ବିନା ଭକ୍ତରେ ପ୍ରଭୁ ଧବଳେଶ୍ୱର ପଞ୍ଚୁକ ଓ ବଡଓଷା ଯାତ୍ରା ଆରମ୍ଭ ; ୧୭ ରେ ବଡଓଷା

ଗୁରୁଡିଝାଟିଆ :  ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚୁକ ଓ ବଡଓଷା ଯାତ୍ରା ସୋମବାର ଆରମ୍ଭ ହୋଇଛି । ଧବଳେଶ୍ୱର ପୂଜକ ସମିତିର ପୂଜକ ତଥା ନୀତିପାଳିଆ ଅମୂଲ୍ୟ ପତ୍ରୀ ପ୍ରଭୂଙ୍କ ନୀତିକାନ୍ତି ସଂପନ୍ନ କରିଥିଲେ। ଭୋର ୩ଟାରୁ ପହଡ ଖୋଲାଯାଇ ପ୍ରଭୂଙ୍କୁ ୧୦୮ ଗରାରେ ଜଳରେ ସ୍ନାନ କରାଯାଇଥିଲା। ଏହାପରେ ଫୁଲରେ ସୁସଜ୍ଜିତ କରାଯାଇ ବେଶ ଅନୁଷ୍ଠିତ ହୋଇଥିଲା। ମଙ୍ଗଳଆଳତୀ ପରେ ଖେଚୁଡି ଭୋଗ ଅର୍ପଣ କରାଯାଇଥିଲା। ମଧ୍ୟାନ୍ନରେ ସିଙ୍କୁଡି ଭୋଗ ଓ ସନ୍ଧ୍ୟାରେ ପ୍ରଭୁଙ୍କୁ ପୁନର୍ବାର ସ୍ନାନ କରାଯାଇ ଆଳତୀ କରାଯାଇଥିଲା। ପରେ ଦହିବାଟୁଳା ଭୋଗ ପ୍ରଭୁଙ୍କୁ ଅର୍ପଣ ପରେ ମନ୍ଦିର ପହଡ ପଡିଥିଲା।

ରାଜ୍ୟ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ପ୍ରଭୁଙ୍କ ପଞ୍ଚୁକ ଓ ବଡଓଷା ଯାତ୍ରା  ବିନା ଭକ୍ତରେ ଅନୁଷ୍ଠିତ ହୋଇଛି । ପୀଠ ଓ ଏହାର ସଂଲଗ୍ନ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଥିବାରୁ କୌଣସି ଭକ୍ତ ମନ୍ଦିରକୁ ଯାଇନଥିଲେ। କେହି କେହି ଭକ୍ତ ସାଇକେଲଷ୍ଟାଣ୍ଡ ନିକଟରୁ ପ୍ରଭୁଙ୍କୁ ମୁଣ୍ଡିଆ ମାରି ଫେରିଥିଲେ। ୧୪୪ଧାରାକୁ କଡାକଡି କାର୍ଯ୍ୟକାରୀ କରିବା ନିମନ୍ତେ ଗୁରୁଡିଝାଟିଆ ପୁଲିସ ପକ୍ଷରୁ ସାଇକେଲଷ୍ଟାଣ୍ଡ, ଝୁଲାପୋଲ, ମନ୍ଦିର ପ୍ରବେଶ ସ୍ଥାନ ଆଦି ସ୍ଥାନମାନଙ୍କରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । କରୋନା ଯୋଗୁଁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଭକ୍ତଶୂନ୍ୟ ଭାବରେ ପ୍ରଭୁଙ୍କ ପଞ୍ଚୁକ ଓ ବଡଓଷା ଯାତ୍ରା ଅନୁଷ୍ଠିତ ହୋଇଛି । କେବଳ ପୂଜକମାନେ ମନ୍ଦିରରେ ଉପସ୍ଥିତ ରହିପ୍ରଭୂଙ୍କ ନୀତି, ପୂଜା ଓ ଭୋଗ ସହିତ ବେଶ ଆଦି ସଂପନ୍ନ କରୁଛନ୍ତି । ବର୍ଷକରେ ଥରେ ପ୍ରଭୂଙ୍କ ଅଲୌକିକ ଦୁଲ୍ଲଭ ବଡସିଂହାର ବେଶ ପ୍ରତ୍ୟେକ୍ଷ ଭାବରେ ଶ୍ରଦ୍ଧାଳୁମାନେ ଦେଖିବାରୁ ବଞ୍ଚିତ ହେଉଥିବା ବେଳେ ଚଳିତ ବର୍ଷ ବଡ ଓଷା ବ୍ରତାଚାରୀମାନେ ପୀଠରେ ଏକବାର କରି ବଡଓଷା ବ୍ରତ ପାଳନ ସହ ପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ । ଆଠଗଡ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଦେବୋତ୍ତର କର୍ମଚାରୀ ଓ ପୂଜକମାନେ ପୀଠରେ ଉପସ୍ଥିତ ରହି ପ୍ରଭୂଙ୍କ ନୀତିକାର୍ଯ୍ୟ ସଂପନ୍ନ କରିଥିଲେ। ଆସନ୍ତା ୧୭ ତାରିଖ ବୁଧବାର ପ୍ରଭୂଙ୍କ ବଡଓଷା ବ୍ରତ ଅନୁଷ୍ଠିତ ହେବ। ତତ୍ ସହିତ ପ୍ରଭୂଙ୍କ ଦୁର୍ଲ୍ଲଭ ବଡସିଂହାର ବେଶରେ ସଜ୍ଜିତ ହେବ। ରାତ୍ରର ୩ୟ ପ୍ରହରରେ ପ୍ରଗୁଙ୍କ ନିକଟରେ ଗଜଭୋଗ ଅର୍ପଣ କରାଯିବ।

Comments are closed.