କଲମାରେ ଲହଡ଼ି ଭାଙ୍ଗୁଛି ମହାନଦୀ ; ସୁଖାସୋଡ଼ା ଶୁଖିଲା

କଥା ରଖୁନି ପଡ଼ୋଶୀ; ସୀମାନ୍ତରେ ଜଳକଷ୍ଟ, କୃଷି ଓ ମାଛ ଚାଷ ପ୍ରଭାବିତ ,ଛତିଶଗଡ଼ର ଦାଦାଗିରି, କେନ୍ଦ୍ର ନୀରବ; ଓଡ଼ିଶା ସରକାର ଉଦାସୀନ

କଟକ/ବେଲପାହାଡ଼ : ପଡୋଶୀ ଛତିଶଗଡ଼ର କଲମା ବ୍ୟାରେଜ୍‌ ଠାରେ ଏବେ ମହାନଦୀ ସଂପୂର୍ଣ୍ଣ ବନ୍ଦିନୀ। ସାଧାରଣଜ୍ଞାନରେ ପଢିଥିବା ଓଡ଼ିଶାର ବଡ଼ ନଦୀ ‘ମହାନଦୀ’ ଏବେ ଖରାଦିନେ ମୃତପ୍ରାୟ ସ୍ଥିତିରେ ପହଞ୍ଚିଛି। ପଡୋଶୀ ଛତିଶଗଡ଼ର ଏକଚାଟିଆ ମନୋବୃତ୍ତି, କେନ୍ଦ୍ରୀୟ ଟ୍ରାଇବୁନାଲର କାଳକ୍ଷେପଣ ନୀତି ଏବଂ ସର୍ବୋପରି ଓଡ଼ିଶା ସରକାରଙ୍କ ଉଦାସୀନତା ତଥା ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ରାଜ୍ୟରେ ମହାନଦୀ ଗୁମୁରୁ ଗୁମୁରି କାନ୍ଦୁଛି। ତା’ର ବକ୍ଷ ଏବେ ଶୁଷ୍କ। ଜଳଧାରା କ୍ଷୀଣତର। ଯେଉଁଠାରେ ମହାନଦୀ ଓଡ଼ିଶା ଛୁଇଁଛି ସେଠାରେ ଏହା ମରୁଭୂମି ପାଲଟିଲାଣି।
ଛତିଶଗଡ଼ ପାର୍ଶ୍ବ କଲମା ବ୍ୟାରେଜ୍‌ ଠାରେ ସମୁଦ୍ର ଭଳି ଲହଡ଼ି ଭାଙ୍ଗୁଛି ମହାନଦୀର ଅକାତକାତ ପାଣି; ମାତ୍ର ଅପରପାର୍ଶ୍ବ ଓଡ଼ିଶାର ପ୍ରବେଶଦ୍ବାର ସୁଖାସୋଡ଼ା ଶୁଖିଲା ପଡିଛି। ଓଡ଼ିଶା ପାଇଁ ମହାନଦୀର ଉତ୍ପତ୍ତି ସ୍ଥଳ ସୁଖାସୋଡାର ଏହି ବିସ୍ତୀର୍ଣ୍ଣ ବାଲୁକା ପ୍ରାନ୍ତରକୁ ଦେଖିଲେ ଆଗାମୀ ଦିନରେ ଯେ ଓଡ଼ିଶାରେ ଭୟଙ୍କର ଜଳସଙ୍କଟ ସୃଷ୍ଟି ହେବାକୁ ଯାଉଛି ତାହା ଜଳଜଳ ଦିଶୁଛି। କେବଳ ପଶ୍ଚିମ ଓଡ଼ିଶା ନୁହେଁ; ମହାନଦୀ ପ୍ରବାହିତ ହେଉଥିବା ଏକାଧିକ ଜିଲାରେ ଗୁରୁତର ପାନୀୟ ଜଳ ସଙ୍କଟ ପରିସ୍ଥିତି ମଧ୍ୟ ସୃଷ୍ଟି ହେଲାଣି। କାରଣ କଲମା ବ୍ୟାରେଜ୍‌ର ସମସ୍ତ ୬୪ ଗୋଟି ଫାଟକକୁ ଛତିଶଗଡ଼ ବନ୍ଦ କରି ନଦୀର ଜଳଧାରାକୁ ଅଟକାଇ ଦେଇଛି।
ଫଳରେ ଓଡ଼ିଶା ପଟକୁ ମହାନଦୀରୁ ଜଳପ୍ରବାହ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ନଦୀର ପ୍ରାକୃତିକ ଜଳପ୍ରବାହକୁ ରୋକିବା ମାନବୀୟ ବିଚାରଧାରାର ପରିପନ୍ଥୀ। ସଂଘୀୟ ବ୍ୟବସ୍ଥାରେ ନଦୀ ଜଳ ବଣ୍ଟନ ସୁଷମ ହେବା କଥା। ମାତ୍ର ଛତିଶଗଡ଼ର ମନମୁଖୀ କାର୍ଯ୍ୟ ଯୋଗୁଁ ଓଡ଼ିଶା ସଙ୍କଟରେ ପଡିଛି। ଉପରମୁଣ୍ଡରେ ଥିବାରୁ ଛତିଶଗଡ଼ ଏକାଧିକ ବନ୍ଧବାନ୍ଧି ପାଣି ଅଟକାଇଥିବାବେଳେ ବର୍ଷାଦିନେ ଓଡ଼ିଶା କେବଳ ମହାନଦୀରେ ବନ୍ୟା ଦେଖୁଛି। ଛତିଶଗଡ଼ର ଏଭଳି ଦାଦାଗିରି ଓଡ଼ିଶା ପାଇଁ ଚିନ୍ତାର କାରଣ ହୋଇଛି।
