ଅବହେଳିତ ଶିଖରଚଣ୍ଡୀ ପାହାଡ଼ : ପର୍ଯ୍ୟଟନସ୍ଥଳୀ ମାନ୍ୟତା କେବେ ?

ଚନ୍ଦ୍ରଶେଖରପୁର : ଭୁବନେଶ୍ବରର ଐତିହ୍ୟ ସହ ଯୋଡ଼ି ହୋଇ ରହିଛି ମା’ ଶିଖରଚଣ୍ଡୀ ପାହାଡ଼ । ଏହି ପାହାଡ଼ ସହ ଯୋଡ଼ି ହୋଇ ରହିଛି ପୌରାଣିକ, ଐତିହାସିକ କିମ୍ବଦନ୍ତୀ। ନନ୍ଦନକାନନ ବଟାନିକାଲ ଗାର୍ଡେନ ପରେ ମା’ ଶିଖରଚଣ୍ଡୀ ପାହାଡ଼ ପ୍ରତି ପର୍ଯ୍ୟଟକଙ୍କ ଚାହିଦା ବଢ଼ିବାରେ ଲାଗିଛି। ବିବାହ, ବ୍ରତ, ଜନ୍ମଦିନ, ସଭାସମିତି, ପିକ୍‍ନିକ୍‍ ଆଦି ଭୋଜିଭାତ କାର୍ଯ୍ୟ ନିମନ୍ତେ ଲୋକଙ୍କ ଗହଳି ଜମୁଛି; କିନ୍ତୁ ଅଦ୍ୟାବଧି ଏହି ପ୍ରାକୃତିକ ପରିବେଶରେ ସମୃଦ୍ଧ ଶିଖର ଚଣ୍ଡୀ ପାହାଡ଼କୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ମଳିପାରିନାହିଁ ା ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ଏହା ଏବେ ଅବହେଳିତ ଅବସ୍ଥାରେ ଅଛି। ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ ପୂର୍ବତନ ବିଧାୟକ, କର୍ପୋରେଟର ପୂର୍ବରୁ ବହୁଚେଷ୍ଟା କରିଥିଲେ। ସେଥିପାଇଁ ଜଙ୍ଗଲ, ପୂର୍ତ୍ତ, ବିଡିଏ, ବିଏମ୍‌ସି ପଦାଧିକାରୀଙ୍କୁ ନେଇ ଆଲୋଚନା ହୋଇଥିଲା। ଏହାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଏକ କୋଟି ଟଙ୍କା ଅନୁଦାନ ମିଳିଥିଲା। ହେଲେ ଏହି ଟଙ୍କା କୌଣସି କାମରେ ନଲାଗି ସେମିତି ପଡ଼ିରହିଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ପାହାଡ଼ ପାଦଦେଶରେ ପାର୍କିଂସ୍ଥଳ, ଦୋକାନ ଘର, ରାସ୍ତାଘାଟ, ମନ୍ଦିର ଚତୁ ପାର୍ଶ୍ବ ସ୍ଥିତିରେ ସୁଧାର ଆଣିବାକୁ ବିଡିଏକୁ ପ୍ରସ୍ତାବ ଦିଆଯାଇଥିଲେ ହେଁ କୌଣସି ସୁଫଳ ମିଳିନି। ବିଭିନ୍ନ ବିଭାଗର ସମନ୍ୱୟ ଅଭାବ ଯୋଗୁଁ ମା’ ଶିଖରଚଣ୍ଡୀ ପାହଡ଼ ପର୍ଯ୍ୟଟନସ୍ଥଳୀ ମାନ୍ୟତାରୁ ବଞ୍ଚିତ ହେଉଛି।

ଶିଖରଚଣ୍ଡୀ ପାହାଡ଼ ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର।  ୫୦/୬୦ବର୍ଷ ପୂର୍ବେ ତନ୍ତ୍ରଦେବୀ ମା’ଶିଖରଚଣ୍ଡୀ ପୀଠ ନିକାଞ୍ଚନ ଜଙ୍ଗଲ ଥିଲା। ଏହାର ଆଖପାଖରେ ଏକାଧିକ ଶିଳ୍ପାୟନ, ଜାତୀୟ ଅନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି ଉଠିବା ପରେ ପାହାଡ଼ ଓ ଦେବୀଙ୍କ ରୂପରେଖ ଏବେ ସମ୍ପୂର୍ଣ୍ଣ ବଦଳିଯାଇଛି। ଏଠାରେ ପିକ୍‍ନିକ୍‍ ପାଇଁ ୫୦ରୁ ଊର୍ଦ୍ଧ୍ବ ପିଣ୍ଡି ରହିଛି। କମିଟିର ନିଜସ୍ୱ ଅର୍ଥରେ ଷ୍ଟ୍ରିଟ୍‌ ଲାଇଟ ବ୍ୟବସ୍ଥା କରାଯାଇଛି। ପୀଠକୁ ଯିବାପାଇଁ ଅଣ-ଓସାରିଆ ରାସ୍ତା ଥିବାରୁ ଲୋକେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏଠାରେ ପିକ୍‌ନିକ୍‌ ଓ ଯାତ୍ରୀଙ୍କ ଗାଡ଼ିି ପାର୍କିଂ ପାଇଁ ସୁବିଧା ନାହିଁ। ପର୍ଯ୍ୟଟନସ୍ଥଳୀ ମାନ୍ୟତା ମିଳିଲେ ପୀଠର ବିକାଶ ହୋଇପାରନ୍ତା ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି।

Comments are closed.