ମହାନଦୀ କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ ନିର୍ବାଚନୀ ପ୍ରସଙ୍ଗ – ବିଜେପି

ଡେସ୍କ: ମହାନଦୀ ମୋ ମାଁ ଏବଂ ଆବଶ୍ୟକ ପଡ଼ିଲେ ନିଜ ଜୀବନ ଉତ୍ସର୍ଗ କରିବି” ବୋଲି ବଡ ପାଟିରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୮ ମସିହାରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ସୁଖସୁଡା ଗ୍ରାମରେ ଏକଥା କହିଥିଲେ। କିନ୍ତୁ ଓଡ଼ିଶାର ଲାଇଫ ଲାଇନ କୁହାଯାଉଥିବା ମହାନଦୀ ଏବେ ଶୁଖିଲା ପଡ଼ିଛି। ମହାନଦୀର ସୁରକ୍ଷା ଓ ବର୍ଷାଜଳ ସଂରକ୍ଷଣ ଲାଗି ୭ଟି ବ୍ୟାରେଜର କରିବାର ମିଛ ପ୍ରତିଶ୍ରୁତି ଦେଇଥିବା ରାଜ୍ୟ ସରକାର ବର୍ତମାନ ଯାଏଁ ବ୍ୟାରେଜ ନିର୍ମାଣ ଲାଗି ଜାଗା ଚିହ୍ନଟ କରିବାରେ ବିଫଳ ହୋଇଛନ୍ତି। ୫ ବର୍ଷ ପୂର୍ବେ ଏକଦା ମହାନଦୀକୁ ନେଇ ନିର୍ବାଚନ ପ୍ରସଙ୍ଗ କରିଥିବା ମୁଖ୍ୟମନ୍ତ୍ରୀ ଏବଂ ଏହି ପ୍ରସଙ୍ଗରେ ରାଜରାସ୍ତାରେ ଛିଡା ହୋଇ, ହାତରେ ମାଠିଆ ଧରି ମାନବଶୃଙ୍ଖଳ ଜରିଆରେ ଡ୍ରାମାବାଜି କରୁଥିବା ଶାସକ ବିଜେଡିର ନେତୃବୃନ୍ଦ ଆଜି ମହାନଦୀ ପ୍ରସଙ୍ଗରେ ମୌନ ସାଜିଛନ୍ତି ବୋଲି ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି।

ସେ କହିଛନ୍ତି, ମହାନଦୀ ପ୍ରସଙ୍ଗରେ ବିଜେଡିର ମନ୍ତ୍ରୀ, ବିଧାୟକ ତଥା ସ୍ଥାନୀୟ ନେତୃବୃନ୍ଦଙ୍କ କୌଣସି ପ୍ରତିକ୍ରିୟା ନାହିଁ, ବରଂ ଅସମ୍ବେଦନଶୀଳ ହୋଇପଡ଼ିଛନ୍ତି। ଅଣମୌସୁମୀ ସମୟରେ ମହାନଦୀ ଶୁଷ୍କ ଥିବା କାରଣରୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳବାସୀଙ୍କ ଅବସ୍ଥା ଅବର୍ଣ୍ଣନୀୟ। ଚାଷୀକୁଳ ପାଣି ନପାଇବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ଏବଂ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। ଶୁଷ୍କ ପଡ଼ିଥିବା ମହାନଦୀ ଅବବାହିକା ଅଂଚଳବାସୀଙ୍କ ପାଇଁ ଶାସକ ବିଜେଡିର କୌଣସି ଚିନ୍ତା ନାହିଁ, କିନ୍ତୁ ନିର୍ବାଚନରେ ଭୋଟ ହାତେଇବା ପାଇଁ ମାଳ ମାଳ ମନ୍ତ୍ରୀ, ବିଧାୟକ ଓ ନେତାଗଣ ଡେରା ପକାଇଛନ୍ତି।

ସେ ପ୍ରଶ୍ନ କରିଥିଲେ, ବ୍ରଜରାଜନଗର ନିର୍ବାଚନମଣ୍ଡଳୀବାସୀଙ୍କୁ ଚଳିତ ବର୍ଷର ମରୁଡ଼ି ସହାୟତା କେବେ ମିଳିବ? ଲଖନପୁର ବ୍ଲକର ପନିପରିବା ଚାଷୀଙ୍କ ପାଇଁ ମଣ୍ଡି ଓ ଶିତଳଭଣ୍ଡାର କେବେ ନିର୍ମାଣ ହେବ? ବୁଡି ଅଂଚଳ ଏବଂ ଡିପ ବୋରେୱେଲ ସହାୟତାରେ ଚାଷ କରିଥିବା ଧାନ କେଉଁଠି ବିକ୍ରି କରିବେ?

Comments are closed.