କଲମା ବ୍ୟାରେଜର ସମସ୍ତ ଫାଟକ ବନ୍ଦ ହେବା ଫଳରେ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକର ସୀମାନ୍ତ ସୁଖାସୋଢ଼ା, ସେମେଲିଆ ଆଦି ଗ୍ରାମାଞ୍ଚଳରେ ଜଳକଷ୍ଟ ଅସହ୍ୟ ହେଲାଣି। ନଦୀର ଧାର ଏହି ଅଞ୍ଚଳରେ ଶୁଖି ଯାଉଥିବାରୁ ଚାଷଠାରୁ ଆରମ୍ଭ କରି ଦୈନନ୍ଦିନ କାର୍ଯ୍ୟରେ ଅଞ୍ଚଳବାସୀ ନାନା ସମସ୍ୟାର ସମ୍ମୁଖୀନ ​‌େ​‌ହଉଛନ୍ତି। କଲମା ବ୍ୟାରେଜ ନିର୍ମାଣ ବେଳେ ଛତିଶଗଡ଼ ସରକାର ଏଠାରୁ ପାଣି ରାୟଗଡ଼ ଶିଳ୍ପ ଜିଲାର କଳକାରଖାନାକୁ ଯୋଗାଇବା ଉଦ୍ୟମକୁ ଓଡ଼ିଶାରେ ସବୁ ମହଲରେ ବିରୋଧ କରାଯାଇଥିଲା। ଛତିଶଗଡ଼ ସରକାର ସୀମାନ୍ତ ଓଡ଼ିଶାବାସୀଙ୍କ ସ୍ବାର୍ଥରକ୍ଷା ହେବ ବୋଲି ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ; କିନ୍ତୁ ପ୍ରତିଶ୍ରୁତିର ଓଲଟା କାମ କରିଛି ଛତିଶଗଡ଼।
ସୁଖାସୋଡ଼ା ଓ ସେମେଳିଆ ଗ୍ରାମବାସୀଙ୍କ କହିବା କଥା, ପୂର୍ବରୁ ଗ୍ରୀଷ୍ମ ଋତୁରେ ମଧ୍ୟ ନଦୀ ପ୍ରବାହ ଶୁଖୁ ନ ଥିଲା। ଫଳରେ ମାଛମରା ଓ କୃଷି କାମ ବିଶେଷ ପ୍ରଭାବିତ ହେଉ ନଥିଲା। ହେଲେ ଏବେ ଧାରା ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଥିବାରୁ ସ୍ଥାନୀୟ ଲୋକେ ଦାଦନ ଖଟିବାକୁ ବାହାରକୁ ଗଲେଣି। ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଏଣୁ ମାନବିକତା ଦୃଷ୍ଟିରୁ ଛତିଶଗଡ଼ ଅତି କମ୍‌ରେ ଦଶ ଭାଗ ଫାଟକ ଖୋଲିଲେ ପ୍ରାକୃତିକ ଜଳସ୍ରୋତ ପ୍ରବାହିତ ହୋଇପାରନ୍ତା ବୋଲି ଅଞ୍ଚଳବାସୀ ମତପ୍ରକାଶ କରିଛନ୍ତି।
ନିକଟରେ ମହାନଦୀ ବଞ୍ଚାଓ ଆନ୍ଦୋଳନକାରୀ ଜଳପୁରୁଷ ରାଜେନ୍ଦ୍ର ସିଂହଙ୍କ ନେତୃତ୍ବରେ କଲମାଠାରୁ କଟକ ପର୍ଯ୍ୟନ୍ତ ଯାତ୍ରା କରି ବାସ୍ତବ ସ୍ଥିତିକୁ ଲୋକଲୋଚନକୁ ଆଣିଛନ୍ତି। ମହାନଦୀର ସୁରକ୍ଷା ପାଇଁ ଶ୍ରୀ ସିଂହ ଦୁଇଦିନିଆ ଉପବାସ ରଖି ଭୁବନେଶ୍ବରରେ ସତ୍ୟାଗ୍ରହ କଲେ। ମାତ୍ର ଏ କ୍ଷେତ୍ରରେ ଓଡ଼ିଶା ସରକାର ଯେଉଁଭଳି ତତ୍ପରତା ଦେଖାଇବା କଥା ତାହା ବର୍ତ୍ତମାନ ସୁଦ୍ଧା କରିନାହାନ୍ତି। ମହାନଦୀ ପ୍ରସଙ୍ଗରେ ଶାସକ ବିଜେଡିର ସ୍ବର ଆଉ ଏବେ ଶୁଭୁନାହିଁ ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନକାରୀ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି।
