MEllora 950×100

ସମସ୍ୟା ଘେରରେ ତଇଁପଦର ଗାଁ: ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଓ ବିଜୁଳି ଏମାନଙ୍କ ପାଇଁ ସାତ ସପନ

ଲାଞ୍ଜିଗଡ: ବଣ ପାହାଡ ଭିତରେ ଆଦିବାସୀ କିପରି ଜୀବନ ଯାପନ କରୁଛନ୍ତି, ସେମାନଙ୍କ ସମସ୍ୟା ସବୁ କଣ ରହିଛି, ଏମାନଙ୍କ ପାଇଁ ସରକାର ଓ ପ୍ରଶାସନର ଦରଦ କେତେ ଏସବୁ ବିଷୟ ବଖାଣୁଛି ଅପହଞ୍ଚ ଗାଁ ତଇଁପଦର । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ପାହାଡ଼ପଦର ପଞ୍ଚାୟତର ଏକ ଆଦିବାସୀ ଗାଁ ତଇଁପଦର । ଏହି ଗାଁରେ ୨୮ଟି ପରିବାର ରହୁଥିବା ୨୦୦ ଶହରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ସମସ୍ୟାର ଚାରି ଛକରେ ବନ୍ଧା ପଡିଛି । ପଞ୍ଚାୟତ ମୁଖ୍ୟାଳୟ ଠାରୁ ମାତ୍ର ୮ କିମି ଦୂରରେ ଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବିଜୁଳି ସବୁ ଦୃଷ୍ଟିରୁ ଅବହେଳିତ ହୋଇ ରହିଛି ଏହି ତଇଁପଦର ଗାଁ। ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ଆସୁଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଉପହାସ କରୁଛି ଏହି ଗାଁ । ଗାଁରେ ବର୍ଷ ବର୍ଷ ଧରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ଓ ବିଜୁଳି ଆଲୋକରୁ ବଞ୍ଚିତ ରହିଛନ୍ତି । ଏହି ଗ୍ରାମବାସୀ ଆଜିକୁ ୧୦୦ ବର୍ଷରୁ ଅଧିକ ସମୟ ଧରି ଏହି ଗାଁରେ ଲୋକେ ବସବାସ କରି ଆସୁଥିଲେ ମଧ୍ୟ ଗାଁର ମୂଖ୍ୟ ସମସ୍ୟା ହେଉଛି ପାନୀୟ ଜଳ । ଗ୍ରାମରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ମଧ୍ୟ ନଳକୂପ ଖୋଳା ଯାଇନାହିଁ । ତେଣୁ ଗ୍ରାମ ନିକଟସ୍ଥ ପ୍ରାୟ ୧କିମି ଦୂର ମଶାଣି ନାଳର ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି । ବର୍ଷା ଦିନେ ପାଣି ଗୁଳିଆ ହେଉଥିବା ବେଳେ ଖରା ଦିନେ ନାଳ ପାଣି ସୁଖୀ ଯାଉଛି । ଏହି ନାଳରେ ବନ୍ୟ ଜନ୍ତୁ, ଗୃହ ପାଳିତ ପ୍ରାଣୀ ଚଳପ୍ରଚଳ କରୁଥିବା ବେଳେ ସେହି ଦୂଷିତ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିବାରୁ ଏମାନଙ୍କ ଶରୀରରେ ରୋଗ ଘର କରି ରହିଛି । ଯାହା ଫଳରେ ମ୍ୟାଲେରିଆ, ଡାଇରିଆ, ପାଇରିଆ, ଜଣ୍ଡିସ ଓ କିଡିନୀ ରୋଗ ଏମାନଙ୍କ ପିଛା ଛାଡ଼ୁନି । ଗ୍ରାମ ପଞ୍ଚାୟତ ଓ ବ୍ଳକ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି ପରେ ବି କେହିମଧ୍ୟ କର୍ଣ୍ଣପାତ କରୁ ନାହାନ୍ତି ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ବହୁଦିନ ପୂର୍ବରୁ ଗାଁରେ ମାତ୍ର ୨ ଗୋଟି ପରିବାରକୁ ଜଙ୍ଗଲ ଜମି ପଟା ମିଳିଥିବା ବେଳେ ଏପର୍ଯ୍ୟନ୍ତ ଅନ୍ୟ କାହାରିକୁ ମିଳିନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି ।ଅଧିକାଂଶ ଲୋକ ଜଙ୍ଗଲରେ ପୋଡ଼ୁଚାଷ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ଗାଁ ଲୋକଙ୍କୁ ଆବାସ ଯୋଜନାରେ ଘର କିମ୍ବା କାଳିଆ ଯୋଜନାରେ ପଇସା ମିଳିନାହିଁ । ଏହି ଦୁର୍ଗମ ପାହାଡ଼ପଦର ପଞ୍ଚାୟତ ଦାଇତ୍ୱରେ ଜଣେ ମହିଳା କୃଷି ଅଧିକାରୀ ରହିଥିବା ବେଳେ ମାସ ମାସ ଧରି ଅନୁପସ୍ଥିତ ରହୁଥିବା ବେଳେ ଏଯାଏଁ ତଇଁପଦର ଗାଁ ଦେଖିନାହାନ୍ତି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ମନରେଗା କିମ୍ବା ଅନ୍ୟ କୌଣସି ଯୋଜନା ଏମାନଙ୍କ ହାତକୁ ଠିକ୍ ଭାବେ କାମ ଦେଇ ପାରିଲାନାହିଁ । ସରକାର ଏହି ଯୋଜନାରେ ଭରପୁର କାମ ଯୋଗାଇ ଦେଇଥିଲେ ମଧ୍ୟ ଦାଇତ୍ୱରେ ଥିବା ପ୍ରଶାସନ କର୍ମଚାରୀଙ୍କ ସହିତ ମିଶି ଦଲାଲ ମାନେ ଠିକାଦାର ସାଜି ବର୍ଷ ବର୍ଷ ଧରି ଏମାନଙ୍କ ବ୍ୟାଙ୍କ ପାସବୁକ ନିଜ ପାଖରେ ରଖି ଫ୍ଲସ ବିଲ୍ କରି ମାତ୍ର କିଛି ପଇସା ଲୋଭ ଦେଖାଇ ସେମାନଙ୍କ ପାସବୁକରୁ ପଇସା ଉଠାଇ ନିଅନ୍ତି । ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ମନ ବଳାଇ ଥିଲେ ମଧ୍ୟ ଦାରିଦ୍ର‌୍ୟର କୋଷାଘାତରେ ଜର୍ଜରିତ ହୋଇ ମାଟିର ମୋହ ଏମାନଙ୍କୁ ଗାଁରେ ବାନ୍ଧି ରଖିଛି । ଗାଁରେ ବିଜୁଳି ସଂଯୋଗ ହୋଇ ନଥିଲା ବହୁ ଅଭିଯୋଗ ପରେ ଗାଁକୁ ବିପିଏଲ ସ୍କିମରେ ବିଦ୍ୟୁତ ଦିଆଗଲା ମାତ୍ର ଆଜିକୁ ଏକ ବର୍ଷ ହେଲା ତାହା ମଧ୍ୟ ଜଳୁନାହିଁ । ଲାଞ୍ଜିଗଡ଼ ଦାୟିତ୍ୱରେ ଥିବା ଯନ୍ତ୍ରୀ ତଥା ବିଦ୍ୟୁତ କର୍ମଚାରୀଙ୍କୁ ବାରମ୍ବାର ଅଭିଯୋଗ ପରେବି କେହି ମଧ୍ୟ ଶୁଣୁନଥିବା ଗାଁ ଲୋକେ କହିଛନ୍ତି । ଯାହା ଫଳରେ ଆଜିବି ଛାତ୍ରଛାତ୍ରୀମାନେ ଡିବିରି