ସାବଧାନ ! ମାତିଛନ୍ତି ଲୁଟିଆ
- ଟାର୍ଗେଟରେ ମହିଳାଙ୍କ ଭ୍ୟାନିଟ୍,- ସପ୍ତାହକରେ ୨୦ରୁ ଅଧିକ ଅଭିଯୋଗ,- ନଜର ରଖୁନି ପୁଲିସ

ଭୁବନେଶ୍ୱର : ରାଜଧାନୀରେ ଗତ କିଛି ଦିନ ହେବ ଲୁଟିଆ ଆତଙ୍କ ଖେଳାଇବାରେ ଲାଗିଛନ୍ତି। ପ୍ରତିଦିନ ସହରର କେଉଁଠି ନା କେଉଁଠି ମୋବାଇଲ ଫୋନ୍, ସୁନାଚେନ୍ ଓ ଭ୍ୟାନିଟ୍ ଝାମ୍ପି ନେଉଥିବାର ଅଭିଯୋଗ ହେଉଛି। ଗତ ସପ୍ତାହକ ମଧ୍ୟରେ ୨୦ରୁ ଊର୍ଦ୍ଧ୍ବ ଲୁଟ୍ପାଟ୍ ଓ ଚୋରି ଘଟଣା ସାମ୍ନାକୁ ଆସିଛି।
ନୂଆପଲ୍ଲୀ ଥାନା ଅଧୀନ ସିଆର୍ପିରୁ ଫାୟାରଷ୍ଟେସନ ରାସ୍ତା ମଧ୍ୟରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଗତ ଶୁକ୍ରବାର ଶିକ୍ଷୟିତ୍ରୀ ନିଳୀମା ବେହେରା ଛିନ୍ତାଇର ସମ୍ମୁଖୀନ ହୋଇଛନ୍ତି। ଦିନ ସାଢ଼େ ୧୦ଟା ସମୟରେ ସେ ସ୍କୁଟିରେ ତେଲ ପକାଇ ବାହାରୁଥିବା ସମୟରେ ଗୋଟିଏ ବାଇକ୍ରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ ଭ୍ୟାନିଟ୍ ଝାମ୍ପି ନେଇଥିଲେ। ବ୍ୟାଗ୍ରେ ମୋବାଇଲ ଫୋନ୍, ନଗଦ ୨୦୦୦ ଟଙ୍କା ଏବଂ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଥିଲା। ସେହିପରି ଦିନ ସାଢ଼େ ୧୨.୩୦ ସମୟରେ ବରମୁଣ୍ଡା କାଳୀମନ୍ଦିର ପଛପଟ ରାସ୍ତାରେ ଯାଉଥିବା ବେଳେ ଶୀତଲ ପଟ୍ଟନାୟକ ନାମକ ଜଣେ ମହିଳାଙ୍କୁ ତିନିଜଣ ଯୁବକ ପିଛା କରି ତାଙ୍କ ଭ୍ୟାନିଟ୍ ଛଡ଼ାଇ ନେଇଥିଲେ। ସେ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଅନୁରୂପ ଭାବେ ଅପରାହ୍ଣ ୩ଟା ୧୫ରେ ୟୁନିଟ୍-୮ସ୍ଥିତ ସରକାରୀ ହାଇସ୍କୁଲ ନିକଟରେ ମୋବାଇଲ ଫୋନ୍ରେ ଗପୁଥିବା ବେଳେ ଗୌତମ ସାହୁଙ୍କ ହାତରୁ ଗୋଟିଏ ବାଇକ୍ରେ ଦୁଇ ଜଣ ଲୁଟିଆ ପଛପଟୁ ଆସି ଫୋନ୍ ଝାମ୍ପି ନେଇଥିଲେ। ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଶୁକ୍ରବାର ଦିନ ୧୧ଟା ସମୟରେ ଟ୍ୟୁସନ୍ ସାରି ଫେରୁଥିବା ଜଣେ ଛାତ୍ରୀଙ୍କ ମୋବାଇଲ ଫୋନ୍ ଲୁଟିଆ ଛଡ଼ାଇ ନେଇଥିଲେ। ଆଇଆର୍ସି ଭିଲେଜ ଅଞ୍ଚଳର ନୂପୁର ପିୟାଲି ଟ୍ୟୁସନ୍ ସାରି ଫେରୁଥିବାବେଳେ ସ୍ବପ୍ନେଶ୍ବର ମନ୍ଦିର ନିକଟରେ ଦୁଇଜଣ ଯୁବକ ତାଙ୍କଠାରୁ ଫୋନ୍ ଛଡ଼ାଇ ନେଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ।
