କୋଭିଡ ଟିକାକରଣରେ ଅବ୍ୟବସ୍ଥା ଅଭିଯୋଗ, ଖରାରେ ଛଟପଟ ବୃଦ୍ଧ ବୃଦ୍ଧା

ମାହାଙ୍ଗା: ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ଭଦ୍ରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅବ୍ୟବସ୍ଥା ମଧ୍ୟରେ କୋଭିଡ ଟିକାକରଣ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇଛି। ଅସହ୍ୟ ଗୁଳୁଗୁଳି ଖରା ତାତିରେ ବୃଦ୍ଧ ବୃଦ୍ଧାମାନେ ଘଣ୍ଟା ଘଣ୍ଟା ଧରି ଟିକା ନେବାପାଇଁ ଅପେକ୍ଷା କରିଥିବାବେଳେ ସେମାନଙ୍କ ପାଇଁ ସାମାନ୍ୟ ପିଇବା ପାଣି କିମ୍ବା ଖରା ଦାଉରୁ ରକ୍ଷା ପାଇବା ପାଇଁ ଅସ୍ଥାୟୀ ତମ୍ବୁ ବ୍ୟବସ୍ଥା କରାଯାଇନାହିଁ। ବିଦ୍ୟୁତ ସରବରାହ ବନ୍ଦ ଥିବାରୁ ପଙ୍ଖା ମଧ୍ୟ ଅଚଳ। ପର୍ଯ୍ୟାପ୍ତ ଗୃହ ଥିଲେ ମଧ୍ୟ ଏକ ଛୋଟିଆ ଗୃହ ମଧ୍ୟରେ ଟିକାକରଣ କାର୍ଯ୍ୟ ଚାଲୁଛି। ଏନେଇ ମାହାଙ୍ଗା ଭାରପ୍ରାପ୍ତ ମେଡିକାଲ ଅଧିକ୍ଷକ ଡା. ତନ୍ମୟ ବେହେରାଙ୍କୁ ଯୋଗାଯୋଗ କରିବାରୁ ଟିକାକରଣ କାର୍ଯ୍ୟ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାପାଇଁ ମେଡିକାଲର ଫାର୍ମାସିଷ୍ଟଙ୍କୁ ଦାୟିତ୍ୱ ଦିଆଯାଇଥିବା କହି ଘଟଣାକୁ ହାଲୁକା ଭାବେ ନେଇଥିଲେ। ଟିକାକରଣ ପାଇଁ କୌଣସି ସୁବ୍ୟବସ୍ଥା କରାଯାଇ ନ ଥିବାରୁ ବରିଷ୍ଠ ନାଗରିକମାନେ ଖରା ତାତିରେ ସିଝିସିଝି ଟିକା ନେଉଥିବା କହିଛନ୍ତି।

Comments are closed.