ଏକନାଥ ସିନ୍ଦେ ନୂଆ ମୁଖ୍ୟମନ୍ତ୍ରୀ, ଫଡନବିସ ଉପମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର ରାଜନୈତିକ ସଂକଟର ଅବସାନ

ମୁମ୍ବଇ : ମହାରାଷ୍ଟ୍ର ରାଜନୈତିକ ସଂକଟର ଶେଷରେ ଅବସାନ ଘଟିଛି। ଶିବସେନା ନେତା ଏକନାଥ ସିନ୍ଦେ ଗୁରୁବାର ସନ୍ଧ୍ୟାରେ ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜଭବନ ପରିସରରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଭଗତ ସିଂହ କୋସିୟାରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେହିପରି ବିଜେପି ନେତା ଦେବେନ୍ଦ୍ର ଫଡନବିସ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି।

Image Source : ANI

ଶିବସେନାର ବିଦ୍ରେହୀ ନେତା ଏକନାଥ ସିନ୍ଦେ ଆଜି ମୁମ୍ବଇରେ ପହଞ୍ଚିବା ପରେ ବିଜେପି ନେତା ଦେବେନ୍ଦ୍ର ଫଡନବିସଙ୍କ ସହ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକନାଥ ସିନ୍ଦେଙ୍କ ନାମ ଘୋଷଣା କରିଥିଲେ। ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଅନୁରୋଧ ପରେ ଫଡନବିସ ଉପମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିଛନ୍ତି।

ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ ମଧ୍ୟ ଉପମୁଖ୍ୟମନ୍ତ୍ରୀ  ଦେବେନ୍ଦ୍ର ଫଡନବିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଉଭୟଙ୍କ ନେତୃତ୍ବରେ ମହାରାଷ୍ଟ୍ର ବିକାଶର ନୂତନ ଶିଖର ଛୁଇଁବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Comments are closed.