ଆଜି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିହେବ; ଓଡ଼ିଶା, ଆନ୍ଧ୍ରପଦେଶ ସଜାଗ

ନୂଆଦିଲ୍ଲୀ: ସାଧାରଣତଃ ଅକ୍ଟୋବର ମାସଟି ଓଡ଼ିଶା ପାଇଁ ବାତ୍ୟାର ସମୟ ହୋଇଥିବାବେଳେ ବୁଧବାର ଦିନ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେଉଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଆଡକୁ ଗତିକରି ଓଡ଼ିଶାର ଦକ୍ଷିଣ ଉପକୂଳ ଏବଂ ଆନ୍ଧ୍ରପ୍ରଦେଶର ଉତ୍ତର ଭାଗକୁ ସ୍ପର୍ଶ କରିବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଏହି ଚକ୍ରବାତୀ ଗଠନ ଉପରେ ନଜର ରଖାଯାଇଛି । ଏହା କ୍ରମଶଃ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପର ରୂପ ନେବାକୁ ଯାଉଛି ଏବଂ ବୁଧବାର ଠାରୁ ଘନିଭୁତ ହେବା ଆରମ୍ଭ କରିବ ।
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ କହିଛନ୍ତି ଯେ ଲଘୁଚାପ କ୍ଷେତ୍ର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ନିକଟବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଥିବା ଲକ୍ଷ୍ୟ କରାଯାଇଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତିକରି ଓଡ଼ିଶାର ଦକ୍ଷିଣ ଉପକୂଳ ଏବଂ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳକୁ ଛୁଇଁବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାର ଉପକୂଳ ଏବଂ ଏହା ସଂଲଗ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅକ୍ଟୋବର ୧୫ ତାରିଖରେ ହେବ ଏବଂ ଅକ୍ଟୋବର ୧୬ରୁ ବର୍ଷା ପରିମାଣ ବଢିବା ସମ୍ଭାବନା ରହିଛି । ତେବେ ବିଭିନ୍ନ ପାଣିପାଗ ମଡେଲ ଏହାକୁ ନେଇ ଯେଉଁଭଳି ଆକଳନ କରିଛନ୍ତି ତାହା ଓଡ଼ିଶାବାସୀଙ୍କ ମଧ୍ୟରେ ଭୟ ସଞ୍ଚାର କରିଛି । କାରଣ ଓଡ଼ିଶାରେ ଅଧିକାଂଶ ବଡ ବାତ୍ୟା ଅକ୍ଟୋବର ମାସରେ ସଂଘଟିତ ହୋଇଛି । ୧୯୯୯ର ମହାବାତ୍ୟା ଅକ୍ଟୋବର ୨୯ ତାରିଖରେ ସଂଘଟିତ ହୋଇଥିଲା ଏବଂ ସେଥିରେ ଓଡ଼ିଶାରେ ପ୍ରାୟ ୧୦ ହଜାର ଲୋକଙ୍କର ଜୀବନ ଯାଇଥିଲା । ଫାଇଲିନ, ହୁଦହୁଦ ଏବଂ ତିତଲି ଭଳି ବାତ୍ୟା ମଧ୍ୟ ଯଥାକ୍ରମେ ୨୦୧୩, ୨୦୧୪ ଓ ୨୦୧୮ରେ ଅକ୍ଟୋବର ମାସରେ ଘଟିଥିଲା । ଗତ ସେପ୍ଟେମ୍ବର ମାସରେ ବାତ୍ୟା ଗୁଲାବ ପଡୋଶୀ ଆନ୍ଧ୍ରପ୍ରଦେଶ ଉପକୂଳକୁ ପ୍ରଭାବିତ କରିଥିଲା ।

Comments are closed.