼ିକର ସେକ୍ରେଟାରୀ ଅବସ୍‌ଟେଟର ଥାନ୍ତି। ସେ ଆକ୍ରମଣକାରୀଙ୍କ ବିରୋଧରେ ମକଦ୍ଦମା କରିବାକୁ ଓ ଗାନ୍ଧୀଙ୍କୁ ଯେପରି ନ୍ୟାୟ ମିଳିବ ନାତାଲ ସରକାରଙ୍କୁ ନିର୍ଦେଶ ଦେଇଥିଲେ। କ୍ଷମତାପ୍ରାପ୍ତ ଅଧିକାରୀ ଏସକମ୍ବ ଗାନ୍ଧୀଙ୍କୁ ଡାକି କହିଲେ, ନିର୍ଦେଶ ଆସିଛି, ଆପଣ ମତେ ଆକ୍ରମଣକାରୀଙ୍କୁ ଚିହ୍ନାଇ ଦିଅନ୍ତୁ, ସେମାନଙ୍କ ବିରୋଧରେ ମୁଁ କାର୍ଯ୍ୟାନୁଷ୍ଠାନ କରିବି। ଗାନ୍ଧୀ କହିଲେ, ଏହି ଘଟଣାରେ ଦୋଷ ଉପରବାଲାଙ୍କର। ମୋତେ କହିବାକୁ ଦେବ ତ, ଦୋଷ ଆପଣଙ୍କର। ଆପଣ ଲୋକଙ୍କୁ ଠିକ୍‌ କଥା ନକହି ଖବରକୁ ପ୍ରଚାର କରି ଲୋକଙ୍କୁ ଉତ୍ତ୍ୟକ୍ତ କରାଇବାରେ ସହଯୋଗୀ। ଚେମ୍ବର କହିଲେ, ତୁମେ ମକଦ୍ଦମା ଅଭିଯୋଗ କରିବାକୁ ମନା କରୁଛ। ଏହି କଥା ଲେଖିଦିଅ ମୁଁ ଚେମ୍ବରଲିନ ସାହେବଙ୍କୁ ଜଣାଇବି। ଗାନ୍ଧୀ କହିଲେ, ମୁଁ କାହାରି ବିରୋଧରେ ମକଦ୍ଦମା କରିବି ନାହିଁ। ଗାନ୍ଧୀଙ୍କ ଏହି ବିବୃତି ପ୍ରକାଶ ପାଇବା ପରେ ଖବରକାଗଜ ସବୁ ସରକାର ଓ ଗୋରାମାନଙ୍କୁ ନିନ୍ଦାକରି ଲେଖିଲେ। ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ନେଟାଲରେ ଭାରତୀୟମାନଙ୍କ ସମ୍ମାନ ଓ ସାହସ ବଢ଼ିଲା।

ଦକ୍ଷିଣ ଆଫ୍ରିକାବାସୀ ତାଙ୍କୁ ବିଦାୟ ସମ୍ବର୍ଦ୍ଧନାରେ ଅମାପ ମୂଲ୍ୟର ସୁନା, ରୁପା, ହୀରା, ନୀଳା ଇତ୍ୟାଦି ସାମଗ୍ରୀ ଉପହାର ଦେଲେ। ଗାନ୍ଧୀ ସେହି ଉପହାରକୁ ଫେରାଇବା ବା ଭାରତକୁ ସାଥିରେ ଆଣିବାକୁ ନାପସନ୍ଦ କରି ଗୋଟିଏ ଟ୍ରଷ୍ଟ ଗଠନକରି ଆଫ୍ରିକାବାସୀଙ୍କ ସେବାରେ ବିନିଯୋଗ କରିବା ପାଇଁ ଟ୍ରଷ୍ଟ ହାତରେ ଅର୍ପଣ କଲେ। କସ୍ତୁରବା ଗୋଟିଏ ହାର ସାଥିରେ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଗାନ୍ଧୀ କହିଲେ, ଆମେ ଲୋକଙ୍କ ସେବା କରିଥିବା ଯୋଗୁଁ ଉପହାର ପାଇଛେ। ସାଥିରେ ନେଲେ ପାରିଶ୍ରମିକ ପ୍ରାପ୍ୟ ଭାବରେ ଗଣା ହେବ। କସ୍ତୁରବା ଖୁସିରେ ସହମତ ହୋଇଥିଲେ। ଏହି ନିଷ୍ପତ୍ତିଟି ଆଫ୍ରିକାବାସୀଙ୍କୁ ନୂତନ ପ୍ରେରଣା ଦେଇଥିଲା।