ସେହିପରି ହୀରାକୁଦର ତଳ ମୁଣ୍ଡରେ ତେଲ, ଇବ୍ ଓ ହାତୀ ଆଦି ନଦୀରୁ ଆରମ୍ଭ କରି ତଳମୁଣ୍ଡରେ କାଠଯୋଡି, ଦେବୀ ଓ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ଲମ୍ବିଥିବା ବିଭିନ୍ନ ଶାଖା ନଦୀ ଗୁଡିକରେ ବର୍ଷା ଦିନେ ସମୁଦ୍ରକୁ ବହିଯାଉଥିବା ପାଣିକୁ ସୁବିନିଯୋଗ କରି ଅଣମୌସୁମୀ ସମୟରେ ଚାଷୀଙ୍କ କାମରେ ଲଗାଇବା ପାଇଁ ଅଦ୍ୟାବଧି ବ୍ୟବସ୍ଥା ହୋଇପାରିନି। ଛତିଶଗଡ଼ ପଟୁ ଆସୁଥିବା ମହାନଦୀର ପାଣି ସହ ଓଡିଶାର କେତୋଟି ଅଞ୍ଚଳର ଜଳ ସେଚନ ଓ ପାନୀୟ ଜଳର ସମ୍ବନ୍ଧ ଅଛି ଏବଂ ହୀରାକୁଦର ତଳମୁଣ୍ଡରେ ୫ଟି ଜଳଭଣ୍ଡାର ନିର୍ମାଣର ପ୍ରତିଶ୍ରୁତିର ଅଗ୍ରଗତି ଉପରେ ରାଜ୍ୟ ସରକାର କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ ମହାନଦୀ ଜଳବିବାଦକୁ ନେଇ ଶାସକ ବିଜେଡିର ଆନ୍ଦୋଳନ ଆଉ ନାହିଁ। ୨୦୧୬ ମସିହା ମଧ୍ୟଭାଗରୁ ବିଜେଡି ମହାନଦୀକୁ ରାଜନୈତିକ ପ୍ରସଙ୍ଗ କରିଥିଲା। ୨୦୧୭ ପଞ୍ଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ମହାନଦୀ ଥିଲା ଦଳର ମୁଖ୍ୟ ପ୍ରସଙ୍ଗ। ମହାନଦୀ ଓଡ଼ିଶାର ମା’ ଓ ସାଢେ ୪ କୋଟି ଓଡ଼ିଆଙ୍କ ଜୀବନରେଖା କହି ଭାବନାତ୍ମକ ଭୋଟବ୍ୟାଙ୍କ ରାଜନୀତି ଖେଳିଥିଲା ଦଳ। ପଶ୍ଚିମରୁ ଉପକୂଳ ପର୍ଯ୍ୟନ୍ତ ମହାନଦୀର ପ୍ରବାହିତ ଜିଲା ଗୁଡିକରେ ଦଳ ବିକ୍ଷୋଭ ଓ ଆନ୍ଦୋଳନ କରିଥିଲା। ମାତ୍ର ‘ବାହା ଘର ପରେ ବେଦୀ ମୁହଁ ପୋଡ଼ା’ ଭଳି ନିର୍ବାଚନ ଜିତିବା ପରେ ଏହି ପ୍ରସଙ୍ଗ ନେଇ ଶାସକ ବିଜେଡି ଏବେ ନିର୍ବିକାର ମୁଦ୍ରାରେ ବୋଲି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ବିଜେଡିକୁ ଭୋଟ୍ ଦିଶୁଛି, କିନ୍ତୁ ମହାନଦୀ ଶୁଖିଲା ପଡ଼ିଥିବା ଦେଖାଯାଉନି। