ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ମହାରାଷ୍ଟ୍ର : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟି ଶେଷରେ ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। କିଛି ସମୟ ପୂର୍ବେ ରାଜ୍ୟପାଳ ଭଗତ ସିଂହ କୋସିଆରୀ କେନ୍ଦ୍ର ସରକାରଙ୍କୁ ରାଜ୍ୟରେ ଉପୁଜିଥିବା ସାମ୍ବିଧାନିକ ସଙ୍କଟ ସମ୍ପର୍କରେ ରିପୋର୍ଟ ଦେବା ସହ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଥିଲେ। ରାଷ୍ଟ୍ରପତି କିଛି ସମୟ ପୂର୍ବରୁ ପଞ୍ଜାବ ଗସ୍ତରୁ ଫେରିବା ପରେ ଏହି ଫାଇଲରେ ସ୍ୱାକ୍ଷର କରିଛନ୍ତି ।

ଗତକାଲି ମହାରାଷ୍ଟ୍ରରେ ସରକାର ଗଠନ ନେଇ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଥିଲା। ରବିବାର ଵିଜେପି ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ନିଜର ଅସମର୍ଥତା ପ୍ରକାଶ କରିବା ପରେ ରାଜ୍ୟପାଳ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ ଓ ୨୪ ଘଣ୍ଟା ଅର୍ଥାତ ସୋମବାର ସନ୍ଧ୍ୟା ୭ଟା ୩୦ ମିନିଟ ପର୍ଯ୍ୟନ୍ତ ସମୟ ଦେଇଥିଲେ। ପୂର୍ବରୁ ବିଜେପି ସହ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଟଣା ଓଟରା ପରେ ମିଳିତ ସରକାର ଗଠନରେ ସମର୍ଥନ କରିବ ନାହିଁ ବୋଲି ଶିବସେନା କହିଥିବା ବେଳେ ରାଜ୍ୟପାଳଙ୍କ ଠାରୁ ଆମନ୍ତ୍ରଣ ପାଇବା ପରେ ଦଳ କଂଗ୍ରେସ ଓ ଏନସିପି ସହ ଆଲୋଚନା କରିଥିଲା କିନ୍ତୁ ସୋମବାର ସଂଧ୍ୟା ସୁଦ୍ଧା ଉଭୟ ଏନସିପି ଓ କଂଗ୍ରେସ ସମର୍ଥନ କରିବା ନେଇ କୌଣସି ସଂକେତ ଦେଇ ନ ଥିଲେ। ଏହା ପଛରେ ମଧ୍ୟ କ୍ଷମତା ବଣ୍ଟନ ମୂଳ କାରଣ ହୋଇଥିବା ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି। ଯଦିଓ ଶିବସେନା ପୁନଶ୍ଚ ରାଜ୍ୟପାଳଙ୍କୁ ୨୪ ଘଣ୍ଟା ଅଧିକ ସମୟ ମାଗିଥିଲେ ଓ ଏକଥା ମଧ୍ୟ ଅବଗତ କରାଇଥିଲା ଯେ ସମର୍ଥନ ନେଇ ଅନ୍ୟ ଦଳ ସହ ଆଲୋଚନା ଚାଲିଛି କିନ୍ତୁ ରାଜ୍ୟପାଳ ଶିବସେନାର ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ସହ ଏନସିପିକୁ ସରକାର ଗଠନ ପାଇଁ ଗତ ସନ୍ଧ୍ୟାରେ ଆମନ୍ତ୍ରଣ କରିଥିଲେ ଓ ୨୪ ଘଣ୍ଟା ସମୟ ଦେଇଥିଲେ।

ଆଜି ମହାରାଷ୍ଟ୍ରରେ ଏନସିପିର କୌଣସି ନିଷ୍ପତ୍ତି ପୂର୍ବରୁ ରାଜ୍ୟପାଳ ଭଗତ ସିଂହ କୋସିଆରୀ କେନ୍ଦ୍ର ସରକାରଙ୍କୁ ରାଜ୍ୟରେ ଉପୁଜିଥିବା ସାମ୍ବିଧାନିକ ସଙ୍କଟ ସମ୍ପର୍କରେ ରିପୋର୍ଟ ଦେବା ସହ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଥିଲେ। କେନ୍ଦ୍ର କ୍ୟାବିନେଟ ମଧ୍ୟ ଏହାକୁ ଅନୁମୋଦନ କରିଥିଲା ଓ ପରେ ରାଷ୍ଟ୍ରପତି ମଧ୍ୟ ଏଥିରେ ସ୍ବାକ୍ଷର କରିଥିଲେ।

Comments are closed.