ଶନିବାର ଅନ୍ନପୂର୍ଣ୍ଣା ମିଶ୍ର ଜନପଥରେ ରାତି ସାଢ଼େ ୮ଟା ସମୟରେ ଯାଉଥିବା ସମୟରେ ଜଣେ ଦୁର୍ବୃତ୍ତ ସାମ୍ନା ପଟୁ ଆସି ତାଙ୍କ ସୁନାଚେନ୍ ଝାମ୍ପି ନେଇ ପଳାଇଥିଲା। ଏନେଇ ଖାରବେଳନଗର ଥାନାରେ ସେ ଅଭିେଯାଗ କରିଥିଲେ। ସୋମବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ନୂଆପଲ୍ଲୀ ନୟାଗଡ଼ ସାହି ନିକଟ ଦେଇ ଘରକୁ ଫେରୁଥିବାବେଳେ ରାଜଲକ୍ଷ୍ମୀ ସ୍ବାଇଁଙ୍କଠାରୁ ମୋବାଇଲ ଫୋନ୍ ଏବଂ ମନିପର୍ସ ଛଡ଼ାଇ ନେଇ ଜଣେ ଦୌଡ଼ି ପଳାଇଥିଲା। ସେ ଦୁର୍ବୃତ୍ତକୁ ଗୋଡ଼ାଇ ଧରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଧରିପାରି ନ ଥିଲେ। ପରେ ସ୍ଥାନୀୟ ଲୋକଙ୍କୁ ପଚାରିବାରୁ ଉକ୍ତ ଯୁବକ ନୟାଗଡ଼ ସାହିର ମିଟୁ ବୋଲି ଜାଣିବାକୁ ପାଇଥିଲେ। ସେ ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ସୋମବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ କଂଗ୍ରେସ ଭବନ ନିକଟରେ ଛିଡ଼ା ହୋଇଥିବାବେଳେ କଳା ପଲ୍ସରରେ ଦୁଇ ଜଣ ଯୁବକ ଆସି ଶରତ ଚନ୍ଦ୍ର ପ୍ରଧାନଙ୍କ ମୋବାଇଲ ଫୋନ୍ ଝାମ୍ପି ନେଇ ପଳାଇଥିଲେ। ଶରତ ବାଲେଶ୍ବରରୁ ଆସି ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯିବା ପାଇଁ ରାସ୍ତାକଡ଼ରେ ଅଟୋକୁ ଅପେକ୍ଷା କରିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ। ଏନେଇ କ୍ୟାପିଟାଲ ଥାନାରେ ସେ ଅଭିଯୋଗ କରିଥିଲେ।
ମଙ୍ଗଳବାର ରାତି ସାଢ଼େ ୧୦ଟାବେଳେ ବସ୍କୁ ଅପେକ୍ଷା କରି ଜାତୀୟ ରାଜପଥ କଡ଼ରେ ଠିଆ ହୋଇଥିବାବେଳେ କିଶୋର ଚନ୍ଦ୍ର ସାହୁଙ୍କଠାରୁ ଦୁଇ ଜଣ ଦୁର୍ବୃତ୍ତ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ। ପରେ ସେ ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ଆଇଆରସି ଭିଲେଜ ଅଞ୍ଚଳରେ ସ୍ମୃତିରଞ୍ଜନ ସାହୁ ତାଙ୍କ ବନ୍ଧୁଙ୍କ ପାଖକୁ ଯାଉଥିବାବେଳେ ଦୁଇଜଣ ଦୁର୍ବୃତ୍ତ ଏକ ପଲ୍ସର ବାଇକ୍ରେ ଆସି ତାଙ୍କ ମୋବାଇଲ ଫୋନ୍ ଝାମ୍ପି ନେଇ ପଳାଇଥିଲେ।
କମିସନରେଟ୍ ପୁଲିସ ଲୁଟ୍ ଓ ଛିନ୍ତାଇ କରୁଥିବା ଲୁଟିଆଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କ ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଯୋଜନା କରିଥିଲା। ଗତ ୫ ବର୍ଷର ଛିନ୍ତାଇ ଘଟଣାରେ ୩୫୦ ଜଣ ଲୁଟିଆଙ୍କ ତାଲିକା ପ୍ରସ୍ତୁତ କରିଥିଲା। ଏହି ଲୁଟିଆାଙ୍କ ଷ୍ଟାଟସ୍ ରିପୋର୍ଟ ଦେବାକୁ ପ୍ରତି ଥାନାକୁ ନିର୍ଦେଶ ଦିଆଯାଇଥିଲା। କେବଳ ସେତିକି ନୁହେଁ ପେସାଦାର ଅପରାଧୀଙ୍କୁ ଏନ୍ଏସ୍ଏରେ ବୁକ୍ କରି ତଡ଼ିପାର ପାଇଁ ଯୋଜନା କରିଥିଲା। ହେଲେ ସେ ସବୁ ଯୋଜନା କାଗଜପତ୍ରରେ ସୀମିତ ରହିଛି। ଫଳରେ ଲୁଟିଆମାନେ ନିର୍ଭୟରେ ସହରର ବିଭିନ୍ନ ଅଞ୍ଚଳରୁ ଲୁଟ୍ପାଟ୍ କରୁଛନ୍ତି।