ସୀମାପାର ଆତଙ୍କବାଦ ନୀତି ଯଥାର୍ଥ – ନାଇଡୁ

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ବିରୁଦ୍ଧରେ ବହୁଦିନ ଧରି ସୀମାପାର ଆତଙ୍କବାଦ ନୀତିକୁ ଯଥାର୍ଥ ବୋଲି ପ୍ରତିପାଦନ କରିବା ପାଇଁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନକୁ ପାକିସ୍ତାନ ବ୍ୟବହାର କରୁଥିବା ବିଷୟକୁ ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟା ନାଇଡୁ ତୀବ୍ର ସମାଲୋଚନା କରିଛନ୍ତି। ଆଜର ବୈଜାନ୍‍ର ବାକୁଠାରେ ଅଷ୍ଟଦଶ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଶିଖର ବୈଠକରେ ନାଇଡୁ କହିଛନ୍ତି, ପାକିସ୍ତାନକୁ ନିଜର ତଥା ପଡ଼ୋଶୀ ଓ ବିଶ୍ୱ ହିତ ପାଇଁ ନିର୍ଣ୍ଣାୟକ ଭାବେ ଆତଙ୍କବାଦର ଦମନ କରିବାକୁ ପଡ଼ିବ। ନିରିହ ଲୋକମାନଙ୍କୁ ହତ୍ୟା କରୁଥିବା ଆତଙ୍କବାଦର ସମୂଳେ ମୂଳପୋଛ ପାଇଁ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ ଏକ ସାମୁଖ୍ୟ ଗଠନ କରିବାକୁ ନାଇଡୁ ଆହ୍ୱାନ ଜଣାଇଛନ୍ତି।

ସେ କହିଛନ୍ତି, ଆନ୍ତର୍ଜାତିକ ଶାନ୍ତି, ନିରାପତ୍ତା ଓ ସୀମାସରହଦ ଅତିକ୍ରମ କରି ଆତଙ୍କବାଦ ଏକମାତ୍ର ବିପଦ। ଆତଙ୍କବାଦ ଓ ସେମାନଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତି ଓ ଗୋଷ୍ଠୀଗୁଡ଼ିକୁ ଦମନ କରିବା ପାଇଁ ଆନ୍ତର୍ଜାତିକ ଆଇନ୍‍ ଓ ବ୍ୟବସ୍ଥାଗୁଡ଼ିକୁ ମଜବୁତ କରିବା ସକାଶେ ନାଇଡୁ ଆହ୍ୱାନ ଜଣାଇଛନ୍ତି। ଆତଙ୍କବାଦ ସମ୍ପର୍କୀତ ଆହ୍ୱାନଗୁଡ଼ିକର ମୁକାବିଲା, ବିଶ୍ୱସ୍ତରୀୟ ପ୍ରଶାସନିକ ସଂସ୍କାର, ନିରନ୍ତର ବିକାଶ ଓ ଦକ୍ଷିଣ ଗୋଲାର୍ଦ୍ଧ ମଧ୍ୟରେ ସହଯୋଗ ପାଇଁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ସବୁବେଳେ ପ୍ରଭାବଶାଳୀ ରହିବା ଦିଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଉପରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ଜାତିସଂଘ ନିରାପତ୍ତା ସମେତ ଜାତିସଂଘରେ ସାମ୍ପ୍ରତିକ ବାସ୍ତବତାକୁ ଦୃଷ୍ଟିରେ ରଖି ସଂସ୍କାର ଜରିଆରେ ପ୍ରତିନିଧି ମୂଳକ ଓ ସମାନତା ବିଶ୍ୱ ପ୍ରଶାସନିକ ବ୍ୟବସ୍ଥା ସ୍ଥାପନ କରିବା ପାଇଁ ମଧ୍ୟ ସେ ଆହ୍ୱାନ ଜଣାଇଛନ୍ତି। ‘ସାମ୍ପ୍ରତିକ ବିଶ୍ୱ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକର ସମ୍ମିଳୀତ ପଦକ୍ଷେପକୁ ନିଶ୍ଚିତ କରିବା ପାଇଁ ବନ୍ଦୁଙ୍ଗ୍‍ ନୀତିକୁ ବଜାୟ ରଖିବା’ ଚଳିତ ବୈଠକରେ ଶୀର୍ଷକ ରଖାଯାଇଛି।

Comments are closed.