ଲଢ଼ୁଆ ହେଲିକପ୍ଟର ‘ପ୍ରଚଣ୍ଡ’ ବାୟୁସେନାରେ ସାମିଲ

ଯୋଧପୁର (ରାଜସ୍ଥାନ) : ସ୍ବଦେଶ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ହେଲିକପ୍ଟର ‘ପ୍ରଚଣ୍ଡ’ ସୋମବାର ବାୟୁସେନାରେ ସାମିଲ ହୋଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଚଣ୍ଡକୁ ବାୟୁସେନାରେ ସାମିଲ କରାଇଛନ୍ତି।
ଯୋଧପୁରରେ ଆୟୋଜିତ ଉତ୍ସବରେ ନୂଆ ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍‌) ଅନିଲ ଚୌହ୍ବାନ, ବାୟୁସେନା ମୁଖ୍ୟଙ୍କ ସହ ସେନାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଉଦ୍‌ବୋଧନ ଦେଇ ରାଜନାଥ କହିଥିଲେ ପ୍ରଚଣ୍ଡ ସାମିଲ ହେବା ଦ୍ବାରା ବାୟୁସେନାର ଶକ୍ତି ଓ ଦକ୍ଷତା ବୃଦ୍ଧି ପାଇବ। ଏଥିସହ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ସ୍ବାବଲମ୍ବନଶୀଳ ହେବାକୁ ଆଉ ପାଦେ ଆଗେଇଛି। ନବରାତ୍ରି ଅବସରରେ ଯୋଦ୍ଧାଙ୍କ ଭୂମି ରାଜସ୍ଥାନରେ ପ୍ରଚଣ୍ଡ ବାୟୁସେନାରେ ସାମିଲ ହେବା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଦୁଇ ଦଶନ୍ଧି ଧରି ଅନୁସନ୍ଧାନ ଓ ଗବେଷଣାର ଫଳସ୍ବରୂପ ସ୍ବଦେଶ ଜ୍ଞାନକୌଶଳରେ ପ୍ରଚଣ୍ଡ ନିର୍ମାଣ ହୋଇଥିବା ସେ ସୂଚନା ଦେଇଥିଲେ। ବିଗତ ବର୍ଷରେ ଭାରତୀୟ ବାୟୁସେନା ନିମନ୍ତେ ଏକ ଲଢୁଆ ହେଲିକପ୍ଟରର ଆବଶ୍ୟକତା ଅନୁଭୂତ ହୋଇଥିଲା। କାରଗିଲ୍‌ ଯୁଦ୍ଧ ସମୟରେ ଲଢ଼ୁଆ ହେଲିକପ୍ଟରର ଅଭାବ ଦେଶ ଅନୁଭବ କରିଥିଲା। ଏହାକୁ ଦୃଷ୍ଟିରେ ରଖି ସ୍ବଦେଶୀ ଜ୍ଞାନ କୌଶଳରେ ଲଢୁଆ ହେଲିକପ୍ଟର ନିର୍ମାଣ ଯୋଜନା ଆରମ୍ଭ ହୋଇଥିଲା ଏବଂ ଏହା ସଫଳ ହେବା ଭାରତ ନିମନ୍ତେ ଗର୍ବର ବିଷୟ ବୋଲି ସେ କହିଥିଲେ।
ଭାରତୀୟ ବାୟୁସେନା ସର୍ବଦା ଦେଶ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଥିବା ବେଳେ ଲଢୁଆ ଯୁଦ୍ଧ ବିମାନ ସାମିଲ ହେବା ଫଳରେ ଏହାର ଶକ୍ତି ଆହୁରି ବୃଦ୍ଧି ପାଇବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ଭାରତର ପ୍ରୟାସ ଜାରି ରହିବ ବୋଲି ସେ ସୂଚନା ଦେଇଥିଲେ।

ବୈଶିଷ୍ଟ୍ୟ
ପ୍ରଚଣ୍ଡରେ ରହିଛି ୫.୮ ଟନ୍‌ ବିଶିଷ୍ଟ ଇଞ୍ଜିନ୍‌। ଏହି ଇଞ୍ଜିନ୍‌ର ନାମ ଶକ୍ତି ରଖାଯାଇଥିବା ବେଳେ ଏହାକୁ ହିନ୍ଦୁସ୍ତାନ ଏରୋନଟିକ୍‌ସ ଲିମିଟେଡ୍‌ ଓ ଫ୍ରାନ୍ସର ଇଞ୍ଜିନ୍‌ ନିର୍ମାତା ସାଫରନ୍‌ ନିର୍ମାଣ କରିଛନ୍ତି। ଏଥିରେ ୨୦ ମିଲିମିଟର ଗୁରେଟ୍‌ ବନ୍ଧୁକ, ୭୦ ମିଲିମିଟର ରକେଟ ବ୍ୟବସ୍ଥା, ଆକାଶ ମାର୍ଗରୁ ଆକାଶ ମାର୍ଗକୁ ଛଡ଼ାଯାଇ ପାରୁଥିବା କ୍ଷେପଣାସ୍ତ୍ର ରହିଛି। ପର୍ବତାଞ୍ଚଳ ତଥା ଯେକୌଣସି ପାଣିପାଗରେ ଯୁଦ୍ଧ ଲଢ଼ିବାକୁ ଏହା ସକ୍ଷମ। ଲଢ଼େଇ କରିବା ସହ ଉଦ୍ଧାର କାର୍ଯ୍ୟରେ ଏହାକୁ ନିୟୋଜିତ କରାଯାଇ ପାରିବ। ରାତିରେ ଲଢ଼ିବାର ଏହି ହେଲିକପ୍ଟର ଦକ୍ଷ ଥିବା ବେଳେ ଶତ୍ରୁପକ୍ଷର ବଙ୍କର ଧ୍ବଂସ କରିବାରେ ଏହା ପାରଙ୍ଗମ। ଚୀନ୍‌ ଓ ପାକିସ୍ତାନ ସୀମାରେ ଶତ୍ରୁପକ୍ଷକୁ ମୁକାବିଲା କରିବାରେ ପ୍ରଚଣ୍ଡ ବେଶ୍‌ ସହାୟକ ହେବ ବୋଲି ଆଶା କରାଯାଉଛି। ଲଦାଖ ପରି ପାର୍ବତ୍ୟାଞ୍ଚଳରେ ପ୍ରଚଣ୍ଡ ମୁତୟନ ହେବା ଫଳରେ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇବ। ଅନୁପ୍ରବେଶକାରୀଙ୍କୁ ଠାବ କରିବା ସହ ସେମାନଙ୍କ ଉଦ୍ୟମ ପଣ୍ଡ କରିବାରେ ପ୍ରଚଣ୍ଡ ପ୍ରମୁଖ ଭୂମିକା ଗ୍ରହଣ କରିବ।

Comments are closed.