ଚୋର, ଠକଙ୍କୁ ସାବଧାନ; ଘର, ରାସ୍ତା ଓ ବ୍ୟାଙ୍କ ଆକାଉଣ୍ଟ ସୁରକ୍ଷିତ ନୁହେଁ

ଭୁବନେଶ୍ବର : କାଠୁଆ ଶୀତରେ ପୁଲିସର କୋହଳ ପାଟ୍ରୋଲିଂର ଫାଇଦା ନେଉଛନ୍ତି ଲୁଟିଆ। ଘର ରାସ୍ତା ସବୁଠି ତାଙ୍କର ପ୍ରଭାବ ଦେଖାଉଛନ୍ତି। ପରିବାର ଲୋକଙ୍କୁ ବାହାର ପଟୁ ତାଲା ପକାଇ ଘରେ କଳାକନା ବୁଲାଇ ଦେଉଛନ୍ତି, ପୁଣି ରାସ୍ତା ଉପରୁ ସୁନାଗହଣା ଝାମ୍ପି ନେଉଛନ୍ତି। କେତେବେଳେ ପୁଲିସର ପରିଚୟ ଦେଇ ବରିଷ୍ଠ ନାଗରିକଙ୍କୁ ଟା​‌େ​‌ର୍ଗଟ କଲେଣି ତ’ କାହାକୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଲୁଟିଲେଣି। ଅନଲାଇନ ଜରିଆରେ ମଧ୍ୟ ସାଇବର ଠକ ସକ୍ରିୟ ହେଲେଣି। ଫେସବୁକ୍‍ ଚାଟିଂ, ହ୍ବାଟ୍ସ୍‌ ଆପ୍‌ ଚାଟିଂ, ଓଏଲ୍‌ଏକ୍ସ , ଫୋନ୍‌ ପେ, ହ୍ବାଟସ୍‌ ଆପ୍‌,ଗୁଗୁଲ୍‌ ପେ, ପେଟିଏମ୍‌ ପେ ଜରିଆରେ ଲୋକଙ୍କୁ ଭୁଆଁ ବୁଲାଇ ସେମାନଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ନିମିଷକେ ମଧ୍ୟରେ ଖାଲି କରିଦେଉଛନ୍ତି। କମିସନରେଟ ପୁଲିସ ପାଇଁ ସେମାନଙ୍କୁ ଠାବକରି କାର୍ଯ୍ୟାନୁଷ୍ଠାନ ନେବା ଏକ ପ୍ରମୁଖ ଆହ୍ବାନ। ଘର, ରାସ୍ତା, ବ୍ୟାଙ୍କ ଆକାଉଣ୍ଟ ଆଉ ସୁରକ୍ଷିତ ନୁହେଁ ବୋଲି ଲୋକେ ଅଭିଯୋଗ କଲେଣି।

କବାଟ ବନ୍ଦ ଓ ଦୋକାନ ତାଡି ଚୋରି
ଶୈଳଶ୍ରୀ ବିହାର ଫେଜ-୭ରେ ଟିସିଏସ କମ୍ପାନୀରେ ସ୍ମାରକ ଦାସ କାର୍ଯ୍ୟ କରନ୍ତି। ସେ ତାଙ୍କ ସ୍ତ୍ରୀ ଓ ୫ବର୍ଷର ପୁଅ ସହ ଘରେ ଶୋଇଥିବା ବେଳେ ଦୁର୍ବୃତ୍ତ ତାଙ୍କୁ ଶୋଇବା ଘରର ବାହାର ପଟୁ କବାଟ ବନ୍ଦ କରି ନଗଦ ୧ଲକ୍ଷ ଟଙ୍କା ସହ ୩ଲକ୍ଷ ଟଙ୍କାର ସୁନାଗହଣା ଓ ଦାମୀ ଲୁଗାପଟା ନେଇ ଯାଇଥିଲେ। ଭୋରୁ ପଡୋଶୀ ଲୋକେ ସ୍ମାରକଙ୍କ ଘର ମେଲାଥିବା ଦେଖି ଫୋନକରି ଜଣାଇବା ପରେ ଶ୍ରୀ ଦାସଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଯାଇଥିଲା ଜାଣିବାକୁ ପାଇଥିଲେ। ସେହିପରି ମଞ୍ଚେଶ୍ବର ଥାନା ଅଧୀନ ଚକେଇସିଆଣି ବଜାରରୁ ଗୋଟିଏ ରାତିରେ ଦୁଇଟି ମୋବାଇଲ ଦୋକାନ ଓ ବିଦ୍ୟୁତ ସାମଗ୍ରୀ ଦୋକାନର ତାଲା ଭାଙ୍ଗି ଚୋର ଲକ୍ଷାଧିକ ଟଙ୍କା ଚୋରି କରିନେଇଥିଲେ।