ଆଲୋକରେ ପାଠ ପଢୁଛନ୍ତି । କିଛି ଏନଜିଓମାନଙ୍କ କବଜାରେ ଗାଁ ରହିଥିବା ବେଳେ କାଗଜପତ୍ରରେ ବିକାଶ ହେଉଥିବା ଲୋକେ ପ୍ରକାଶ କରିଛନ୍ତି । ଗାଁରେ ପ୍ରାଥମିକ ବିଦ୍ୟାଳୟଟିଏ ନାହିଁ । ଯାହା ଫଳରେ ଗାଁ ପିଲାମାନେ ୬ କିମି ଦୂର ରାସ୍ତା ଦେଇ ନିକଟସ୍ଥ ଗାଁ ପୁଞ୍ଜାମକୁ ପାଠ ପଢିବା ପାଇଁ ଯାଉଛନ୍ତି । ଗାଁ ଲୋକେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ବିଦ୍ୟାଳୟଟିଏ ହୋଇପାରିଲା ନାହିଁ । ଗାଁର କୋମଳମତି ଶିଶୁମାନେ ପ୍ରାଥମିକ ବିଦ୍ୟାଳୟ ପାଇଁ ୬ କିମି ଦୂର ଜଙ୍ଗଲ ରାସ୍ତା ଦେଇ ନିକଟସ୍ଥ ଗାଁକୁ ଯାଉଥିବା ବେଳେ ନିଜ ଗାଁ ତଇଁପଦର ଓ ଜିରା ଗାଁ ମଝିରେ ଏକ ବଡ ନାଳ ରହିଛି । ଯାହା ଫଳରେ ବର୍ଷା ଦିନରେ ସେହି ନାଳ ଦେଇ ଶିଶୁ ମାନଙ୍କୁ ଯିବା ପାଇଁ ସମ୍ଭବ ହେଉନାହିଁ ବୋଲି ଲୋକେ କହିଛନ୍ତି ।

ଅନ୍ୟ ପଟେ ଜଙ୍ଗଲୀ ରାସ୍ତାରେ ବନ୍ୟ ଜନ୍ତୁର ଭୟ ଥିଲେ ମଧ୍ୟ ବାଧ୍ୟ ହୋଇ ଯାତାୟତ କରିଥାନ୍ତି । ସେହିପରି ଅଙ୍ଗନବାଡି କେନ୍ଦ୍ର ନଥିବାରୁ କିଛି ପିଲା ୬ କିମି ରାସ୍ତା ଦେଇ ପୁଞ୍ଜାମ ଗାଁକୁ ଯାଉଛନ୍ତି । ବହୁ ସଂଖ୍ୟକ ଛୋଟ ଛୋଟ ଶିଶୁ ମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଫଳରେ ଅଧିକାଂଶ ୧ ରୁ ୧୦ ବର୍ଷର ଶିଶୁ ଗାଁରେ ହିଁ ରହିଥାନ୍ତି । ସ୍ୱାସ୍ଥ୍ୟ ସେବା କହିଲେ ଏମାନଙ୍କ ପାଇଁ କିଛି ନାହିଁ । ଗାଁକୁ ମାସ ମାସ ଧରି କୌଣସି ଡାକ୍ତର କି ସ୍ୱାସ୍ଥ୍ୟକର୍ମୀ ଆସନ୍ତିନାହିଁ । ଆଶାକର୍ମୀ ହିଁ ଏମାନଙ୍କ ସବୁକିଛି । ଗାଁଠାରୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ୪୦ କିମି ଦୂର ରହିଥିବା ବେଳେ ରୋଗୀଙ୍କୁ ନେବା ଆଣିବା ଏହି ଗାଁ ଲୋକଙ୍କ ପାଇଁ ଅସମ୍ଭବ ହୋଇଥାଏ। ଅନ୍ୟ ପଟେ ଗର୍ଭବତୀ ମହିଳା ଓ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ଗାଁ ନିକଟସ୍ଥ ନାଳ ପାର କରି ୨ କିମି କଚା ରାସ୍ତା ଦେଇ ଗଲା ପରେ ଏମାନଙ୍କୁ ଆମ୍ବୁଲାନ୍ସ ସେବା ମିଳିଥାଏ । ତେଣୁ ଏହି ଗାଁର ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧିମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Comments are closed.