ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ ଗୃହମନ୍ତ୍ରୀଙ୍କ ମନ୍ତବ୍ୟ : ଆପୋସ ବୁଝାମଣାରେ ସମାଧାନ

ଭୁବନେଶ୍ୱର : ଓଡ଼ିଶା ଓ ଛତିଶଗଡ଼ର ମିଳିତ ସହଯୋଗରେ ଏବଂ ଆପୋସ ବୁଝାମଣା ମାଧ୍ୟମରେ ମହାନଦୀ ଜଳବିବାଦର ସମାଧାନ ସମ୍ଭବ। ତେବେ ଏଥିପାଇଁ କେନ୍ଦ୍ର ନେତୃତ୍ବ ନେବା ଉଚିତ ବୋଲି ଛତିଶଗଡ଼ ଗୃହ ମନ୍ତ୍ରୀ ତାମ୍ରଧ୍ବଜ ସାହୁ କହିଛନ୍ତି। ଛତିଶଗଡ଼ର ଗୃହ ମନ୍ତ୍ରୀ ଆଜି ଓଡ଼ିଶା ଗସ୍ତରେ ଆସିଥିବାବେଳେ ଗଣମାଧ୍ୟମ ପ୍ରତିନିଧି ମହାନଦୀ ବିବାଦ ଉପରେ ତାଙ୍କର ପ୍ରତିକ୍ରିୟା ଲୋଡ଼ିଥିଲେ। ତେବେ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ ମହାନଦୀ ଜଳବିବାଦର ସମାଧାନର ବାଟ କେନ୍ଦ୍ର ପାଖରେ ଅଛି, କେନ୍ଦ୍ର ଚାହିଁଲେ ଦୁଇ ରାଜ୍ୟ ମଧ୍ୟରେ ପାରସ୍ପରିକ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହୋଇପାରିବ।
ଛତିଶଗଡ଼ର ଗୃହ ମନ୍ତ୍ରୀଙ୍କ ଏ ପ୍ରକାର ବିବୃତି ସେ‌େ‌ତଟା ଉତ୍ସାହଜନକ ନୁହେଁ ବୋଲି କଂଗ୍ରେସର ଜଣେ ବରିଷ୍ଠ ନେତା ମତ ରଖିଛନ୍ତି। ମହାନଦୀ ଉପରେ ଯେଉଁ ପ୍ରକଳ୍ପଗୁଡ଼ିକ ନିର୍ମାଣ କରାଯାଇଛି ସେ ସମ୍ପର୍କରେ ଛତିଶଗଡ଼ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅତୀତରେ ମହାନଦୀ ଉପରେ ବେଆଇନ ବ୍ୟାରେଜ ଓ ବନ୍ଧ ନିର୍ମାଣ ଯୋଗୁଁ ମହାନଦୀର ନିରନ୍ତର ଜଳପ୍ରବାହ ବାଧାପ୍ରାପ୍ତ ହୋଇଛି। ଓଡ଼ିଶା ବାରମ୍ବାର ଏଥିନେଇ ପ୍ରତିବାଦ କରିଆସୁଛି। ରାଜନୈତିକ ସ୍ତରରେ ଶାସକ ଦଳଠାରୁ ଆରମ୍ଭ କରି ବିରୋଧୀ ଦଳଗୁଡ଼ିକ ସ୍ବର ଉତ୍ତୋଳନ କରିଛନ୍ତି। ସୁଦର୍ଶନ ଦାସଙ୍କ ନେତୃତ୍ବରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଏହି ପ୍ରସଙ୍ଗକୁ ନେଇ ରାଜ୍ୟରେ ଆନ୍ଦୋଳନ କରିବା ସହିତ ଦିଲ୍ଲୀ ଯାଇ ପାର୍ଲାମେଣ୍ଟ ସମ୍ମୁଖରେ ଧାରଣାର ଆୟୋଜନ କରିଥିଲା।
ଛତିଶଗଡ଼ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସହଯୋଗର ଭରସା ନପାଇ ଓଡ଼ିଶା ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମହାନଦୀ ଟ୍ରାଇବୁନାଲ ଗଠନ ପାଇଁ ରାୟ ଦେଇଥିଲେ। ଏହି ଟ୍ରାଇବୁନାଲ ଗତ ସେପ୍ଟେମ୍ବର​‌େ​‌ର ଶୁଣାଣି ସମୟରେ ଦୁଇ ରାଜ୍ୟ ଓଡ଼ିଶା ଏବଂ ଛତିଶଗଡ଼ ପରସ୍ପର ବୁଝାମଣା ଭିତ୍ତିରେ ପ୍ରକଳ୍ପଗୁଡ଼ିକୁ ଅନୁଧ୍ୟାନ କରିବା ପାଇଁ ନିର୍ଦେଶ ଦେଇଥିଲେ। ତଦନୁସାରେ ଓଡ଼ିଶାର ଏକ ବୈଷୟିକ ଟିମ ଛତିଶଗଡ଼ ଯାଇଥିଲା ଏବଂ ଛତିଶଗଡ଼ର ଏକ ଟିମ୍ ଗତ ନଭେମ୍ବରରେ ଓଡ଼ିଶାକୁ ଆସିଥିଲା। ଏହି ଦୁଇ ରାଜ୍ୟର ବୈଷୟିକ ଟିମ୍ ଟ୍ରାଇବୁନାଲକୁ କି ରିପୋର୍ଟ ଦେଇଛନ୍ତି ସେ ତଥ୍ୟ ଏ ପର୍ଯ୍ୟନ୍ତ ଲୋକଲୋଚନକୁ ଆସିନାହିଁ।

Comments are closed.