ସୌଭାଗ୍ୟବତୀ ମା ବାରବରା ୫୦ଲକ୍ଷରେ ଜଣେ

ଆମେରିକାର ମିଚିଗାନ୍ ସହରବାସିନ୍ଦା ହେଲେ ଫେଡ୍ରିକ୍ ଷ୍ଟିନେସ୍ ଓ ତାଙ୍କ ପତ୍ନୀ ବାରବରା ସୋପର୍, ସାଧାରଣ ବର୍ଗର ଏଇ ଦମ୍ପତି ତାଙ୍କ ୩ ପିଲାଙ୍କ ଜନ୍ମ ପରେ ଚର୍ଚ୍ଚା ପରିସରକୁ ଆସିଥିଲେ। ବିଶେଷଜ୍ଞ ଦଳଙ୍କ ଅନୁଧ୍ୟାନ ମଧ୍ୟ ବାରବରାଙ୍କ ଉପରେ ହୋଇଥିଲା ଓ ପରେ ତାଙ୍କୁ ଆଖ୍ୟା ଦିଆଯାଇଥିଲା ‘ସୌଭାଗ୍ୟବତୀ ମା’। ବିବାହର ୩ ବର୍ଷ ପରେ ବାରବରା ପ୍ରଥମଥର ଗର୍ଭବତୀ ହେଲେ, ତାଙ୍କ ପ୍ରଥମ ସନ୍ତାନ ୦୮.୦୮.୦୮ରେ ଜନ୍ମ ହେଲା। ୨୦୦୮ ମସିହା ଅଗଷ୍ଟ ମାସ(୦୮) ୮ତାରିଖରେ ଝିଅର ଜନ୍ମ ହେବାରୁ ସେ ଓ ତାଙ୍କ ସ୍ବାମୀ ଉଭୟ ଖୁବ୍ ଖୁସି ହେଲେ। କିଛି ମାସ ପରେ ବାରବରା ପୁଣି ଗର୍ଭବତୀ ହେଲେ ଓ ଠିକ୍ ବର୍ଷକ ପରେ ତାଙ୍କ ପୁଅ ୦୯.୦୯.୦୯ରେ ଜନ୍ମ ହେଲା। ୨୦୦୯ ମସିହା ସେପ୍ଟେମ୍ବର ମାସ ୯ ତାରିଖ, ଏଥରକ ହସ୍ପିଟାଲ୍ କର୍ତ୍ତୃପକ୍ଷ ଦମ୍ପତିଙ୍କୁ ଅଭିବାଦନ ଜଣାଇଲେ। ଏହା ଏକ ପ୍ରକାର ସଂଯୋଗ ବୋଲି ବାରବରାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଜଣକ କହିଲେ। ଝିଅ ଜନ୍ମର କିଛି ମାସ ପରେ ବାରବରା ତୃତୀୟ ଥର ଗର୍ଭବତୀ ହେଲେ ଓ ସବୁଠୁ ଆଶ୍ଚର୍ଯ୍ୟକର କଥା ଥିଲା, ତାଙ୍କ ତୃତୀୟ ସନ୍ତାନ ୧୦.୧୦.୧୦ରେ ଜନ୍ମ ହେଲା। ବାରବରାଙ୍କର ୩ପିଲା ସ୍ବାଭାବିକ ପ୍ରସବରେ ଜନ୍ମ ନେଇଛନ୍ତି। ୩ ପିଲାଙ୍କ ଜନ୍ମତାରିଖରେ ଏଇ ସାମଞ୍ଜସ୍ୟ ଦେଖାଯିବା ପରେ ବିଶେଷଜ୍ଞ ଦଳ ଅନୁସନ୍ଧାନ କରିଥିଲେ। ୫୦ଲକ୍ଷ ମହିଳାଙ୍କ ମଧ୍ୟରେ ଜଣଙ୍କ ପାଖରେ ଏପରି ସଂଯୋଗ ଦେଖାଯାଉଥିବାବେଳେ ବାରବରା ହିଁ ଏଇ ସୌଭାଗ୍ୟର ଅଧିକାରୀ ଜାଣିବା ପରେ ସେ ଖୁସିରେ କାନ୍ଦି ପକାଇଥିଲେ।