ମହାନଦୀ ଜଳବିବାଦ : ସମୟ ଲୋଡ଼ିଲା ଓଡ଼ିଶା

ତଥ୍ୟ ଉପସ୍ଥାପନ ପାଇଁ କମନ ଫର୍ମାଟ ବ୍ୟବହାର ନିମନ୍ତେ ଟ୍ରାଇବୁନାଲଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ : କ୍ରିଷ୍ଣା ଓ କାବେରୀ ଜଳ ବିବାଦ ମାମଲା ଭଳି ମହାନଦୀ ମାମଲାରେ ଓଡ଼ିଶା ଛତିଶଗଡ଼ ସମେତ ଅନ୍ୟ ପକ୍ଷଭୁକ୍ତଙ୍କ ମଧ୍ୟରେ ଦସ୍ତାବିଜ ଆଦାନପ୍ରଦାନ ପାଇଁ କମନ ଫର୍ମାଟ ବ୍ୟବହାର ନିମନ୍ତେ ଟ୍ରାଇବୁନାଲ ପ୍ରସ୍ତାବ ଦେଇଛନ୍ତି। ଆଜି ମାମଲାର ଶୁଣାଣି ବେଳେ ଟ୍ରାଇବୁନାଲ ଅଧ୍ୟକ୍ଷ ଏ ଏମ ଖାଣ୍ଡିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଓଡ଼ିଶା ସରକାରଙ୍କ ଓକିଲ ମୋହନ କତାର୍କୀଙ୍କଠାରୁ ଜାଣିବାକୁ ଚାହିଁଥିଲେ ଯେ ସୂଚନା ଆଦାନପ୍ରଦାନ ପାଇଁ କ୍ରିଷ୍ଣା ଓ କାବେରୀ ଜଳ ବିବାଦ ଟ୍ରାଇବୁନାଲରେ କମନ ଫର୍ମାଟ ବ୍ୟବହାର କରାଯାଉଥିଲା କି ନାହିଁ। ଉତ୍ତରରେ ଆଡଭୋକେଟ କତାର୍କି ଏଭଳି ଫର୍ମାଟ ବ୍ୟବହାର ହେଉଥିଲା ବୋଲି ଖଣ୍ଡପୀଠଙ୍କୁ ଜଣାଇଥିଲେ। ତେବେ ଟ୍ରାଇବୁନାଲରେ କମନ ଫର୍ମାଟ ବ୍ୟବହାର ବିଷୟରେ ଖଣ୍ଡପୀଠ କିଛି ନିର୍ଦେଶନାମା ଜାରି କରିନଥିବା ଜଣାପଡ଼ିଛି। ଛତିଶଗଡ଼ ସରକାର ନିଜ ସପକ୍ଷରେ ଅଧିକ ୪୩ଟି ଦସ୍ତାବିଜ ଟ୍ରାଇବୁନାଲରେ ଉପସ୍ଥାପିତ କରିଥିବାରୁ ଏଗୁଡ଼ିକ ତର୍ଜମା କରିବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଅଧିକ ସମୟ ଲୋଡ଼ା ଯାଇଥିଲା।

ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୯କୁ ଧାର୍ଯ୍ୟ କରାଯାଇଛି। କେନ୍ଦ୍ର ସରକାରଙ୍କ ତରଫରୁ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ମହାନଦୀ ଜଳ ପ୍ରବାହ ବିଷୟରେ ଅନେକ ତଥ୍ୟ ଉପଲବ୍ଧ କରିଥିବା ଜଣାପଡ଼ିଛି।

Comments are closed.