ଗାନ୍ଧୀଙ୍କୁ ଆଫ୍ରିକାରେ ଗୋରାଙ୍କ ଆଚରଣ ଓ ଭାରତର ଭାରତୀୟଙ୍କୁ ଅସମ୍ମାନ ତତୋଽଧିକ ବାଧିଥିଲା। ସାରା ବିଶ୍ବରେ ଲୋଭ, ଅହଂକାର, କ୍ରୋଧ, ହିଂସା ଊଣା ଅଧିକେ ବିରାଜମାନ। ଏହାର ନିରାକରଣ ଏକ ମାତ୍ର ଅହିଂସା ସଂଗଠିତ ସତ୍ୟାଗ୍ରହ।

ବିଲାତର ସର୍ବୋଚ୍ଚ ଶାସକଙ୍କର ଭାରତୀୟଙ୍କୁ ଏପରି ଅପମାନ ଦେବାର ସ୍ବୀକୃତି ଥିବା ସନ୍ଦେହ ମନେ ହୁଏ। ବେଳେବେଳେ କେତେକ ବିଚାରବନ୍ତ ସର୍ବୋଚ୍ଚ ସମ୍ରାଟ ବା ଶାସକଙ୍କ ଅଗୋଚରରେ ବା ଇଚ୍ଛା ବିରୋଧରେ କ୍ଷମତାପ୍ରାପ୍ତ ଅଧିକାରୀ ଏପରି ବିବେକଶୂନ୍ୟ ଆଚରଣ ପ୍ରଦର୍ଶନ କରିବାକୁ ଆଗ୍ରହ ପ୍ରକାଶ କରନ୍ତି। ପରେ ଅନୁତପ୍ତ ହୁଅନ୍ତି। ଅହଂକାରୀ, ଅବିଶ୍ବାସୀ, ସ୍ବେଚ୍ଛାଚାରୀ ସ୍ମିଥଙ୍କୁ ଗାନ୍ଧୀ ଦେଇଥିବା ଜୋତା ଉପହାରକୁ ସାଇତି ରଖିବା ଓ ଅନୁତାପର ବାର୍ତ୍ତା ଏବେ ଦିଲ୍ଲୀ ସଂଗ୍ରହାଳୟରେ ରହିଛି। ହିଂସାରେ ବିଶ୍ବାସ ଏକଛତ୍ରବାଦୀ ମୁସଲିନ ହିଟଲରର ପତନ ଘଟିଛି। ଚୀନର ବିପ୍ଳବୀନେତାଙ୍କ ବନ୍ଧୁକ ନଳିରୁ ଶାସନ ଆହ୍ବାନ, ପୁଞ୍ଜିବାଦର ଅନ୍ୟରୂପ ଜଗତୀକରଣକୁ ଆଦରି ନେଇଥିଲା ବେଳେ ମାର୍କସ୍‌ଙ୍କ ଦର୍ଶନ ସାମ୍ୟବାଦ, ମାଓବାଦ ଓ ନକ୍ସଲବଦାରେ ରୂପାନ୍ତରିତ ହୋଇ ରକ୍ତ ହିଂସାକୁ ଗ୍ରହଣ କରିଛି। ହିଂସାରେ ବିଶ୍ବାସ କରୁଥିବା ମାର୍କସବାଦର ଅବକ୍ଷୟ ଘଟିବାକୁ ଯାଉଥିବାବେଳେ, ସନ୍ତ୍ରାସବାଦ ସଂଘର୍ଷ ସାରା ବିଶ୍ବରେ ଅସ୍ଥିରତାର କାରଣ ହୋଇଛି। କ୍ରମବିକାଶରେ ଦେଶ ଓ ବିଶ୍ବରେ ବହୁ ପରିବର୍ତ୍ତନ ଘଟିଛି। ସେଦିନର ଦାରିଦ୍ର୍ୟର କ୍ରମ ଅବସାନ ଘଟୁଛି; କିନ୍ତୁ ସମାଜର ମୌଳିକ ବ୍ୟାଧି, ଆତ୍ମବଡ଼ିମା, ହିଂସା, ଶୋଷଣ ନୂତନ ତରିକାରେ ଆବିର୍ଭାବ ହୋଇଛି। ଏହି ରୋଗର ପ୍ରତିକାର ଏକମାତ୍ର ଗାନ୍ଧୀଙ୍କ ପ୍ରଦର୍ଶିତ ମାର୍ଗ। ଏହା ଏକ ଅବ୍ୟର୍ଥ ଅସ୍ତ୍ର।

