ଏପ୍ରିଲ ୨୦ ପରେ କୋହଳ ହୋଇପାରେ କଟକଣା, ହେଲେ ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖ ପରେ ଲକ୍ଡ଼ାଉନକୁ କିଛି ସ୍ଥାନରେ କିଛି ପରିମାଣରେ କୋହଳ କରାଯିବ । ଅବଶ୍ୟ ଏଥିପାଇଁ କିଛିଟା ସର୍ତ ରଖାଯିବ । ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା ଆଦି ବାଧ୍ୟତାମୂଳକ ହେବ । ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଉପଲବ୍ଧତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯିବ । କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଲବ୍ ଅଗ୍ରୱାଲ ଗୁରୁବାର ଅପରାହ୍ନରେ ଦେଇଛନ୍ତି ଏହି ସୂଚନା ।

ଅନ୍ୟପକ୍ଷରେ ଲକ୍ଡ଼ାଉନର କାର୍ଯ୍ୟକାରିତାକୁ ଅତ୍ୟନ୍ତ ତୀକ୍ଷ୍ମ ଭାବରେ ନିରୀକ୍ଷଣ କରୁଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଲକ୍ଡ଼ାଉନ ନିୟମର ଉଲ୍ଲଙ୍ଘନ ହେଲେ ସମ୍ପୃକ୍ତ ଅଞ୍ଚଳର ଅଧିକାରୀଙ୍କୁ ଦାୟୀ କରାଯିବ । ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ବି ହୋଇପାରେ । ଏହା ସହ ଅବାଞ୍ଛିତ ଲୋକ ଗହଳି ଓ ସ୍ବାସ୍ଥ୍ୟସେବୀଙ୍କ ବିରୋଧରେ ହିଂସାତ୍ମକ ବ୍ୟବହାର ପାଇଁ ମଧ୍ୟ ସମ୍ପୃକ୍ତ ଅଧିକାରୀଙ୍କୁ ଦାୟୀ କରାଯିବ ।

କରୋନା ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଜାରି କରିଛନ୍ତି ନୂଆ ମାର୍ଗଦର୍ଶିକା । ଏହି ନିର୍ଦେଶ ଅନୁସାରେ ଘରୁ ବାହାରିବାକୁ ହେଲେ ମୁହଁରେ ମାସ୍କ ଲଗାଇବାକୁ ପଡ଼ିବ । ବିନା ମାସ୍କରେ କେହି ଘରୁ ବାହାରକୁ ବାହାରି ପାରିବେ ନାହିଁ । ଏହାର ଉଲ୍ଲଂଘନ ଦଣ୍ଡନୀୟ ଅପରାଧ ଭାବରେ ଗଣାଯିବ । ସେହିପରି ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ ମଧ୍ୟ ବାରଣ କରାଯାଇଛି । ମଦ, ତମାଖୁ, ଖୁଟଖା ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହାବ୍ୟତୀତ ସବୁ କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂକ । କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକତ୍ର ହୋଇ ପାରିବେ ନାହିଁ ବୋଲି ସରକାର ନିର୍ଦେଶ ଦେଇଛନ୍ତି ।

Comments are closed.