ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ୧୮ ନୂଆ ମନ୍ତ୍ରୀଙ୍କ ମଧ୍ୟରୁ ୩ ମନ୍ତ୍ରୀ ବିବାଦୀୟ

ମୁମ୍ବଇ: ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମଙ୍ଗଳବାର ନିଜ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ନୂଆ ମନ୍ତ୍ରୀ ଭାବେ ୧୮ଜଣ ଶପଥ ଗ୍ରହଣ କରିଛନ୍ତି। ଦକ୍ଷିଣ ମୁମ୍ବଇସ୍ଥିତ ରାଜଭବନରେ ଅନୁଷ୍ଠିତ ଉତ୍ସବରେ ମହାରାଷ୍ଟ୍ର ରାଜ୍ୟପାଳ ବିଏସ୍‌ କୋଶୟାରି ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ନୂଆ ୧୮ଜଣ ମନ୍ତ୍ରୀଙ୍କୁ ସାମିଲ କରାଯିବା ପରେ ମହାରାଷ୍ଟ୍ର ସରକାରରେ ୨୦ଜଣ ମନ୍ତ୍ରୀ ହୋଇଛନ୍ତି। ସୂଚନାଥାଉ କି ଗତ ଜୁନ୍‌ ୩୦ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ଶିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନାବିସ୍‌ ଶପଥ ନେଇଥିଲେ। ମହାରାଷ୍ଟ୍ର ସରକାରରେ ସର୍ବାଧିକ ୪୩ଜଣ ମନ୍ତ୍ରୀ ରହିପାରିବେ। ମଙ୍ଗଳବାର ଶିନ୍ଦେ ଗୋଷ୍ଠୀରୁ ୯ ଓ ବିଜେପିରୁ ୯ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା।  ବିଜେପିର ରାଧାକ୍ରିଷ୍ଣ ଭିକେ ପାଟିଲ, ସୁଧୀର ମୁନ୍‌ଗାନ୍‌ଣ୍ଟିକର, ଚନ୍ଦ୍ରକାନ୍ତ ପାଟିଲ, ବିଜୟକୁମାର ଗାଭିଟ୍‌, ଗିରିଶ ମହାଜନ, ସୁରେଶ ଖାଡେ, ରବୀନ୍ଦ୍ର ଚଭନ୍‌, ଅତୁଲ ସେଭ୍‌ ଓ ମଙ୍ଗଳପ୍ରଭାତ ଲୋଧା ମନ୍ତ୍ରୀ ହୋଇଥିବା ବେଳେ ଶିନ୍ଦେ ଗୋଷ୍ଠୀରୁ ଗୁଲାବରାଓ ପାଟିଲ, ଦାଦା ଭୁଷେ, ସଞ୍ଜୟ ରାଠୋର, ସନ୍ଦିପନ୍‌ ଭୂମ୍‌ରେ, ଉଦୟ ସାମନ୍ତ, ତାନାଜୀ ସାୱନ୍ତ, ଅବଦୁଲ ସତାର, ଦୀପକ କେଶରକର ଓ ଶମ୍ଭୁରାଜ ଦେଶାଇ ରହିଛନ୍ତି।

ନୂଆ ମନ୍ତ୍ରୀ ଭାବେ ୧୮ଜଣଙ୍କୁ ସାମିଲ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ଜଣ ବିବାଦୀୟ ବ୍ୟକ୍ତିତ୍ବ ରହିଥିବା ଜଣାପଡ଼ିଛି। ଶିନ୍ଦେ ଗୋଷ୍ଠୀର ସଞ୍ଜୟ ରାଠୋର, ଅବଦୁଲ ସତାର ଓ ବିଜେପିର ବିଜୟକୁମାର ଗାଭିଟ୍‌ ମନ୍ତ୍ରୀ ହୋଇଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ସେମାନେ ବିବାଦୀୟ ଅଛନ୍ତି।  ଶିନ୍ଦେ ଗୋଷ୍ଠୀର ସଞ୍ଜୟ ରାଠୋର ଉଦ୍ଧବ ଠାକ୍‌ରେ ସରକାରରେ ମନ୍ତ୍ରୀ ଥିଲେ। ତେବେ ପୁଣେରେ ଜଣେ ମହିଳାଙ୍କ ମୃତ୍ୟୁ ପ୍ରସଙ୍ଗରେ ତାଙ୍କୁ ଗତବର୍ଷ ମନ୍ତ୍ରିପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।

ଗତ ଜୁନ୍‌ରେ ସେ ଏକନାଥ ଶିନ୍ଦେ ଗୋଷ୍ଠୀରେ ଯୋଗ ଦେଇଥିଲେ। ସଞ୍ଜୟଙ୍କୁ ମନ୍ତ୍ରୀ ଭାବେ ସାମିଲ କରାଯିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶିନ୍ଦେ କହିଥିଲେ ପୁଲିସ ରାଠୋରଙ୍କୁ ସେହି ମାମଲାରେ କ୍ଲିନ୍‌ଚିଟ ପ୍ରଦାନ କରିଥିବାରୁ ତାଙ୍କୁ ମନ୍ତ୍ରୀ ଭାବେ ସାମିଲ କରାଯିବାରେ କୌଣସି ଅସୁବିଧା ନାହିଁ। ଅନ୍ୟପକ୍ଷରେ ଅବଦୁଲ ସତାରଙ୍କ ପୁଅ ଓ ୩ ଝିଅ ଶିକ୍ଷକ ଦକ୍ଷତା ପରୀକ୍ଷାରେ ଅନିୟମିତତା କରିଥିବା ଅଭିଯୋଗ ରହିଛି। ବିଜେପି ତରଫରୁ ମନ୍ତ୍ରୀ ହୋଇଥିବା ବିଜୟକୁମାର ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଜନଜାତି ବିକାଶ ମନ୍ତ୍ରୀ ଥିବା ବେଳେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା।

Comments are closed.