କ୍ରାଇମବ୍ରାଞ୍ଚ ଅଫିସର କହି ଲୁଟିଲେ
ପଟିଆ ସ୍ବର୍ଣ୍ଣପୁରୀ ବାସୁଦେବ ଏନକ୍ଲେଭରେ ରହୁନ୍ତି ବରିଷ୍ଠ ନାଗରିକ ଦମ୍ପତି। ସ୍ବାମୀସ୍ତ୍ରୀ ପ୍ରାତଃଭ୍ରମଣରେ ଯାଉଥିବା ବେଳେ ମାଗ୍ନେଟିକ ଛକରୁ ପଟିଆ ରାସ୍ତାରେ ଦୁଇଜଣ ଅଣଓଡିଆ ଯୁବକ ବାଇକରେ ଆସି ସେମାନଙ୍କୁ କ୍ରାଇମ ବ୍ରାଞ୍ଚ ଅଫିସର ପରିଚୟ ଦେଇ ସୁନାଗହଣା ପିନ୍ଧି କ’ଣ ପାଇଁ ପଦାକୁ ବାହାରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ବର୍ତ୍ତମାନ ସମୟ ଭଲ ନାହିଁ। ଦୁର୍ବୃତ୍ତଙ୍କ ହାବୁଡରେ ପଡି ପାରନ୍ତି। ଏହାକହି ତୁରନ୍ତ ଖୋଲିବାକୁ କହିଥିଲେ। ବରିଷ୍ଠ ନାଗରିକ ଦମ୍ପତି ଗହଣା ଖୋଲିବା ପରେ ଜଣେ ଯୁବକ ପାଖରେ ରଖିଥିବା ଧଳା କାଗଜରେ ଗହଣା ରଖିଦେବାକୁ କହିଥିଲେ। ବରିଷ୍ଠ ନାଗରିକ ଗହଣା କାଢିବା କ୍ଷଣି ଜଣେ ଲୁଟିଆ ନକଲି ଗହଣା ପୁଡିଆ ତାଙ୍କୁ ଧରାଇ ଦେଇ ଅସଲି ଗହଣା ନେଇ ଚମ୍ପଟ ମାରିଥିଲେ। ଏନେଇ ବରିଷ୍ଠ ଦମ୍ପତିଙ୍କ ପୁଅ ବିଶ୍ବରଞ୍ଜନ ଆଚାର୍ଯ୍ୟ ଥାନାରେ ଅଭିଯୋଗ କରିଥିଲେ।

ଚଳିତବର୍ଷ ୩୧୦୧ ଅପରାଧୀ ଗିରଫ
ଭୁବନେଶ୍ବର,୨୬ା୧୨(ନି.ପ୍ର): କମିସନରେଟ୍ ପୁଲିସର ବାର୍ଷିକ ଅପରାଧ ରିପୋର୍ଟ ତଥ୍ୟ ଅନୁସାରେ ରାଜଧାନୀରେ ବିଭିନ୍ନ ଅପରାଧରେ ଜଡିତ ୩୧୦୧ ଅପରାଧୀଙ୍କୁ ପୁଲିସ ଗିରଫ କରିଛି। ସେମାନେଙ୍କ ମଧ୍ୟରୁ କମିସନରେଟ ପୁଲିସ ୧୬ ଜଣ କୁଖ୍ୟାତ ଅପରାଧୀଙ୍କୁ ଏନଏଏସ୍‌ ରେ ବୁକ୍‌ କରିଛି। ଗତ ଦୁଇ ବର୍ଷ ମଧ୍ୟରେ ରାଜଧାନୀରେ କହାରିକୁ ଏନଏଏସ ବୁକ୍‌ କରାଯାଇନଥିଲା। ଅପରପକ୍ଷରେ ୨୦୧୯ମସିହାରେ ୧୧୩ ଅପରାଧୀଙ୍କୁ ନାମରେ ୧୧୦ ସିଆରପିସି ଲାଗୁ ହୋଇଥିବା ବେଳେ ଚଳିତ ବର୍ଷ ୧୭୦ ଜଣଙ୍କ ନାମରେ ୧୧୦ ସିଆରପିସିରେ ଲାଗୁ କରାଯାଇଛି। ସେହିପରି ଏ ବର୍ଷ ରାଜଧାନୀରେ ବେଆଇନ ବନ୍ଧୁକ କାରବାର ପୂର୍ବବର୍ଷ ତୁଳନାରେ କମିଥିବା ଜଣାପଡିଛି। କମିସନରେଟ ପୁଲିସର ବାର୍ଷିକ ରିପୋର୍ଟ ଅନୁସାରେ ୯ ଟି ବନ୍ଧୁକ ଓ ୧୭ଟି ଅଫୁଟା ଗୁଳି ଜବତ କରିଛି।

୨୧ଟି ଥାନାରେ ରୁଜୁ ହୋଇଥିବା ମାମଲା

୧.ଖାରବେଳ – ୨୯୦
୨.ଶ୍ରୀଲିଙ୍ଗରାଜ – ୨୩୫
୩.ନୂଆପଲ୍ଲୀ – ୪୭୧
୪.ଖଣ୍ଡଗିରି – ୭୯୪
୫.ତମାଣ୍ଡୋ – ୧୭୧
୬.ମଞ୍ଚେଶ୍ବର – ୪୧୬
୭.ଇନଫୋସିଟ -୧୭୬
୮.ନନ୍ଦନକାନନ -୯୪
୯.ଚନ୍ଦକା -୨୨୧
୧୦.ଏୟାରଫିଲଡ -୨୫୪
୧୧.ଏୟାରପୋର୍ଟ -୨୫୨
୧୨.କ୍ୟାପିଟାଲ -୫୦୯
୧୩.ସହୀଦନଗର -୫୦୧
୧୪.ଚନ୍ଦ୍ରଶେଖରପୁର -୪୪୨
୧୫.ବାଲିପାଟଣା -୩୫୨
୧୬.ବାଲିଅନ୍ତା -୨୮୫
୧୭.ଲକ୍ଷ୍ମୀସାଗର -୩୨୮
୧୮.ବଡଗଡ -୩୬୦
୧୯.ଧଉଳି -୧୯୩
୨୦.ଜଟଣୀ -୪୭୬
୨୧.ମହିଳାଥାନା -୮୫

Comments are closed.