ମାରଣାସ୍ତ୍ର ଦେଖାଇ ସିଙ୍ଗାରୀ ଘାଟିରୁ ବାଇକ୍ ଲୁଟ

କଲମପୁର :  କଲମପୁର  ଥୁଆମୁଳ- ରାମପୁର ରାସ୍ତାର ସିଙ୍ଗାରୀ ଘାଟିର ଦ୍ୱିତୀୟ ମୋଡାଣି ନିକଟରୁ ଜନୈକ ବ୍ୟକ୍ତିଙ୍କ ବାଇକ୍ କୁ ଦୁଇଜଣ ଦୁବୃର୍ତ୍ତ ଲୁଟି ନେବା ଭଳି ଘଟଣା କଲମପୁର ଓ ଥୁଆମୁଳ ରାମପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ସୁଚନା ଅନୁସାରେ କଲମପୁର ବ୍ଲକ ଅଧିନସ୍ଥ ବନ୍ଧକନା ଗ୍ରାମର ଦୟା ନାଏକ ନାମକ ଜଣେ ବ୍ୟକ୍ତି କୌଣସି କାମରେ ଥୁଆମୁଳ-ରାମପୁର ଥାନା ଅଧିନସ୍ଥ ଗୁଣପୁରକୁ ଯାଇ ସିଙ୍ଗାରୀ ଘାଟି ରାସ୍ତା ଦେଇ ନିଜ ଘରକୁ ଫେରୁଥିଲେ । ସିଙ୍ଗାରୀ ଘାଟିର ଶେଷ ମୁଣ୍ଡରେ ଥିବା ଏକ ବୁଲାଣି ନିକଟରେ ପୂର୍ବରୁ ଛକି ରହିଥିବା ଦୁଇଜଣ ଯୁବକ ଦୟାକୁ ଅଟକାଇଥିଲେ । ଦୟା ଗାଡି ଅଟକାଇବା ପରେ ଜଣେ ଯୁବକ ଏକ ଠେଙ୍ଗାରେ ଅତର୍କିତ ଭାବେ ଦୟା ଉପରେ ଆକ୍ରମଣ କରିଥିଲେ। କିନ୍ତୁ ଦୟା ସେହି ଠେଙ୍ଗାକୁ ଅଟକାଇ ଦେଇଥିଲେ । ଅନ୍ୟ ଜଣେ ଯୁବକ ଏକ ଭୁଜାଲି ଆଣି ଦୟାର ବେକରେ ଲଗାଇଦେଇଥିଲେ। ଅନ୍ୟ କିଛି ଉପାୟ ନପାଇ ନୀରବି ଯାଇଥିଲା ଦୟା । ଏହାପରେ ତାଠାରୁ ଗାଡି ଛଡେଇ ନେଇ କଲମପୁର ରାସ୍ତାରେ ଫେରାର ମାରିଥିଲେ ଦୁଇ ଦୁବୃର୍ତ୍ତ । ଏହାପରେ ଦୟା ଚାଲି ଚାଲି ଆସି କଲମପୁର ଫାଣ୍ଡିରେ ନିଜର ବାଇକ ଲୁଟ ନେଇ ଏକ ଅଭିଯୋଗ କରିଥିଲେ। ବାଇକ ଲୁଟ ନେଇ ଜୟପାଟଣା ଥାନାରେ ମାମଲା ରୁଜୁ କରାଯାଇଛି ।

ସୁଚନାଯୋଗ୍ୟଯେ, କଲମପୁର ଥୁଆମୁଳ-ରାମପୁର ମୁଖ୍ୟ ରାସ୍ତାର ଏହି ସିଙ୍ଗାରୀ ଘାଟି ରାସ୍ତା ଏବେ ଅପରାଧିଙ୍କ ଚରାଭୁଇଁ ପାଲଟିଛି । କଲମପୁର ଅଂଚଳରେ ଆବଶ୍ୟକ ମୁତାବକ ସୁରକ୍ଷା ବଳ ନଥିବାରୁ ଗଞ୍ଜେଇ ମାଫିଆଙ୍କ ପାଇଁ ଏହି ରାସ୍ତା ନିର୍ବିଘ୍ନରେ ଖସିଯିବାର ସୁଯୋଗ ସୃଷ୍ଟି କରିଛି । ଅନ୍ୟପଟେ କଲମପୁର ଅଂଚଳରେ ଦିନକୁ ଦିନ ଲୁଟ ଘଟଣା ବଢି ଚାଲିଥିଲେ ମଧ୍ୟ ପୁଲିସ ନୀରବ ଦର୍ଶକ ସାଜିଛି । ଗତ କିଛି ଦିନ ତଳେ ପାତ୍ରବସାର ଜନୈକ ବ୍ୟବସାୟୀଙ୍କ ଘରରୁ ୧୦ ଲକ୍ଷ ଟଙ୍କାରୁ ଅଧିକ ସୁନାଗହଣ ଚୋରୀ ହେଇଥିଲେ ମଧ୍ୟ ଏଯାଏଁ ପୁଲିସ ହାତ ଖାଲି। ପୁଣି ଏବେ ବାଇକ ଲୁଟ ଘଟଣା ପୁଲିସ ପାଇଁ ଅପରାଧିଙ୍କ ଖୋଲା ଚେଲେଞ୍ଜ ବୋଲି ସାଧାରଣରେ ଆଲୋଚନା ହେଉଛି । ଅନ୍ୟପଟେ ଥୁଆମୁଲ ରାମପୁର ଠାରେ ଏକ ଆଇଆରବି କ୍ୟାମ୍ପ ରହୁଥିବାରୁ ଏହି ଯବାନ ମାନଙ୍କ ଦ୍ୱାରା ସିଙ୍ଗାରୀ ଘାଟି ଅଂଚଳରେ ପାଟ୍ରୋଲିଂର ବ୍ୟବସ୍ଥା କରାଗଲେ ଅପରାଧ ନିୟନ୍ତ୍ରଣ କରାଯାଇ ପାରନ୍ତା ବୋଲି ମତ ପ୍ରକାଶ ପାଉଛି।

Comments are closed.