ଦଶହରା ପାଇଁ ମାଁ ସମଲେଶ୍ୱରୀଙ୍କ ଅଳଙ୍କାର ସଫେଇ

ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ପୀଠରେ ପବିତ୍ର ଦଶହରା ଉପଲକ୍ଷେ ପୂଜାର୍ଚ୍ଚନା ଓ ରିତିନିତି ଆରମ୍ଭ ହୋଇ ସାରିଥିବା କ୍ରମରେ ଗୁରୁବାର ମା ସମଲେଇ ଙ୍କ ଅଳଙ୍କାର ସଫେଇ କାର୍ଯ୍ୟ ସମ୍ପନ୍ନ ହୋଇଛି । ଦିନ ୧୨ଟା ସମୟରେ ମାଁ ସମଲେଶ୍ୱରୀ ପବିତ୍ର ଦଶହରା ସମୟରେ ଧାରଣ କରୁଥିବା ବିଭିନ୍ନ ଅଳଙ୍କାର ଗୁଡିକୁ ବାହାର କରାଯାଇ ସଫା ସୁତୁରା କରାଯିବା ସହିତ ଉତ୍ତମ ରକ୍ଷଣାବେକ୍ଷଣ କରାଯାଇଛି । ଏ ସର୍ମ୍ପକରେ ମୁଖ୍ୟ ପୂଜକ ଅମ୍ବିକା ରାୟ କହିଛନ୍ତି ଯେ, ମାଁ ସମଲେଶ୍ୱରୀଙ୍କ ଷୋଡଶ ଦିବସୀୟ ପୂଜାରମ୍ଭ ହୋଇଯାଇଛି । ପୁଅଁ ଜୁତିଆ ଦିବସ ୧୭ ତାରିଖରୁ ଷୋଡଶ ଦୀପ ପ୍ରଜ୍ୱଳନ କରାଯାଇ ପୂଜାରମ୍ଭ ହୋଇ ସାରିଥିବା ବେଳେ ଆଗାମୀ ୨୫ ତାରିଖ ରବିବାରରେ ମହାଳୟା ଅମାବାସ୍ୟା ପଡୁଥିବାରୁ ସେହି ଦିନ ମାଁ ସମଲେଶ୍ୱରୀଙ୍କ ଧବଳମୁଖୀ ଓ ଗଙ୍ଗା ଦର୍ଶନ କରାଯିବ ।

ଏହି ଦିବସ ଠାରୁ ନବରାତ୍ର ପୁଜାରମ୍ଭ ହେଉଥିବାରୁ ଇତି ମଧ୍ୟରେ ମନ୍ଦିରର ସଫେଇ କାର୍ଯ୍ୟ ଶେଷ କରାଯାଇ ସାରିଛି । ମନ୍ଦିରର ରଙ୍ଗ କାର୍ଯ୍ୟ ମଧ୍ୟ କରାଯାଇଛି । ଗମ୍ଭୀରାର ସଫେଇ ମଧ୍ୟ ଶେଷ ହୋଇଯାଇଛି । ଆଜି ମାଁ ଙ୍କ ଶୃଙ୍ଗାର ପାଇଁ ବ୍ୟବହୃତ ସମସ୍ତ ଅଳଙ୍କାର ଗୁଡିକୁ ସଫେଇ କରାଯାଇଛି । ମହାଳୟା ଠାରୁ ଆରମ୍ଭ ହେଉଥିବା ପୁଜା ଓ ରିତିନିତି ସହିତ ଦଶହରା ପୁର୍ଣ୍ଣମୀ ଦିବସ (କୁମାର ପୁର୍ଣ୍ଣମୀ) ୯ ଅକ୍ଟୋବରରେ ମନ୍ଦିରର ନୂତନ ଧ୍ୱଜାରୋହଣ କରାଯିବ । ଦଶହରା ପୂଜା ପାଇଁ ସମସ୍ତ ପ୍ରାକ ପ୍ରସ୍ତୁତି ଶେଷ ହୋଇ ସାରିଛି ବୋଲି ମୁଖ୍ୟ ପୂଜକ ଅମ୍ବିକା ରାୟ କହିଛନ୍ତି ।

ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ କହିଛନ୍ତି ଯେ, ପୂଜକ ମାନଙ୍କ ସହିତ ଆଲୋଚନା କରାଯାଇ ବିଧିବିଧାନ ଅନୁଯାୟୀ ପୀଠର ପୂଜାର୍ଚ୍ଚନା ପାଇଁ ସମସ୍ତ ସମୟ ନିର୍ଘଣ୍ଟ କରାଯାଇ ସାରିଛି । ଆସନ୍ତା ୨୫ ତାରିଖରେ ପବିତ୍ର ମହାଳୟା ତିଥିରେ ମାଁ ସମଲେଶ୍ୱରୀ ଙ୍କ ଧବଳ ମୁଖୀ ବେଶ ହେଉଥିବାରୁ ଭକ୍ତ ପ୍ରବଳ ସମାଗମ ହେବ ବୋଲି ଆମେ ଆଶା କରୁଛୁ । କରୋନାର ୨ ବର୍ଷ ଅନ୍ତରାଳ ପରେ ଆୟୋଜିତ ହେଉଥିବା ଧବଳମୁଖୀ ବେଶକୁ ଭକ୍ତଗଣ ଦର୍ଶନ କରିବାକୁ ଆତୁର ଥିବାରୁ ଚଳିତ ବର୍ଷ ପ୍ରଶାସନ ଓ ପୁଲିସ ସହିତ ଟ୍ରଷ୍ଟ ମିଳିତ ଭାବରେ ଭକ୍ତଙ୍କ ସୁବ୍ୟବସ୍ଥିତ ଦର୍ଶନର ବ୍ୟବସ୍ଥା କରିଛୁ । ମାଁ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଅଢ଼େଇ ଦିନ ଧରି ଦର୍ଶନ ଦେବେ । ଏଥି ସହିତ ନବରାତ୍ର ପୂଜା ଆରମ୍ଭ ହେଉଥିବାରୁ ମାନସିକ ଦୀପ ପ୍ରଜ୍ୱଳନ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏବେ ମାଁ ପୀଠରେ ବିଧିବିଧାନର ସହିତ ଷୋଡଶ ଉପଚାର ପୂଜା ଚାଲିଥିବା ବେଳେ ଦଶହରାର ଶେଷ ଦିବସ କୁମାର ପୁର୍ଣ୍ଣିମା ଦିନ ମନ୍ଦିରର ଧ୍ୱଜାରୋହଣ ସହିତ ଏହା ସମାପ୍ତ ହେବ ଏବଂ ଏଥି ପାଇଁ ସମସ୍ତ ସମୟ ନିର୍ଘଣ୍ଟ କରାଯାଇଛି । ଏଥି ପାଇଁ ଆଜି ମାଁ ନିୟମିତ ବ୍ୟବହାର କରୁଥିବା ଅଳଙ୍କାର ଓ ଦଶହରା ସମୟରେ ବ୍ୟବହାର କରୁଥିବା ସ୍ୱତନ୍ତ୍ର ଅଳଙ୍କାର ଗୁଡିକୁ ସଫେଇ କରାଯିବା ସହିତ ରକ୍ଷଣାବେକ୍ଷଣ କରାଯାଇଛି । ଏହି ଅଳଙ୍କାର ଗୁଡିକ ମାଁ ସମଲେଶ୍ୱରୀ ଏହି ପବିତ୍ର ଉତ୍ସବ ସମୟରେ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେବେ । ଭକ୍ତ ଙ୍କ ଦର୍ଶନ ପାଇଁ ମହାଳୟା ଦିନ ପ୍ରାତଃ ୫ଟାରୁ ଆରମ୍ଭ ହେବ । ଏଥି ସହିତ ଭକ୍ତ ମାନେ ଶୃଙ୍ଖଳିତ ହୋଇ ଧାଡିରେ ଯାଇ ସୁରୁଖୁରୁରେ ଦର୍ଶନ କରିବା ପାଇଁ ବ୍ୟାରିକେଟ ଓ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ କହିଛନ୍ତି ।

 

ମାଁ ସମଲେଶ୍ୱରୀ ପୀଠରେ ଗତ ୧୭ ତାରିଖରେ ଷୋଡଶ ପୂଜାରମ୍ଭ ହୋଇଥିବା ବେଳେ ୨୫ ତାରିଖ ରବିବାର ମହାଳୟା ଧବଳମୁଖୀ ବେଶ ଓ ଗଙ୍ଗା ଦର୍ଶନ, ୨୬ ତାରିଖ ସୋମବାର ନବରାତ୍ର ପୂଜାରମ୍ଭ ଓ ଅଖଣ୍ଡଦୀପ ପ୍ରଜ୍ୱଳନ, ୨୭ ତାରିଖ ମଙ୍ଗଳବାର ଦ୍ୱିତୀୟା, ୨୮ ତାରିଖ ବୁଧବାର ତୃତୀୟା, ୨୯ ତାରିଖ ଗୁରୁବାର ଚତୁର୍ଥୀ, ୩୦ ତାରିଖ ଶୁକ୍ରବାର ପଞ୍ଚମୀ, ୧ ତାରିଖ ଷଷ୍ଠୀ ଓ ତ୍ରିଦିନାତ୍ମକ ଦୀପ ପ୍ରଜ୍ୱଳନ, ୨ ତାରିଖ ରବିବାର ସପ୍ତମୀ ପୂଜା, ପୀଠରେ ମହାଷ୍ଟମୀ ପୂଜା, ସନ୍ଧିପୂଜା, ମାଁ ଙ୍କ ଖଣ୍ଡାଧୂଆ, ଆଖଡା ନଗର ପରିକ୍ରମା, ଭାଇ ଜିଉଁତିଆ, ୩ ତାରିଖ ସୋମବାର ମହାନବମୀ ପୂଜା, ଆଖଡା ନଗର ପରିକ୍ରମା, ୪ ତାରିଖ ମଙ୍ଗଳବାର ଦଶହରା, ବିଜୟାଦଶମୀ, ନବରାତ୍ର ବିସର୍ଜନ ଓ ରଣଜିତା ଉତ୍ସବ ଏବଂ ୯ ତାରିଖ ରବିବାର କୁମାର ପୂର୍ଣ୍ଣିମାରେ ମାଁ ସମଲେଶ୍ୱରୀଙ୍କ ରାଜରାଜେଶ୍ୱରୀ ବେଶ, ନୂତନ ଧ୍ୱଜାରୋହଣ ହେବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.