୨୮ ବେଳକୁ ଲଘୁଚାପ : ୩ ଜିଲାକୁ ସତର୍କ ସୂଚନା

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୮ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଭଳି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଲଘୁଚାପ ପ୍ରଭାବରେ ୨୮ ତାରିଖରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ତେବେ ବଙ୍ଗୋପସାଗରରେ ୨୨ ତାରିଖରେ ସୃଷ୍ଟ ଲଘୁଚାପ ଏବେ ଉତ୍ତରପଶ୍ଚିମ ଦିଗରେ ଗତି କରି ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଉପରେ ସକ୍ରିୟ ରହିଛି। ଆସନ୍ତା ୪୮ ଘଣ୍ଟାରେ ମଧ୍ୟପ୍ରଦେଶ ଦେଇ ରାଜସ୍ଥାନ ଆଡ଼କୁ ଗତି କରିବ ଓ କ୍ରମଶଃ ଦୁର୍ବଳ ହୋଇଯିବ।
ତେବେ ଲଘୁଚାପ ପ୍ରଭାବରେ ଆସନ୍ତା‌ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର କେତେକ ଅଞ୍ଚଳ ଏବଂ ଦକ୍ଷିଣ ଓଡ଼ିଶାର ଅଳ୍ପ କେତେକ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ବର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ୍‌ ଆୟୁକ୍ତ (ଏସ୍‌ଆରସି) ଜିଲାପାଳ ଏବଂ ମହାନଗର ନିଗମର ଆୟୁକ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଶନିବାର ଅପରାହ୍ଣ ସାଢେ ୫ଟା ସୁଦ୍ଧା ମାଲକାନଗିରି, ତାଳଚେର, ହୀରାକୁଦ, ସମ୍ବଲପୁର, ଝାରସୁଗୁଡା, ଅନୁଗୋଳ, ଗୋପାଳପୁର ଏବଂ ଚାନ୍ଦବାଲିରେ ବର୍ଷା ହୋଇଛି।

Comments are closed.