ମହାରାଷ୍ଟ୍ରରେ ୫%ରୁ କମ୍‍ ସଂକ୍ରମଣ ଜିଲାଗୁଡିକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ କରାଯିବ

ରାଜ୍ୟ ସରକାର ଘୋଷଣାକଲେ ୫ ସ୍ତରୀୟ ତାଲାବନ୍ଦ ପ୍ରତ୍ୟାହାର ଯୋଜନା

ମୁମ୍ବଇ: ମହାରାଷ୍ଟ୍ର ସରକାର ଗୁରୁବାର ଦିନ ରାଜ୍ୟରେ ତାଲାବନ୍ଦ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରିଛନ୍ତି। ରାଜ୍ୟରୁ ତାଲାବନ୍ଦ ପ୍ରତ୍ୟାହାରକୁ ୫ ଭାଗରେ ବିଭକ୍ତ କରାଯାଇଛି। ୫%ରୁ କମ୍‍ ସଂକ୍ରମଣ ଥିବା ଏବଂ ଉକ୍ତ ଜିଲାଗୁଡିକରେ ଥିବା ଡାକ୍ତରଖାନାରେ କରୋନା ରୋଗୀ ସଂଖ୍ୟା ଯଦି ୨୫%ରୁ କମ୍‍ ରହିଥାଏ, ତେବେ ସେହି ଜିଲାଗୁଡିକରୁ ତାଲାବନ୍ଦ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ସେଠାରେ ସମସ୍ତ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିବାକୁ ଅନୁମତି ଦିଆଯିବ। ଉକ୍ତ ଜିଲାଗୁଡିକରେ ଥିଏଟର, ମଲ୍‍, ଘରୋଇ ଓ ସରକାରୀ କାର୍ଯ୍ୟାଳୟ ଆଦି ଖୋଲିବ। ବିବାହ, ଅନ୍ତ୍ୟେଷ୍ଟିକ୍ରିୟା ଏବଂ ଚଳଚ୍ଚିତ୍ର ସୁଟିଂକୁ ମଧ୍ୟ ଅନୁମତି ମିଳିବ ବୋଲି ମହାରାଷ୍ଟ୍ରର ମନ୍ତ୍ରୀ ବିଜୟ ୱାଡେଟ୍ଟିୱାର କହିଛନ୍ତି। ଏହି ଜିଲାଗୁଡିକ ମଧ୍ୟରେ ଅଉରଙ୍ଗାବାଦ, ଭଣ୍ଡାରା, ଧୁଲେ, ଗଡଚିରୋଲି, ଜଲଗାଓଁ, ଜଲନା, ନାନ୍ଦେଦ, ନାସିକ, ପରଭାନି ଏବଂ ଥାନେ ଆଦି ଜିଲା ରହିଛି।

Comments are closed.