ପୁରୁଣାକଟକ ମା’ ଭୈରବୀଙ୍କ ପୀଠରେ ଷୋଳ ପୂଜା ଆରମ୍ଭ

ଷୋଳ ଦିନ ଧରି ଚାଲିବ ଗୁପ୍ତ ପୁଜା ,ସାଧାରଣ ଭକ୍ତଙ୍କୁ ଦର୍ଶନ ମନା

ହରଭଙ୍ଗା : ଆଜି ଠାରୁ ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଷୋଳପୁଜା ଆରମ୍ଭ ହୋଇଛି । ବୌଦ୍ଧ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୁରୁଣା କଟକ ପୀଠରେ ମଧ୍ୟ ବୁଧୁବାର ଠାରୁ ଷୋଳପୂଜା ଆରମ୍ଭ ହୋଇଛି । ସକାଳୁ ଦେବୀଙ୍କ ନିକଟରେ ରୀତିନୀତି ଅନୁଯାୟୀ ପୁଜାର୍ଚନା କରାଯାଇଥିଲା । ଅପରାହ୍ନ ୪ ଟାରେ ମନ୍ଦିରର ମୁଖ୍ୟ ପୂଜକଙ୍କ ଘରୁ ଏକ ବିରାଟ ଶୋଭାଯାତ୍ରାରେ ଛତ୍ର ଛତ୍ରୀ ଘଂଟ ଘଂଟା ଢୋଲ ନିଶାଣ ଧରି ଭକ୍ତଙ୍କ ଗହଣରେ ଏକ ଶୋଭାଯାତ୍ରାରେ ବାହାରି ମା’ଙ୍କ ପାଟଖଣ୍ଡା ଓ ବିଜୟ ପ୍ରତିମାଙ୍କୁ ନେଇ ପୁରୁଣା କଟକ ବଜାର ପରିକ୍ରମା ପରେ ମନ୍ଦିର ପରିସରରେ ପହଁଚିଥିଲେ। ଆଜି ମଧ୍ୟରାତୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ଷୋଳଦିନ ଧରି ଷୋଳପୂଜା ଚାଲିବ । ମନ୍ଦିରରେ ମାଙ୍କ ପୁଜା ସମ୍ପୁର୍ଣ୍ଣ ଗୁପ୍ତ ଭାବେ ଚାଲିବ ପ୍ରତ୍ୟେକ ମଧ୍ୟରାତ୍ର ରେ ସ୍ୱତନ୍ତ୍ର ପୁଜା ଅନୁଷ୍ଠିତ ହେବ। ପ୍ରଥା ଅନୁଯାୟୀ ଆଜି ଠାରୁ ମା’ଙ୍କ ଦର୍ଶନ ସାଧାରଣ ଭକ୍ତଙ୍କ ପାଇଁ ସଂମ୍ପୁର୍ଣ୍ଣ ନିଷେଧ। ଏପରିକି ମନ୍ଦିର ପରିସରରେ କଥୋପକଥନ ମଧ୍ୟ ନିଷିଦ୍ଧ । ଏହି ଷୋଳ ଦିନ ମନ୍ଦିର ବହାରେ ଥିବା ସାହାଡା ବୃକ୍ଷପୁଜା କରାଯାଇଥାଏ । ଏହିଠାରେ ଭକ୍ତ କେବଳ ଦୀପ ଜାଳି ଥାଆନ୍ତି । ଷୋଳଖଣ୍ଡ ମୌଜାର ଜନସାଧାରଣ ଏହି ପର୍ବରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥାନ୍ତି । ମନ୍ଦିର ପରିଚାଳନା କମିଟିର ସଭାପତି ସୁରେନ କୁମାର ପ୍ରଧାନଙ୍କ ସୂଚନା ଅନୁଯାୟୀ ଷୋଳଦିନ ଧରି ଗୁପ୍ତପୁଜା ଚାଲିବ । ନବମୀ ଦିନ ମା’ଙ୍କ ପୀଠରେ ନବାନ୍ନ ଲାଗିହୁଏ । ଦଶମୀ ଦିନ ଠାରୁ ମା ସବସାଧାରଣଙ୍କୁ ଦର୍ଶନ ଦେଇଥାନ୍ତି ।

Comments are closed.