ସିମେଣ୍ଟ ଦୋକାନୀଙ୍କୁ ବନ୍ଧୁକ ଦେଖାଇ ୨୦ ହଜାର ଟଙ୍କା ଓ ମୋବାଇଲ୍‍ ଲୁଟ

ପିପିଲି/ବାଳକାଟି: ପିପିଲି ଥାନା ଅନ୍ତର୍ଗତ ଗୁଡିଆପୋଖରୀ ବଜାରରେ ଥିବା ଏକ ସିମେଣ୍ଟ ଦୋକାନୀଙ୍କୁ ବନ୍ଧୁକ ଓ ଛୁରୀ ଦେଖାଇ ନଗଦ ୨୦ହଜାର ଟଙ୍କା ଓ ମୋବାଇଲ୍‍ ଲୁଟ୍‍ ହୋଇଛି। ଶନିବାର ସଂନ୍ଧ୍ୟାରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ଲୁଟ୍‍ ଘଟଣା ଘଟିଥିବା ବେଳେ ଲୁଟ୍‍ର ଶିକାର ହୋଇଥିବା ଦୋକାନୀ ଏ ସଂପର୍କରେ ରାତିରେ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଲୁଟେରାକୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି।

ଗୁଡିଆପୋଖରୀ ବଜାରର ସଙ୍ଗୁଳାଇଶାସନ ଗ୍ରାମ୍ୟରାସ୍ତାରେ ଥିବା ମା’ମଙ୍ଗଳା ଟ୍ରେଡର୍ସ ସିମେଣ୍ଟ ଦୋକାନର ମାଲିକ ସୁବାଷ ଚନ୍ଦ୍ର ଉପାଧ୍ୟାୟ ଶନିବାର ସଂନ୍ଧ୍ୟା ୬ଟା ୨୦ ମିନିଟ୍‍ ସମୟରେ ଏକୁଟିଆ ଦୋକାନରେ ଥିବା ବେଳେ ଲୁଟ୍‍ର ଶିକାର ହୋଇଥିଲେ। ଜଣେ ଦୁର୍ବୁତ୍ତ ଏକ ବାଇକ୍‍ରେ ଆସି ଶ୍ରୀ ଉପାଧ୍ୟାୟଙ୍କୁ ବନ୍ଧୁକ ଓ ଛୁରୀ ଦେଖାଇ ତାଙ୍କୁ ଭୟଭୀତ କରିବା ସହ ଦୋକାନ ଡ୍ରୟରରେ ଥିବା ନଗଦ ୨୦ହଜାର ଟଙ୍କା ଓ ରେଜା ପଇସା ମୋବାଇଲ୍‍ ଫୋନ୍‍କୁ ଲୁଟିନେଇ ଫେରାର ହୋଇଯାଇଥିଲା। ଲୁଟେରା ଜଣକ ଡେଙ୍ଗା ଓ ଶ୍ୟାମଳ ବର୍ଣ୍ଣର ହୋଇଥିବା ବେଳେ ମୁଣ୍ଡରେ ହେଲମେଟ୍‍ ଲଗାଇଥିଲା। ଏ ସଂପର୍କରେ ସୁବାଷ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିବା ବେଳେ ଆଇଆଇସି ଅଭିମନ୍ୟୁ ନାୟକଙ୍କ ନିର୍ଦ୍ଦେଶରେ ପିପିଲି ଥାନା ଓ କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଲୁଟେରାକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି। ଏହି ଲୁଟ୍‍ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଗୁଡିଆପୋଖରୀ ବଜାର ବ୍ୟବସାୟୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ସୂଚନା ମିଳିଛି।

Comments are closed.