୨୪ରେ ଲଘୁଚାପ, ୨୬ରୁ ପ୍ରବଳ ବର୍ଷା

ଭୁବନେଶ୍ୱର : ଆସନ୍ତା ୨୪ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ଆଡକୁ ମୁହଁାଇବ। ଏହାର ପ୍ରଭାବରେ ୨୫ ଓ ୨୬ ତାରିଖରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
ସେହିପରି ଲଘୁଚାପ ବୁଧବାର ଝାଡ଼ଖଣ୍ଡର ଦକ୍ଷିଣ ପୂର୍ବ ଅଞ୍ଚଳରେ ସକ୍ରିୟ ରହିଛି। ମୌସୁମି ଜନିତ ନିମ୍ନଚାପ ରେଖା ବାଲେଶ୍ବରର ଦକ୍ଷିଣ ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନ ଏବଂ ଉପକୂଳ ଓଡ଼ିଶାର ଅଳ୍ପ କେତେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲାର ଜାମଶୋଳାଘାଟରେ ସବୁଠୁ ଅଧିକ ବର୍ଷା ୧୫୭.୬ ମିମି, ତିରିଂରେ ୧୧୬.୨ ମିମି, ଚନ୍ଦନପୁରରେ ୯୯.୬ମିମି, କେନ୍ଦୁଝର ଜିଲାର ଚମ୍ପୁଆରେ ୯୮.୪ ମିମି ବର୍ଷା ରେକର୍ଡ କରାଯାଇଛି। ବୁଧବାର ସକାଳ ସାଢେ ୮ଟାରୁ ଅପରାହ୍ଣ ସାଢେ ୫ଟା ସୁଦ୍ଧା ବାଲେଶ୍ବର, ଚାନ୍ଦବାଲି, ବାରିପଦା, ସମ୍ବଲପୁର ଓ ଦାରିଙ୍ଗବାଡିରେ ବର୍ଷା ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.