ଆରମ୍ଭ ହେଲା ମା’ ଗଜଲକ୍ଷ୍ମୀଙ୍କ ଆରାଧନା

ଉତ୍ତରଭୁବନେଶ୍ୱର/ଚନ୍ଦ୍ରଶେଖରପୁର: ଧନ ଓ ସମ୍ପଦର ଅଧିକାରିଣୀ ମା’ ଗଜଲକ୍ଷ୍ମୀ ଆଜିଠାରୁ ଧରାବତରଣ କରିଛନ୍ତି। ଏଥିପାଇଁ ବିଭିନ୍ନ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଥିବାବେଳେ ସନ୍ଧ୍ୟାରେ ମା’ଙ୍କୁ ଆବାହନ କରାଯାଇଛି। ସରକାରଙ୍କ କୋଭିଡ ଗାଇଡ ଲାଇନ ଅନୁସାରେ କେବଳ ବିଧାନ ରକ୍ଷା ନିମିତ୍ତ ୭ଜଣଙ୍କ ଦ୍ୱାରା ପୂଜା କରାଯାଉଥିବାବେଳେ ଏହା ୭ଦିନ ଧରି ଅନୁଷ୍ଠିତ ହେବ ବୋଲି କର୍ମକର୍ତ୍ତା କହିଛନ୍ତି। ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଅଞ୍ଚଳରେ ୫୦ରୁ ଅଧିକ ମଣ୍ଡପରେ ମା’ ଗଜଲକ୍ଷ୍ମୀ ପାଉଛନ୍ତି। ସହିଦ ନଗର ମଣ୍ଡପରେ ପୂଜା ଆରମ୍ଭ ହୋଇ ଉପଚାର ପୂଜା, ହୋମ ଓ ଆରତୀ ବନ୍ଦନା ସହ ପୁଷ୍ପାଞ୍ଜଳି ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କୁ ଦର୍ଶନ ବାରଣ କରାଯାଇଥିଲା ବୋଲି ସଭାପତି ସଚ୍ଚିଦାନନ୍ଦ ରଥ, ସମ୍ପାଦକ ନାରାୟଣ ମହାପାତ୍ର, ହରିଶ ପ୍ରସାଦ ରଥ, ଲଳିତ କୁମାର ଖୁଣ୍ଟିଆ କହିଛନ୍ତି। ଚନ୍ଦ୍ରଶେଖରପୁର ଅଞ୍ଚଳର ବିଭିନ୍ନ ମଣ୍ଡପରେ ମା’ ଗଜଲକ୍ଷ୍ମୀ ପୂଜା ପାଉଛନ୍ତି। କଳସଯାତ୍ରା ପରେ ଅଧିବାସ ଏବଂ ହୋମ ଯଜ୍ଞ ଆଦି ପୂଜା କାର୍ଯ୍ୟ ଆରମ୍ଭ ହୋଇଛି। ବିଡିଏ କଲୋନୀ, ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ, ଶୈଳଶ୍ରୀବିହାର ଫେଜ୍‌- ୨,୬ ଓ ୭ ପୂଜା ମଣ୍ଡପରେ ଜନଶୂନ୍ୟ େଦଖିବାକୁ ମିଳିଛି। ସେହିପରି ପଟିଆ ଷଣ୍ଢଛକ ନିକଟରେ ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ନିରାଡ଼ମ୍ବର ଭାବେ କରାଯାଉଛି। ଶିଖରଚଣ୍ଡିନଗର, ପ୍ରଶାନ୍ତିବିହାର, ନନ୍ଦନବିହାର, ହାଉସିଂବୋର୍ଡ କଲୋନୀ, କଳାରାହାଙ୍ଗ, ଚନ୍ଦ୍ରଶେଖରପୁର ଥାନା ଛକରେ ଧନଧାତ୍ରୀ ମା’ ଗଜଲକ୍ଷ୍ମୀ ପୂଜା ପାଉଛନ୍ତି। ବିଶେଷକରି ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ପୂଜା ମଣ୍ଡପରେ ଧନଧାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ପ୍ରତିବର୍ଷ ୧୧ଦିନ ଧରି ପାଳନ କରାଯାଉଥିଲା। କଟକଣା େଯାଗୁଁ ଚଳିତ ବର୍ଷ ଦୁଇ/ତିନିଦିନ ମଧ୍ୟରେ ସୀମିତ ରଖାଯାଇଛି।

Comments are closed.