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ଦିଗରେ ରାଜ୍ୟ ସରକାର କାହିଁକି ପଦକ୍ଷେପ ନେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଜାତୀୟ ଅନୁସୂଚିତ କମିସନଙ୍କ ପାଖରେ କେନ୍ଦୁଝର ଜିଲାପାଳ ଯେପରି ହାଜର ନ ହେବେ ସେଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ହାଇକୋର୍ଟରେ ବଡ଼ ଓକିଲ ଦେଉଛନ୍ତି; କିନ୍ତୁ ଟ୍ରାଇବୁନାଲରେ ଲଢ଼େଇ କରିବାକୁ ବଡ଼ ଓକିଲ ଦେବାକୁ ସରକାର ଆନ୍ତରିକତା ଦେଖାଉନାହାନ୍ତି। ରାଜ୍ୟ ସରକାର ଏହି ବିବାଦ ନ୍ୟାୟାଳୟରେ ଅଛି ବୋଲି କହି ଚୁପ୍ ହୋଇ ନ ବସି; ବରଂ ଅଂଶୀଦାର ତଥା ବିଭିନ୍ନ ପକ୍ଷଙ୍କ ସହ କଥାବାର୍ତ୍ତା କରି ଓଡ଼ିଶାରେ ମହାନଦୀରେ ଜଳ ପ୍ରବାହକୁ ଅବ୍ୟାହତ ରଖିବାକୁ ପ୍ରଯତ୍ନଶୀଳ ହୁଅନ୍ତୁ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି।
ଅପରପକ୍ଷରେ ଏହି ବିବାଦ ପାଇଁ ଶାସକ ବିଜେଡି ପାଲଟା କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ ଦାୟୀ କରିଛି। ଏହି ପ୍ରସଙ୍ଗରେ ବିଜେଡି ଉପସଭାପତି ତଥା ଶାସକ ଦଳର ବିଧାନସଭା ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ରାଜ୍ୟ ସରକାର ଜଳ ବିବାଦର ସମାଧାନ ପାଇଁ ବହୁବାର ପ୍ରୟାସ କରିଛନ୍ତି। ଏନେଇ ମାମଲା ବର୍ତ୍ତମାନ ନ୍ୟାୟାଳୟରେ ବିଚାରାଧୀନ ରହିଛି। ରାଜ୍ୟ ସରକାର କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ବହୁବାର ଏନେଇ ଜଣାଇଛନ୍ତି। ଏହା ସତ୍ତ୍ବେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଫଳରେ ମାମଲାର ସମାଧାନ ହୋଇପାରୁନି। କେନ୍ଦ୍ର ସରକାର ଯଦି ଉଭୟ ଛତିଶଗଡ଼ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଆଲୋଚନା କରି ମାମଲାର ସମାଧାନ ବାଟ ବାହାର କରନ୍ତେ, ତେବେ ବିବାଦ ତୁଟିପାରନ୍ତା ବୋଲି ଶ୍ରୀମତୀ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି।
ସେହିଭଳି ରାଜ୍ୟ ସରକାରଙ୍କ ଏଭଳି ଉଦାସୀନତାକୁ ନେଇ କଂଗ୍ରେସ ନେତା ତଥା ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ମହାନଦୀକୁ ବଞ୍ଚାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଟ୍ରାଇବୁନାଲରେ ମାମଲାର ତ୍ବରିତ ବିଚାର କରାଯିବା ସହ ଛତିଶଗଡ଼ କଲମା ଫାଟକ ଖୋଲି ଓଡ଼ିଶାରେ ମହାନଦୀର ଜଳପ୍ରବାହକୁ ସ୍ବାଭାବିକ କରିବାକୁ ଦାବି ହୋଇଛି।

Comments are closed.