ମହାରାଷ୍ଟ୍ରର ଗୋଟିଏ ଜିଲାରେ ୮୦୦୦ ପିଲା କୋଭିଡ ସଂକ୍ରମିତ

ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟର ପ୍ରସ୍ତୁତି

ମୁମ୍ବଇ: ଦେଶକୁ କୋଭିଡ-୧୯ର ତୃତୀୟ ଲହର ଆସିବ ଏବଂ ଏହା ମୁଖ୍ୟତଃ ପିଲାମାନଙ୍କୁ ସଂକ୍ରମିତ କରିବା ନେଇ ଗବେଷକମାନେ କରିଥିବା ଅନୁମାନ ମହାରାଷ୍ଟ୍ରକୁ ଲକ୍ଷ୍ୟକଲେ ଏବେ ଆପାତତଃ ସତ ବୋଲି ମନେହେଉଛି। ରାଜ୍ୟର ଅହମଦନଗର ଜିଲାରେ ୮ହଜାରରୁ ଅଧିକ ପିଲା କୋଭିଡ ସଂକ୍ରମିତ ହୋଇଛନ୍ତି। ଏହା ଲକ୍ଷ୍ୟ କରିବା ପରେ ରାଜ୍ୟ ସରକାର କୋଭିଡର ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମହାରାଷ୍ଟ୍ରର ସାଙ୍ଗଲି ସହରରେ କେବଳ ପିଲାଙ୍କ ପାଇଁ କୋଭିଡ-୧୯ ଚିକିତ୍ସା ୱାର୍ଡ ସ୍ଥାପନ କରାଯାଇଛି। ସଂପ୍ରତି ସେଠାରେ ୫ ଜଣ ଶିଶୁ ରହି ଚିକିତ୍ସିତ ହେଉଛନ୍ତି ଏବଂ ସେଠାରେ ଅଧିକ ରୋଗୀ ରହିବା ନିମନ୍ତେ ଶଯ୍ୟା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ସୃଷ୍ଟି କରାଯାଉଛି। ପିଲାଙ୍କୁ ଚିକିତ୍ସା ସମୟରେ ଖୁସି ରଖିବାକୁ ସେଠାରେ ଖେଳନା, ଦୋଳି ଆଦି ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି, ଯଦ୍ଦ୍ୱାରା ପିଲାମାନେ ମାନସିକ ସ୍ତରରେ ସୁସ୍ଥ ରହିପାରିବେ ବୋଲି ସ୍ଥାନୀୟ ଜଣେ କର୍ପୋରେଟର ଅଭିଜିତ ଭୋସଲେ କହିଛନ୍ତି। ସୂଚନାଯୋଗ୍ୟ ଯେ ଅହମଦନଗର ଜିଲାରେ ଏପର୍ଯ୍ୟନ୍ତ ଯେତିକି ଲୋକ କୋଭିଡ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ୧୦% ହେଉଛନ୍ତି କମ୍‍ ବୟସର ପିଲା। ଏହା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ସେଥିପାଇଁ ଜିଲାରେ ସମସ୍ତ ଶିଶୁ ଚିକିତ୍ସକ ଓ ବିଶେଷଜ୍ଞଙ୍କୁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ଶୀର୍ଷ ବୈଜ୍ଞାନିକ ପରାମର୍ଶଦାତା ଡ.କେ ବିଜୟ ରାଘବନ ମଇ ମାସ ପ୍ରଥମ ଭାଗରେ କହିଥିଲେ ଯେ ଦେଶରେ କୋଭିଡର ତୃତୀୟ ଲହର ଆସିବା ଅନିବାର୍ଯ୍ୟ।

Comments are closed.