ଲଘୁଚାପ ବର୍ଷାରେ କଖଡିରେ ଶତାଧିକ ଏକର ଧାନଫସଲ ନଷ୍ଟ

ଗୁରୁଡିଝାଟିଆ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗି-ଚୌଦ୍ୱାର ବ୍ଳକର କଖଡିରେ ଶତାଧିକ ଏକର ଧାନ ଫସଲ ନଷ୍ଟ ହୋଇଛି। ଦୀର୍ଘଦିନ ଧରି ବର୍ଷାପାଣି ଧାନ କିଆରୀରେ ରହିବା ଫଳରେ ଧାନଗଛ ନଷ୍ଟ ହୋଇଯାଇଛି। ବିଶେଷତଃ ରୁଆ ଯାଇଥିବା ଧାନ ସଂପୂର୍ଣ୍ଣ ଧୋଇଯିବା ଅବସ୍ଥାରେ ରହିଛି। ଏବେ ଆଉ ଧାନ କିଆରୀକୁ ପୁନର୍ବାର ରୋଇ କିଆରୀକୁ ଠିଆ କରିବା ମଧ୍ୟ ସମ୍ଭବ ନୂହେଁ। ନା ପାଖରେ ଅଛି ଧନ ବା ତଳି ବି ମିଳିବ ନାହିଁ। ଏହାଛଡା ସମୟ ତ ଦିନକୁ ଦିନ ଗଡି ଯାଉଛି। ଏଭଳି ଅବସ୍ଥାରେ ଧାର କରଜ କରି ଧାନ କିଆରୀ କରିଥିବା ଓ ବିଲରେ ରୋଇଥିବା କୃଷକ ଏବେ ମୁଣ୍ଡରେ ହାତଦେଇବସିଛି। ଏପରିକି ଖାଲ ଜମିଗୁଡିକ ସଠିକ୍‍ ଭାବରେ ବେଉଷଣ ମଧ୍‍ୟ ହୋଇପାରିନାହିଁ। ଲଘୁଚାପ ଜନିତ ଲଗାଣ ବର୍ଷା କାହା ପାଇଁ ପୁଷମାସ ତ କଖଡିର କୃଷକମାନଙ୍କ ପାଇଁ ସର୍ବନାଶ ଆଣିଦେଇଛି। କଖଡି ଗାଁର ସରେଇଗାଡିଆ, ପାରିବିଲା, ଚତର, ବାଳିଆବୁଢା ଆଦି ରେ ଶତାଧିକ ଏକର ଖାଲୁଆଜମିରେ ଧାନଫସଲ ଏକପ୍ରକାର ନଷ୍ଟ ହୋଇଯାଇଛି। ଏପରିକି ବହୁ କୃଷକ କାଦୁଅ କରିଥିଲେ ମଧ୍ୟ ଅଧିକା ପାଣି ପାଇଁ ତଳିଆଣି ରଖି ନଷ୍ଟ କଲେ ବରଂ ରୋଇ ପାରିଲେ ନାହିଁ। ବସନ୍ତ କୁମାର ବେହେରା,ବଳରାମ ମୁଦୁଲି, ନାରାୟଣ ମହାନ୍ତି, ଗଙ୍ଗାଧର ବେହେରା,ବିକଳ ଚରଣ ସାହୁ, ମନୋରଞ୍ଜନ ସାହୁ , ସୁଦର୍ଶନ ସାହୁ ଆଦି ବହୁ କୃଷକଙ୍କର ଧାନ କିଆରୀ ଉଜୁଡିଯିବା ଅବସ୍ଥାରେ ରହିଛି। କୃଷି ବିଭାଗ ପକ୍ଷରୁ କୃଷକଙ୍କ ଏଭଳିସ୍ଥିତିରେ କେହି ଦେଖିବାକୁ ଆସୁନଥିବା ବେଳେ ସହାୟତା ପ୍ରଦାନ କରିବା ତ ଦୂରକଥା।

Comments are closed.