ଗାନ୍ଧିଜୀ ତାଙ୍କ ଜୀବନରେ ଅତ୍ୟାଚାରୀ ଓ ଅତ୍ୟାଚାରିତ ସଂଘଟିତ ଘଟଣାରୁ ନିଷ୍ପତ୍ତି ପଥ ନିର୍ଦ୍ଧାରଣ ପାଇଁ ଅହିଂସା ଆନ୍ଦୋଳନ ଓ ସତ୍ୟାଗ୍ରହକୁ ୧୯୦୬ରୁ ଏକ ବ୍ରତ ଭାବରେ ନିଜ ଶରୀର ଉପରେ ପ୍ରୟୋଗ କରି ନୂତନ ଦର୍ଶନ ବିଜ୍ଞାନ ଉଦ୍ଭାବନ କରିଗଲେ। ଆଜି ନିର୍ଭୁଲ ସତ୍ୟମାର୍ଗୀର ଅମ୍ଳାନର ବତି ଜଳି ଉଠିଛି ଓ ଯୁଗେଯୁଗେ ଜଳୁଥିବା। ନିଜ ଜୀବନରେ, ପରିବାରରେ, ସମାଜର ବିଭିନ୍ନ କ୍ଷେତ୍ରରେ, ପ୍ରତିପକ୍ଷ ଉପରେ ଶିକ୍ଷା, ଅର୍ଥନୀତି ଓ ରାଜନୀତି ଉପରେ ସେ ଯେଉଁ ସତ୍ୟ ଓ ଅହିଂସାର ସଫଳ ପ୍ରୟୋଗ କରିଥିଲେ, ତାହାର ସ୍ବୀକୃତି ସ୍ବରୂପ ଜାତିସଂଘର ନିଷ୍ପତ୍ତି କ୍ରମେ ୨୦୦୬ ମସିହାଠାରୁ ସମଗ୍ର ବିଶ୍ବରେ ତାଙ୍କ ଜନ୍ମ ଦିବସକୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରାଯାଉଅଛି।

ଗାନ୍ଧିଜୀ ୧୯୧୪ ମସିହାରେ ଭାରତ ଫେରି ସ୍ବରାଜ ଆନ୍ଦୋଳନକୁ ଗତିଶୀଳ କରାଇଲେ। ୧୯୧୪ଠାରୁ ୧୯୨୦ ପର୍ଯ୍ୟନ୍ତ ସାରା ଦେଶ ଭ୍ରମଣ କରି ଦେଶର ଆର୍ଥିକ ଓ ସାମାଜିକ ସ୍ଥିତିକୁ ଆକଳନ କରି ସେ କହିଥିଲେ ଗୋଟିଏ ଗାଁର ସଂହତି ଓ ସମୃଦ୍ଧି ବିଦ୍ୟମାନ ହେଲେ ଦେଶ ଓ ବିଶ୍ବର ସଂହତି ଓ ସମୃଦ୍ଧି ବିରାଜମାନ ହେବ। ୧୯୨୦​ରେ ଆହ୍ବାନ ଦେଲେ- ବିଦେଶୀ ସାମଗ୍ରୀ ବର୍ଜନ। ୧୯୩୦ରେ ଆହ୍ବାନ ଦେଲେ ଲବଣ ସତ୍ୟାଗ୍ରହ। ଗାନ୍ଧୀଙ୍କ ଦାଣ୍ଡି ଯାତ୍ରା ଦେଶକୁ ପ୍ରଭାବିତ କଲା। ପୁଣି ୧୯୪୨ରେ ଭାରତଛାଡ଼ ଆନ୍ଦୋଳନ ଆହ୍ବାନ ଦେଇ କହିଥିଲେ ‘କର ବା ମର’। ଦ୍ବିତୀୟ ମହାଯୁଦ୍ଧ ପରେ ପରେ ବ୍ରିଟିଶ ଶାସନ କର୍ତ୍ତା ଭାରତ ଛାଡ଼ିବାକୁ ବାଧ୍ୟ ହେଲେ ଓ ଆମେ ସ୍ବାଧୀନ ହେଲୁ।

ଗାନ୍ଧିଜୀ ଆଜି ନାହାନ୍ତି; କିନ୍ତୁ ଯେ ପର୍ଯ୍ୟନ୍ତ ଅସତ୍ୟ, ହିଂସା, ଅତ୍ୟାଚାର, ଦୁଃଖ, ଦାରିଦ୍ର୍ୟ, ନିର୍ଯାତନା ଆଦିର ଅମାଅନ୍ଧକାର ଥିବ ସେ ପର୍ଯ୍ୟନ୍ତ ମୁକ୍ତିକାମୀମାନେ ସତ୍ୟ, ଅହିଂସା, ସେବା ଓ ସଂଗ୍ରାମର ଆଲୋକ ଲାଗି ତାଙ୍କ ଅଜର, ଅମର, ଅବିନାଶୀ ଆତ୍ମାର ଅନିର୍ବାଣ ଦୀପଶିଖାକୁ ନିଶ୍ଚୟ ସ୍ମରଣ କରିବାକୁ ବାଧ୍ୟ ହେବେ। ଆମକୁ ଆଜି ତାଙ୍କ ଜନ୍ମ ତିଥିରେ ସ୍ମରଣ କରିବା ହିଁ ଯଥାର୍ଥ ହେବ।

Comments are closed.