MEllora 950×100

ମର୍ମନ୍ତୁଦ ଦୁର୍ଘଟଣା ; ଚାଲିଗଲା ପାଞ୍ଚ ଛାତ୍ରଙ୍କ ଜୀବନ

ମୁମ୍ବଇ : ମହାରାଷ୍ଟ୍ରର ନାସିକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି। ଶୁକ୍ରବାର ସନ୍ଧ୍ୟା ସମୟରେ ଏକ କାର୍‌‌ ଅନ୍ୟ ଦୁଇ ବାହନ ସହ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। କାରରେ ଛାତ୍ରମାନେ ଥିବା ସହ ସେମାନଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଏହାସହ ଆଉ ୪ ଜଣ ଆହତ ମଧ୍ୟ ହୋଇଛନ୍ତି। ଏହି ଦୁର୍ଘଟଣା ସିନ୍ନର ନିକଟରେ ମୋହଦରୀ ଘାଟି ନିକଟରେ ଘଟିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ମୃତାହତଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, କଲେଜରେ ପାଠ ପଢୁଥିବା ଆଠ ଜଣ ଛାତ୍ର ଏକାଠି ନାସିକ ରୁ ସିନ୍ନର ଆଡକୁ ଯାଉଥିଲେ। ସେହି ସମୟରେ କାରଟି ଦ୍ରୁତ ଗତିରେ ଥିବା ସହ ରାସ୍ତା ପାର କରି ବିପରୀତ ଦିଗରୁ ଆସୁଥିବା ଅନ୍ୟ ଦୁଇ ଯାନ ସହ ଧକ୍କା ହୋଇଥିଲା। କାରରେ ଥିବା ଛାତ୍ରଙ୍କ ବୟସ ୧୮ ରୁ ୨୦ ବର୍ଷ ମଧ୍ୟରେ ବୋଲି ଜଣାପଡିଛି। ପାଞ୍ଚ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସାମ୍ନା ପଟୁ ଆସୁଥିବା ଅନ୍ୟ ଏକ କାର୍‌‌ ଚାଳକ ମଧ୍ୟ ଆହତ ହୋଇଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.