ଓଡ଼ିଶାକୁ ସମ୍ଭାବ୍ୟ ବାତ୍ୟାର ଭୟ କମ

ଭୁବନେଶ୍ବର : କେତେକ ମଡେଲ କରିଥିବା ପୂର୍ବାନୁମାନରୁ ଏହା ଜଣାପଡିଛି ଯେ, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ; କିନ୍ତୁ ଅନ୍ୟ କେତେକ ମଡେଲ ବାତ୍ୟା ବିଷୟରେ ନିରବ ରହିଛି। ପାଣିପାଗ ବିବରଣୀ ଲେଖାହେବା ପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ କେବଳ ଅବପାତ କଥା କହିଛି । ଆମେରିକାର ଜଏଣ୍ଟ ଟ୍ରଫନ କେନ୍ଦ୍ର ଆକଳନ ଅନୁଯାୟୀ, ଶୁକ୍ରବାର ସାଢେ ୧ଟା ସୁଦ୍ଧା ଉତ୍ତର ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପଟି ବାତ୍ୟାର ରୂପ ନେଉଛି । ଅପରାହ୍ଣ ସାଢେ ୫ଟାରେ ଘଣ୍ଟା ପ୍ରତି ପବନର ବେଗ ୭୨ କିମି ରହିଥିଲା। ଘଣ୍ଟା ପ୍ରତି ୭ କିମି ବେଗରେ ପ୍ରାୟତଃ ପଶ୍ଚିମ ଆଡକୁ ମୁହଁାଉଛି। ଏହା କ୍ରମଶଃ ଘନୀଭୂତ ହୋଇ ୨୬ ତାରିଖ ସନ୍ଧ୍ୟା ବେଳେ ପଲାସାରୁ ପ୍ରାୟ ୨୦୦ କିମି ପୂର୍ବରେ ସମୁଦ୍ର ମଧ୍ୟରେ ରହିଥିବା ଏବଂ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ କିମି ବହିବ। ଏହାପରେ ମଧ୍ୟରାତ୍ର ବେଳକୁ ସ୍ଥଳଭାଗ ଛୁଇଁ ଦୁର୍ବଳ ହୋଇଯିବ। ଓଡ଼ିଶାରେ ଏହାର ପ୍ରଭାବ ପଡିବ ନାହିଁ। ପାଗ ମେଘୁଆ ରହିବା ସହ ଗଞ୍ଜାମ ଉପକୂଳରେ ପବନର ବେଗ ସାମାନ୍ୟ ବଢ଼ିପାରେ।
ଇସିଏମ୍‌ଡବ୍ଲ୍ୟୁଏଫ୍‌ ମଡେଲ ମଧ୍ୟ କହୁଛି ଏହା ବାତ୍ୟାରୂପ ନେବାର ସମ୍ଭାବନା ରହିଛି। ୨୬ତାରିଖ ମଧ୍ୟାହ୍ନ ପରେ ଓଡ଼ିଶା ଉପକୂଳ ଛୁଇଁପାରେ। ବାତ୍ୟା ନହେଲେ ଗଭୀର ଅବପାତ ହେବାର ସମ୍ଭାବନା ଅଧିକ। ଜିଏଫ୍‌ଏସ୍‌-ଏନ୍‌ସିଇଏଫ୍‌ ଏବଂ ଆଇସିଓଏନ୍‌-୧୩ ମଡେଲ କିନ୍ତୁ ବାତ୍ୟା ବା ଅବପାତ ବିଷୟ ସୂଚାଉ ନାହିଁ। ଏହା ବିଶାଖାପଟନମ ଉପକୂଳରେ ୨୭ରେ ରହିବା ସହିତ ଓଡ଼ିଶାରେ ପବନ ଓ ବିଶେଷ ବର୍ଷାର ସମ୍ଭାବନା ନାହିଁ। ହୁଏତ ଦକ୍ଷିଣ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ; କିନ୍ତୁ ବିସ୍ତୃତ ବର୍ଷାର ସମ୍ଭାବନା ନାହିଁ। ଯେହେତୁ ଭାରତୀୟ ପାଣିପାଗ ବିଭାଗ ବାତ୍ୟା ବିଷୟରେ କହିନାହିଁ ତେଣୁ ଲଘୁଚାପ କି ରୂପ ନେବ ତା’ ଉପରେ ଆଗକୁ ନଜର ରଖିବାକୁ ପଡିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରି ସୂଚନା ଦେଇଛନ୍ତି।

Comments are closed.