ମହାରାନୀ ସାଗର ବଞ୍ଚାଅ ଆନ୍ଦୋଳନକୁ ୨ ସପ୍ତାହ

ବଲାଙ୍ଗିର: ବଲାଙ୍ଗିର ସହରର ମହାରାଣୀ ସାଗର ବଞ୍ଚାଅ ଆନ୍ଦୋଳନକୁ ଦୁଇ ସପ୍ତାହ ପୂରଣ ହୋଇଛି। ଦୀର୍ଘ ବର୍ଷ ଧରି ଏହି ଜଳାଶୟ ଅବହେଳିତ ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ତୁଲସୀନଗର, ରାଜୀବ ନଗର, ପୁଲିସ ଲାଇନ, ଇନ୍ଦିରା ନଗର ଆଦି ଅଞ୍ଚଳର ଲୋକେ ଏଥିରେ ସାମିଲ ହୋଇଛନ୍ତି। କୋଶଲୀ କବି ତଥା ଲେଖକ ରାମଭକ୍ତ ଫରିକାରଙ୍କ ନେତୃତ୍ୱରେ ଲୋକେ ଧାରଣା ଦେଇଥିବା ବେଳେ ଏହାକୁ ସମର୍ଥନ ଦେଇଛି ଭିଲେଜର୍ସ ଇଣ୍ଡିଆ ପାର୍ଟି। ଭିଆଇପିର ଅଧ୍ୟକ୍ଷ ଡ. ବିପିନ କୁଶଲିଆ ଏହି ଜଳାଶୟ ପାଇଁ ଜନ ଆନ୍ଦୋଳନ ହେବ ଓ ଘରକୁ ଘର ଏହା ପହଞ୍ଚି ସାରିଲାଣି ବୋଲି କହିଥିଲେ। ବଲାଙ୍ଗିର ସହରର ସବୁଠାରୁ ବଡ ଜଳାଶୟ ହୋଇଥିବା ବେଳେ ଏଥିରେ ଜଳଧାରଣ କ୍ଷମତା ମଧ୍ୟ ଅଧିକ ରହିଛି। ଏହାକୁ ସହରର ଅନେକାଂଶ ଲୋକେ ବ୍ୟବହାର କରି ଆସୁଛନ୍ତି। କିନ୍ତୁ ଏହାର ଦୂରାବସ୍ଥା ଏତେ ହେଲାଣି ଯେ ଆଉ ପୂର୍ବ ପରି ପାଣି ବ୍ୟବହାର ଯୋଗ୍ୟ ନୁହେଁ। ପାଣିରେ ଦୁର୍ଗନ୍ଧ ବାହାରୁଥିବା ବେଳେ ଦେହ କୁଣ୍ଡେଇ ହେଉଛି। ଏଥିପାଇଁ ଏହାର ପୁନରୁଦ୍ଧାର ଆବଶ୍ୟକତା ରହିଛି। ଏହି ଆନ୍ଦୋଳନ ଦୀର୍ଘ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ପୁଣି ଏହା ମୁଣ୍ଡ ଟେକିଛି। ବଲାଙ୍ଗିର ପୁରାତନ ପୋଖରୀ ପୁନରୁଦ୍ଧାର ସମିତି ବିଭିନ୍ନ ଉପସ୍ଥାପନ କରିଛି। ମହାରାଣୀ ସାଗରର ପଙ୍କୋଦ୍ଧାର, ଜବରଦଖଲ ଉଚ୍ଛେଦ, ସୌର୍ନ୍ଦଜୀକରଣ ପ୍ରମୁଖ ଦାବିଥିବା ବେଳେ ଏହାକୁ ଯଥାଶୀଘ୍ର କାର୍ୟ୍ୟକାରୀ କରାଯିବାକୁ ଦାବି ହୋଇଛି। ଏ ନେଇ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ରାଜୁ ସା, ମନବୋଧ ପଟେଲ, ଶୁଭମ ବିଶ୍ୱାଲ,ରାଜୁ ଭୋଇ, ବ୍ରଜ ବିହାରୀ ନାଏକ, ଅନନ୍ତ ସାହୁ,ମନୋଜ ମହାନନ୍ଦ, ଶିବ ବାଗ, ରୋଶନ ବାରିକ, ମହେନ୍ଦ୍ର କୁମ୍ଭାର, ଛବିଲ ବେହେରା, ରାତୁ କାଲସାଏଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Comments are closed.