କୋଭିଡ ରୋଗୀଙ୍କ ଶରୀରରେ ସଫଳତାର ସହିତ ଦୁଇଟି ଫୁସଫୁସ ପ୍ରତିରୋପଣ

କୋଲକାତା: ଜଣେ ରୋଗୀଙ୍କ ଶରୀରରେ ଏକ ସମୟରେ ଦୁଇଟି ଫୁସଫୁସ ପ୍ରତିରୋପଣ କରାଯାଇଛି। କୋଭିଡ ସଂକ୍ରମିତ ହେବାପରେ ଦୁଇଟିଯାକ ଫୁସଫୁସ ନଷ୍ଟ ହୋଇଯାଇଥିବା ଜଣେ ବ୍ୟକ୍ତିଙ୍କର ଦୁଇଟି ଫୁସଫୁସ ପ୍ରତିରୋପଣ କରାଯିବା ଚିକିତ୍ସା ଜଗତରେ ଏକ ବିରଳ ଘଟଣା ହୋଇଛି। ପୂର୍ବ ଭାରତର ସର୍ବବୃହତ ବେସରକାରୀ ହସ୍ପିଟାଲ ଚେନ ମେଡିକା ସୁପରସ୍ପେଶାଲିଟି ହସ୍ପିଟାଲରେ ଏହି ପ୍ରତିରୋପଣ କରାଯାଇଛି। କୋଭିଡ-୧୯ରେ ସଂକ୍ରମିତ ହୋଇ ଇକ୍ମୋ ଚିକିତ୍ସାରେ ଥିବା ୪୬ ବର୍ଷ ବୟସ୍କ ଜଣେ ରୋଗୀଙ୍କ ଶରୀରରେ ଏହି ପ୍ରତିରୋପଣ କରାଯାଇଛି।  ଫୁସଫୁସକୁ ଗୁଜରାଟର ସୁରଟରୁ ଏୟାର ଆମ୍ବୁଲାନ୍ସ ସହାୟତାରେ ଅଣାଯାଇଥିଲା। ହସପିଟାଲର କାର୍ଡିଆକ ସର୍ଜରୀ ଏବଂ କାର୍ଡିଆକ କ୍ରିଟିକାଲ କେୟାର ବିଭାଗର ଦଳ ଦ୍ୱାରା ଏହି ପ୍ରତିରୋପଣ କରାଯାଇଥିଲା। ଜଣାଯାଇଛି ଯେ ଫୁସଫୁସ ପ୍ରତିରୋପଣ କରାଯାଇଥିବା ବ୍ୟକ୍ତି କୋଲକାତାର ବାସିନ୍ଦା ଏବଂ ଜଣେ ଆଇଟି ବୃତ୍ତିଧାରୀ। ସେ କୋଭିଡ ନିମୋନିଆରେ ଗୁରୁତର ଭାବରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କୁ ଚଳିତ ବର୍ଷ ଜୁନ ମାସ ୯ ତାରିଖରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଠାରେ ଭିଭି- ଇକ୍ମୋ ଚିକିତ୍ସା ଆରମ୍ଭ କରାଯାଇଥିଲା, କିନ୍ତୁ ୯୦ ଦିନରୁ ଅଧିକ କାଳ ଇକ୍ମୋ ଚିକିତ୍ସା ସତ୍ତେ୍ୱ ତାଙ୍କ ଫୁସଫୁସ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇନଥିଲା। ତାଙ୍କ ସମ୍ପର୍କୀୟଙ୍କ ସହିତ ପରାମର୍ଶ କରାଯିବା ପରେ ତାଙ୍କଠାରେ ଫୁସଫୁସ ପ୍ରତିରୋପଣ କରାଯିବା ତାଲିକାରେ ତାଙ୍କ ନାମ ରଖାଯାଇଥିଲା। ପରେ ସୁରଟରେ ଜଣେ ମସ୍ତିଷ୍କରେ ମୃତ ଘୋଷିତ ରୋଗୀଙ୍କ ଶରୀରରୁ ଫୁସଫୁସ ସଂଗ୍ରହ କରାଯାଇ ତାହାକୁ ବିମାନ ଯୋଗେ ଅଣାଯିବା ପରେ ଦୀର୍ଘ ସାତଘଣ୍ଟା କାଳ ଅସ୍ତ୍ରୋପଚାର କରାଯାଇ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଉକ୍ତ ରୋଗୀଙ୍କୁ ସଂପ୍ରତି ଭିଭି-ଇକ୍ମୋ କ୍ରିଟିକାଲ କେୟାର ଚିକିତ୍ସା ବ୍ୟବସ୍ଥାରେ ରଖାଯାଇଛି।

Comments are closed.